ବର୍ଷା ହେଲେ ବର୍ଜ୍ୟ ଜଳ ନଦୀନାଳରେ ମିଶୁଛି
ସହରରେ ପଡ଼ୁଛି ପାଇଖାନା ପାଣି
କେନ୍ଦୁଝର (ଆପ୍ର): କେନ୍ଦୁଝର ସହରରେ ବାହାରୁଥିବା ପାଇଖାନା ଟାଙ୍କି ପାଣି ପରିଚାଳନା ପାଇଁ କୌଣସି ବ୍ୟବସ୍ଥା ନାହିଁ । ପାଇଖାନା ପାଣିକୁ ଏଣେ ତେଣେ ପକାଯାଉଥିବାରୁ ପରିବେଶ ବହୁ ମାତ୍ରାରେ ଦୂଷିତ ହେଉଛି । ପୌରପାଳିକାର ଦାୟିତ୍ୱ ହୀନତା ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବା ଅଭିଯୋଗ ହେଉଛି । ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଏଭଳି ଜଳ ପ୍ରଦୂଷଣ ସହରର ପରିବେଶକୁ ଦୂଗର୍ନ୍ଧମୟ କରୁଛି ।
ପ୍ରକାଶ ଯେ, କେନ୍ଦୁଝର ସହରରେ ୨୧ଟି ୱାର୍ଡ଼ ରହିଥିବାବେଳେ ମାତ୍ର ଗୋଟିଏ ସେସପୁଲ ଗାଡ଼ି ପୌରପାଳିକା ପାଖରେ ରହିିଛି । ଏହି ଗାଡ଼ିି ଅନେକ ସମୟରେ ଉପଲବ୍ଧ ହେଉନଥିବାରୁ ଅଧିକ ମୂଲ୍ୟ ଦେଇ ଘରୋଇ ସେସପୁଲ ଗାଡ଼ି ବ୍ୟବହାର କରିବାକୁ ଲୋକେ ବାଧ୍ୟ ହେଉଛନ୍ତି । କେନ୍ଦୁଝରଗଡ଼ ପୌରପାଳିକାର ଜନସଂଖ୍ୟା ଦୃଷ୍ଟିରୁ ୫ରୁ ଅଧିକ ସେସପୁଲ ଗାଡ଼ିର ଆବଶ୍ୟକତା ଥିବାବେଳେ ମାତ୍ର ଗୋଟିଏ ଗାଡ଼ିିରେ କାମ ଚଳାଯାଉଛି । ଫଳରେ ସାଧାରଣ ଲୋକଙ୍କ ଆବଶ୍ୟକତା ପୂରଣ ହୋଇ ପାରୁନାହିଁ । ତେବେ ପାଇଖାନା ପରିଚାଳନା ପାଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସ୍ୱତନ୍ତ୍ର ଗାଇଡ଼ ଲାଇନ୍ ରହିଛି । ଏହି ପ୍ରକଳ୍ପ ପାଇଖାନା ଟାଙ୍କି ପାଣିକୁ ବିଶୋଧନ କରିବା ସହ କଠିନ ବସ୍ତୁକୁ ଅଲଗା କରି ସାରରେ ପରିଣତ କରିଥାଏ ଓ ପରେ ଏହାକୁ ବନୀକରଣରେ ବ୍ୟବହାର ହୋଇଥାଏ । ସେହିପରି ଏହାକୁ ବନୀକରଣରେ ବ୍ୟବହାର ଦ୍ୱାରା ବାହାର ପରିବେଶ ମଧ୍ୟ ପ୍ରଦୂଷିତ ହୋଇନଥାଏ । କେନ୍ଦୁଝରଗଡ ପୌରପାଳିକାରୁ ପ୍ରତ୍ୟେକ ମାସ ପାଖାପାଖି ୧୦୦ ଟ୍ରିପ୍ରୁ ଉର୍ଦ୍ଧ ପାଇଖାନା ଟାଙ୍କି ପାଣି ବାହାରୁଛି । ପୌରପାଳିକା ପକ୍ଷରୁ ଅଦ୍ୟାବଧି ବିଶୋଧନ ପ୍ରକଳ୍ପ ନିର୍ମାଣ ଶେଷ ହୋଇନଥିବାରୁ ପାଇଖାନା ଆବର୍ଜନା ପାଣି ଏଣେ ତେଣେ ପକାଯାଉ ଥିବାବେଳେ ଢାଙ୍ଗରପଡ଼ାସ୍ଥିତ ଆଦର୍ଶ ଶ୍ମଶାନରେ ମଧ୍ୟ ପକାଯାଉଛି । ଏହାଦ୍ୱାରା ମଧ୍ୟ ଅନେକ ସମୟରେ ଜନଅସନ୍ତୋଷ ଦେଖାଦେଉଛି । ସଦର ତହସିଲ ଅନ୍ତର୍ଗତ ବଳଭଦ୍ରପୁର ଠାରେ ୩୦ କେଏଲଡି କ୍ଷମତା ବିଶିଷ୍ଟ ୨.୫ ଏକର ଜମିରେ ୩ କୋଟିି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ କାମ ହେଉଛି । ପୌର ପ୍ରଶାସନର ଅପାରଗତା ଯୋଗୁଁ ପ୍ରକଳ୍ପ ସରିବାରେ ବିଳମ୍ବ ହେଉଛି । ପ୍ରକଳ୍ପ ନିର୍ମାଣ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆଞ୍ଚଳିକ କାର୍ଯ୍ୟାଳୟ ଠାରୁ ସିଟିଇ ପାଇଥିଲେ ମଧ୍ୟ ୮ ମାସ ପରେ ବି କାମ ସଂପୂର୍ଣ୍ଣ ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡ଼ ଲାଇନ୍ ଅନୁଯାୟୀ କାମ ହେଉନଥିଲେ ମଧ୍ୟ ପୌରପାଳିକାର ବିଭାଗୀୟ ଯନ୍ତ୍ରୀ ଏହାର ତଦାରଖ କରୁନଥିବା ଅଭିଯୋଗ ହୋଇଛି । ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀ ସମୀକ୍ଷା କରୁନଥିବା ବେଳେ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେହପରି ଆନନ୍ଦପୁର ପୌରପାଳିକାରେ ମଧ୍ୟ ସମାନ ଭାବେ ପ୍ରକଳ୍ପ ନିର୍ମାଣ ହୋଇନଥିବାରୁ ସହରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।