ଭୟଙ୍କର ରୂପ ନେଲାଣି ଝାଡ଼ାବାନ୍ତି

ପୁରୀ (ବୁ୍ୟରୋ): ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ରରେ ଦିନକୁ ଦିନ ଝାଡ଼ାବାନ୍ତି ଭୟଙ୍କର ରୂପଧାରଣ କଲାଣି । ଏପରିକି ପ୍ରତ୍ୟେକ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପ୍ରତି ପ୍ରଶାସନର ନଜର ନାହିଁ । ଅନ୍ୟପକ୍ଷରେ ଝାଡ଼ାବାନ୍ତି ମୁଣ୍ଡ ନେବା ପରେ ବି ଚେତୁନି ପ୍ରଶାସନ । ଉକ୍ତ ଘଟଣାକୁ ଅତ୍ୟନ୍ତ ହାଲ୍କା ଭାବେ ଗ୍ରହଣ କରୁଛି । ଝାଡ଼ାବାନ୍ତିରେ ଜଣେ ମହିଳା ଓ ପୁରୁଷଙ୍କ ଜୀବନ ଯାଇଥିବା ବେଳେ ସିଡିଏମ୍ଓଙ୍କ ନିକଟରେ ଖବର ନାହିଁ । ଫଳରେ ସିଡିଏମ୍ଓଙ୍କ ଏଭଳି ବୟାନକୁ ନେଇ ସହରରେ ଚର୍ଚ୍ଚା ଜୋର୍ ଧରିଛି । ଗୋଟିଏ ପଟେ ବିଷାକ୍ତ ପାନୀୟ ଯୋଗୁଁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ବେଳେ କିନ୍ତୁ ପ୍ରଶାସନ ସଫେଇ ଦେଉଛି ପାନୀୟ ଯୋଗୁଁ ଏଭଳି ଘଟଣା ହୋଇନାହିଁ ।
ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଶନିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି ସେହି ଅଞ୍ଚଳରୁ ଜଳ ସଂଗ୍ରହ କରାଯାଇ ଲାବୋରାଟୋରୀକୁ ପଠାଯାଇଛି । ହେଲେ ରିପୋର୍ଟ ନେଗେଟିଭ୍ ଆସିଛି । ପାଣି ଯୋଗୁଁ ଝାଡ଼ାବାନ୍ତି ହୋଇନାହିଁ ବୋଲି ଯୁକ୍ତି ବାଢୁଛନ୍ତି । ସେପଟେ ସ୍ଥାନୀୟ ବାସିନ୍ଦାମାନେ ସିଧାସଳଖ ପାଣି ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି । ସ୍ଥାନୀୟବାସିନ୍ଦା ମାନଙ୍କ କହିବାନୁଯାୟୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ରାତି ଅଧରେ କାର୍ଯ୍ୟ ହେଉଥିବାରୁ ଜେସିବି ମେସିନ୍ରେ ପାଇପ୍ କଟି ସେଥିରୁ ବିଷାକ୍ତ ପାଣି ପ୍ରବେଶ କରିଛି । ସେହି ପାଇପ୍କୁ ସଂଯୋଗ କରିବା ପରେ ସେଥିରେ ଥିବା ବିଷାକ୍ତ ପାଣି ଟାଙ୍କି ଯିବା ପରେ ପେଟକୁ ଯାଇ ଝାଡ଼ାବାନ୍ତି ବ୍ୟାପୁଛି । ପ୍ରଶାସନ ଏହାକୁ ଗ୍ରହଣ କରିବାରେ ସକ୍ଷମ ହୋଇପାରୁ ନାହିଁ । ଏବେ ବି ଘରେ ଘରେ ଶତାଧିକ ରୋଗୀ ଆକ୍ରାନ୍ତ ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକେ କୋକୁଆ ଭୟରେ ରହିଥିବା ବେଳେ ପର୍ଯ୍ୟଟକମାନେ ଚିନ୍ତାରେ । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଜାରି ରହିବା ସହ ଆଗକୁ ନୂଆବର୍ଷ ଆସୁଥିବାରୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାକୁ ଲାଗିଲାଣି । ପୁରୀରେ ଝାଡ଼ାବାନ୍ତି ବ୍ୟାପିଥିବା ନେଇ ଖବର ମିଳିବା ପରେ ସେମାନେ ମଧ୍ୟ ଭୟରେ ରହିଛନ୍ତି । ଉକ୍ତ ଘଟଣା ଉପରେ ପ୍ରଶାସନ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *