ଶ୍ରୀକ୍ଷେତ୍ର ଜଗିଛି ଅଚଳ ସିସିଟିଭି
ପୁରୀ (ବୁ୍ୟରୋ): ଅର୍ନ୍ତଜାତୀୟ ପର୍ଯ୍ୟଟନ ସହରରେ ସ୍ଥାନ ପାଇଛି ଶ୍ରୀକ୍ଷେତ୍ର । ଦୈନିକ ଏଠାକୁ ଦେଶବିଦେଶର ଲକ୍ଷାଧିକ ଶ୍ରଦ୍ଧାଳୁ ଆସିବା ସହ ମହାପ୍ରଭୁଙ୍କ ଦର୍ଶନ କରି ବେଳାଭୂମିର ମଜା ନେଉଛନ୍ତି । ଏହାକୁ ଭିତ୍ତି କରି ଶ୍ରୀମନ୍ଦିରକୁ ସୁରକ୍ଷା ଓ ଅପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ପୁରୀ ସହରରେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଶ୍ରୀମନ୍ଦିର ଭିତର, ବାହାର ସମେତ ବଡଦାଣ୍ଡ, ମେଡିକାଲ ଛକ, କୋର୍ଟ, ସିଟିରୋଡ, ଭୂଦାନ ଛକ, ମଙ୍ଗଳାଘାଟ ଓ ଭୁବେନଶ୍ୱର-ପୁରୀ ମୁଖ୍ୟ ପ୍ରବେଶ ପଥ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରାୟ ଦୁଇ ଶହରୁ ଊଦ୍ଧ୍ୱର୍ ସିସିଟିଭି କ୍ୟାମେରା ଲାଗିଛି । ହେଲେ ଏହାରି ମଧ୍ୟରୁ କେତୋଟି କାମ କରୁଛି ତାହା ପୁଲିସ୍ ବିଭାଗ ପାଖରେ ଖବର ନାହିଁ ।
ଗତ ୨୦୧୯ ଫାନୀ ଠାରୁ ଅନେକ ସିସିଟିଭି ଅଚଳ ହୋଇପଡ଼ିଥିବାବେଳେ ରଥଯାତ୍ରା ସମୟରେ କିଛି ସିସିଟିଭି ମରାମତି ହୋଇଥିଲା । ହେଲେ ଏବେ ବି ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଛି । କେବଳ ଶ୍ରୀମନ୍ଦିର ପରିସର ବ୍ୟତିତ ଅନ୍ୟ ସ୍ଥାନରେ ସିସିଟିଭି ସମ୍ପୂନ୍ନ ଅଚଳ ହୋଇପଡ଼ିଥିବା ଗୁରୁତର ଅଭିଯୋଗ ହେଉଛି । ଏଥିଯୋଗୁ ଦୀର୍ଘଦିନ ଧରି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ସହର ମଧ୍ୟରେ ବାରମ୍ବାର ଲୁଟ୍ ଓ ଆକ୍ରମଣ ଘଟଣା ଘଟୁଥିବା ନଜିର ରହୁଛି । କେତେବେଳେ ଲୁଟେରା ପର୍ଯ୍ୟଟକମାନଙ୍କ ଠାରୁ ଲୁଟ କରୁଛନ୍ତି ତ ଅନ୍ୟ କେତେବେଳେ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟି ନେଉଛନ୍ତି ।
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ଜାତୀୟ ସୁରକ୍ଷା ସଂସ୍ଥା ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି । ୱାଚ୍ ଟାୱାର ଓ ସିସିଟିଭି କ୍ୟାମେରା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲାଗି ପରାମର୍ଶ ଦେଇଛନ୍ତି । ଏହାସତ୍ତ୍ୱେ ପ୍ରଶାସନ କର୍ତ୍ତୃପକ୍ଷ ଖିଆଲି ମନୋଭାବ ପ୍ରଦର୍ଶନ କରୁଛନ୍ତି ବୋଲି ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାଶ ଅଭିଯୋଗ କରିଛନ୍ତି । ଶ୍ରୀ ଦାଶ କହିଛନ୍ତି ଯେ, ପୁରୀ ସହରର ଚିତ୍ର ଦିନକୁ ଦିନ ବଦଳୁଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଉଛି ଏବଂ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ହେଲେ ଅସବୁର ପ୍ରମାଣ ପାଇଁ ଲଗାଯାଇଥିବା ସିସିଟିଭି ସମ୍ପୂର୍ଣ୍ଣ ଅଚଳ ଯୋଗୁ ଅପରାଧୀମାନେ ସହଜରେ ଖସି ଯାଉଛନ୍ତି । ଅନ୍ୟପଟେ ଆଗକୁ ନୂଆବର୍ଷ ଆସୁଥିବାରୁ ଚଳିତବର୍ଷ ଲକ୍ଷାଧିକ ପର୍ଯ୍ୟଟକଙ୍କ ପୁରୀରେ ସମାଗମ ହେବାକୁ ଥିବା ବେଳେ କିଛି ଅଘଟଣ ଘଟିଲେ ତାହାର ଦୃଶ୍ୟ କିଭଳି ଉତ୍ତୋଳନ କରାଯିବ ତାହାକୁ ନେଇ ପୁଲିସ୍ର ନିଘା ନାହିଁ । ତେଣୁ ତୁରନ୍ତ ଅଚଳ ସିସିଟିଭି ମରାମତି କରିବାକୁ ଶ୍ରୀ ଦାଶ ଦାବୀ କରିଛନ୍ତି । ସୂଚନାଥାଉକି,ପୁରୀ ସହରର ବିଭିନ୍ନ ସ୍ଥାନରେ ୧୫୦ରୁ ଉଦ୍ଧ୍ୱର୍ ସିସିଟିଭି କ୍ୟାମେରା ଲାଗିଥିଲା । ମାତ୍ର ଫନୀରେ ସମସ୍ତ ସିସିଟିଭି ଅଚଳ ହୋଇପଡିଥିଲା ।