ଧରାପଡ଼ିଲା ବାଟୁଳି ଗ୍ୟାଙ୍ଗ୍
କମିଶନରେଟ୍ ପୁଲିସକୁ ବଡ଼ ସଫଳତା
ଭୁବନେଶ୍ୱର (ବୁ୍ୟରୋ): କମିଶନରେଟ ପୁଲିସକୁ ବଡ଼ ସଫଳତା ମିଳିଛି । ସ୍ପେଶାଲ ସ୍କ୍ୱାଡ କବଜାରେ ଗାଡି କାଚ ଭଙ୍ଗା ଗ୍ୟାଙ୍ଗ୍ । ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ସେମାନେ ହେଲେ ସୂର୍ଯ୍ୟା ମୁଦାଲିଆର, ରାହୁଲ ରାଓ, ଆଦିତ୍ୟ କଇଁରି, ଶଙ୍କର ସ୍ୱାମୀ । ସେମାନଙ୍କଠାରୁ ୫୨ ହଜାର ଟଙ୍କା, ଭ୍ୟାନିଟି ବ୍ୟାଗ ଓ ଗାଡ଼ି କାଚ ଭାଙ୍ଗିବା ଅସ୍ତ୍ର ସହ ମୋବାଇଲ ଓ ଲାପଟପ ଜବତ କରିଛି ପୁଲିସ । କେବଳ ଭୁବନେଶ୍ୱରରେ ଏହି ଗ୍ୟାଙ୍ଗ ନାଁରେ ୧୦ ମାମଲା ରହିଛି । କ୍ୟାପିଟାଲ ଥାନାରେ ୫, ସହିଦ ନଗରରେ ୪ ଓ ଖାରବେଳ ନଗର ଥାନାରେ ଗୋଟିଏ ମାମଲା ରହିଛି । ଏହାସହ କଟକ ମାଲଗୋଦାମ ଥାନା ଅଞ୍ଚଳରେ ମଧ୍ୟ ଗୋଟିଏ ମାମଲା ରହିଛି ।
ଗିରଫ ୪ ଜଣ ସମସ୍ତେ ପଶ୍ଚିମବଙ୍ଗରୁ ଆସି ଓଡ଼ିଶା, ବିହାର ଓ ତାମିଲନାଡ଼ୁ ଭଳି ରାଜ୍ୟରେ ବୁଲି ଚୋରି କରନ୍ତି । ଲଜରେ ରହି ଚୋରି କରନ୍ତି ଏବଂ ତାପରେ ସେଠାରୁ ଚମ୍ପଟ ମାରନ୍ତି । ପୂଜା ସମୟରେ ଓଡ଼ିଶା ଆସି କାରର କାଚ ଭାଙ୍ଗି ଚୋରି କରିଥିଲେ ଏହି ଗ୍ୟାଙ୍ଗ । ବାରମ୍ବାର ସ୍ଥାନ ପରିବର୍ତ୍ତନ ଯୋଗୁଁ ଏମାଙ୍କୁ ଧରିବା ଥିଲା କମିଶନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତ ଖୋଜିବା ପାଇଁ ପଶ୍ଚିମବଙ୍ଗ ଯିବ କମିଶନରେଟ୍ ପୁଲିସ୍ । ଏହାସହ ଅନ୍ୟ ଜିଲ୍ଲା ପୁଲିସକୁ ସମସ୍ତ ଅଭିଯୁକ୍ତଙ୍କ ତଥ୍ୟ ଦେବ କମିଶନରେଟ ପୁଲିସ୍ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ପ୍ରକାଶ କରିଛନ୍ତି ।