କରୋନା ସହ ରହିଛି ସମ୍ପର୍କ
ଦେଶରେ ବଢ଼ୁଛି ହୃଦ୍ଘାତଜନିତ ମୃତୁ୍ୟସଂଖ୍ୟା
ନୂଆଦିଲ୍ଲୀ(ଏଜେନ୍ସି): ବର୍ତ୍ତମାନ ସମୟରେ ଦେଶରେ ହୃଦ୍ଘାତଜନିତ ମୃତୁ୍ୟ ଘଟଣା ବଢ଼ି ବଢ଼ି ଚାଲିଛି । ଏହାକୁ ନେଇ ଏବେ ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ସମସ୍ତେ ଭୟଭୀତ ରହିଛନ୍ତି । ତେବେ ଏପ୍ରକାର ଆକସ୍ମିକ ହୃଦ୍ଘାତ ପଛରେ କରୋନା ସଂକ୍ରମଣ ରହିଥିବା ନେଇ ପ୍ରମାଣ ମିଳିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।
ପ୍ରକାଶ, ଅଧୁନା କୌଣସି ପାର୍ଟିରେ ନାଚକୁଦ କରିବା ବେଳେ, ପଡ଼ିିଆରେ ଖେଳକୁଦ କରିବା ସମୟରେ, ଜିମ୍ରେ ଶାରୀରିକ ବ୍ୟାୟାମ କରିବା ସମୟରେ ଯୁବଗୋଷ୍ଠୀ ମଧ୍ୟ ହୃଦ୍ଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି । ସିଧାଅର୍ଥରେ କହିଲେ ସବୁ ବୟସ ତଥା ବର୍ଗର ଲୋକେ ଏବେ ଏହି ପରିସ୍ଥିତି ଦେଇ ଗତି କରୁଛନ୍ତି । ଏପରି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ ଏପ୍ରକାର ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଆସିଛି । ଦିଲ୍ଲୀ ଏମ୍ସ ହସ୍ପିଟାଲର ହୃଦ୍ରୋଗ ବିଶେଷଜ୍ଞ ତଥା ପ୍ରଫେସର ଡ. ରାକେଶ ଯାଦବ କହିଛନ୍ତି ଯେ, ଏହା ଦୀର୍ଘ ଦିନ ଧରି କୋଭିଡ୍ ସହିତ ସଂଶ୍ଳିଷ୍ଟ ମାମଲା ହୋଇପାରେ । ପ୍ରାରମ୍ଭିକ ପର୍ଯ୍ୟାୟରୁ ମିଳିଥିବା ପ୍ରମାଣ ଆଧାରରେ ଏପ୍ରକାର ଆକଳନ କରାଯାଉଛି । ତେବେ ଏନେଇ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି । ଡ. ଯାଦବଙ୍କ କହିବାନୁସାରେ ବର୍ତ୍ତମାନ ସମୟରେ ହୃଦ୍ଘାତଜନିତ ମୃତୁ୍ୟ ସଂଖ୍ୟା ବୃଦ୍ଧି ଘଟଣାରେ କୌଣସି ସଠିକ ତଥ୍ୟ ଉପଲବ୍ଧ ନାହିଁ, କିନ୍ତୁ ଏଦିଗରେ ବ୍ୟାପକ ଛାନ୍ବିନ୍ କରାଯିବା ପରେ ଏହା କରୋନା ମହାମାରୀ ସହ ଜଡିତ ହୋଇଥାଇପାରେ ବୋଲି କୁହାଯାଇପାରିବ ।
ପ୍ରଫେସର ରାକେଶ ଏବଂ ତାଙ୍କ ସହକର୍ମୀମାନେ ୨ଠ୨ଠରେ ଇଣ୍ଡିଆନ ହାର୍ଟ ନାମକ ଏକ ସ୍ୱାସ୍ଥ୍ୟ ପତ୍ରିକାରେ ଏକ ସମ୍ପାଦକୀୟ ପ୍ରକାଶ କରିଥିଲେ । ଏଥିରେ କରୋନା କାରଣରୁ ହାର୍ଟ ଆଟାକ୍ଜନିଜ ମୃତୁ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା । କରୋନା ସଂକ୍ରମିତ ହେବା ପରେ ବ୍ୟକ୍ତିଙ୍କ ଠାରେ ଅନିୟମିତ ହୃଦସ୍ପନ୍ଦନ ଏବଂ ଦୁର୍ବଳ ହୃଦୟ ମାଂସପେଶୀଜନିତ ଲକ୍ଷଣ ଦେଖିବାକୁ ମିଳୁଥିବା ସମ୍ପର୍କରେ ଡ. ଯାଦବ ଉକ୍ତ ସମ୍ପାଦକୀୟରେ ଉଲ୍ଲେଖ କରିଥିଲେ । ସେଥିରେ ସେ କରୋନା ଭାଇରସ ସଂକ୍ରମଣର ଇତିହାସ ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ମଧ୍ୟରେ ରହିଥିବା ଲିଙ୍କ୍କୁ ସମର୍ଥନ କରୁଥିବା ପ୍ରମାଣ ବଢୁଥିବା ନେଇ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ଲୋକ ସେମାନଙ୍କର ବୟସକୁ ଦୃଷ୍ଟିରେ ରଖି ଫିଟନେସ୍ ପ୍ରତି ଧ୍ୟାନ ଦେବା ଉଚିତ୍ । ହୃଦ୍ଘାତ ଆଶଙ୍କାଙ୍କୁ ହ୍ରାସ କରିବା ପାଇଁ ସମୟ ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ ବୋଲି ଡ. ରିପୋର୍ଟରେ ଉଲ୍ଲେଖ କରିଥିଲେ ।
ତେବେ କେବଳ ଡ. ଯାଦବ ନୁହଁନ୍ତି ବରଂ ଦେଶର ଅନେକ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ସମାନ ଆଶଙ୍କା ବ୍ୟକ୍ତ କରିଛନ୍ତି । ଗତ କିଛି ମାସ ମଧ୍ୟରେ ହୃଦ୍ଘାତରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ଇତିହାସ ଅଧ୍ୟୟନ କରାଯିବାରୁ ସେମାନେ ନିକଟ ଅତୀତରେ କରୋନା ସଂକ୍ରମିତ ହୋଇଥିବା ପ୍ରମାଣ ମିଳିଛି । ଆଗାମୀ ଦିନରେ ଏଦିଗରେ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।