ଯୁବୋଦ୍ୟୋଗୀ ନେତୃତ୍ୱ ନିଅନ୍ତୁ

ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ପାଇଁ
ଭୁବନେଶ୍ୱର (ବୁ୍ୟରୋ): ଓ-ହବ୍ଠାରେ ଷ୍ଟାର୍ଟଅପ୍ ଓଡ଼ିଶାର ଏକ ବର୍ଷ ପୂର୍ତ୍ତି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପ୍ରତିଷ୍ଠିତ କରିବାକୁ ଯୁବବର୍ଗ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ଯୁବବର୍ଗ ତାଙ୍କ ସୃଜନଶୀଳ ପ୍ରତିଭା ଏବଂ ବୁଦ୍ଧିମତାକୁ ପ୍ରୟୋଗ କରି ଉଦ୍ୟୋଗୀ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଏହି ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶାର ନିର୍ବାହୀ ଅଧ୍ୟକ୍ଷ ଡ. ଓମ୍କାର ରାଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଆଜି ଷ୍ଟାର୍ଟଅପ୍ ଓଡ଼ିଶା ରାଜ୍ୟରେ ଏକ ପ୍ରମୁଖ ଇନ୍କୁ୍ୟବେଟର ପ୍ରତିଷ୍ଠା କରିବା ସହ ଏକ ଉତ୍ତମ ଷ୍ଟାର୍ଟଅପ୍ ପରିମଣ୍ଡଳ ସୃଷ୍ଟି ହୋଇପାରିଥିବା କହିଥିଲେ । ବର୍ତ୍ତମାନ ରାଜ୍ୟରେ ୧୪୫୦ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ହୋଇପାରିଥିବାବେଳେ ୨୫ ଇନ୍କୁ୍ୟବେଟର ପ୍ରତିଷ୍ଠା ହୋଇ ବିଭିନ୍ନ ପ୍ରକାରର ଉତ୍ପାଦ ତିଆରି କରିପାରୁଥିବା ସେ ପ୍ରକାଶ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଥିଲେ, ଷ୍ଟାର୍ଟଅପ୍ର ବିକାଶ ପାଇଁ ରାଜ୍ୟ ସବୁ ପ୍ରକାର ସାହାଯ୍ୟ ଦେବାକୁ ପ୍ରସ୍ତୁତ । ଆଗକୁ ଏକ ସ୍ୱଚ୍ଛ ନୀତି ପ୍ରଣୟନ କରାଯିବ, ଯାହା ଏହି ଉଦ୍ୟମକୁ ତ୍ୱରିତ ଭାବେ ଷ୍ଟାର୍ଟଅପ୍ ସୁସ୍ଥ ପରିମଣ୍ଡଳ ସୃଷ୍ଟି କରିପାରିବ ବୋଲି କହିଥିଲେ ।
ଏହି ଅବସରରେ ଓ-ହବ୍ ବୁକ୍ଲେଟ୍ ଉନ୍ମୋଚନ କରାଯାଇଥିଲା । ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ କାହାଣୀ ସହ ଓ-ହବ୍ ଦ୍ୱାରା କରାଯାଇଥିବା କାର୍ଯ୍ୟଗୁଡ଼ିକ ବ୍ୟାଖ୍ୟା କରାଯାଇଛି । ଏଥି ସହ ମେଣ୍ଟର କନେକଫ୍ ପ୍ଲାଟ୍ଫର୍ମର ଶୁଭାରମ୍ଭ କରାଯାଇଥିଲା । ଏହା ଦ୍ୱାରା ବିଶେଷଜ୍ଞଙ୍କ ଦ୍ୱାରା ଉପଯୁକ୍ତ ସହଯୋଗ ମିଳିପାରିବ । ପରେ ଅତିଥିମାନେ ଉପସ୍ଥିତ ଷ୍ଟାର୍ଟଅପ୍, ଉଦ୍ୟୋଗୀ ଏବଂ ଇନ୍କୁ୍ୟବେଟରଙ୍କ ସହ ଖୋଲା ଆଲୋଚନା କରିଥିଲେ ।
ଯୁବ ଉଦ୍ୟୋଗୀଙ୍କୁ ତାଙ୍କର ସୃଜନଶୀଳତାର ପରିପ୍ରକାଶ କରିବା, ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବା ଏବଂ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ନୂଆ ଉପକରଣ ବିକଶିତ କରିବା ଆଦି ଲକ୍ଷ୍ୟ ରଖି ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ କରୁଛନ୍ତି । ଗତବର୍ଷ ମୁଖ୍ୟମନ୍ତ୍ରୀ ଏହି ଓ-ହବ୍ର ଉଦ୍ଘାଟନ କରିଥିଲେ । ଏହା ଷ୍ଟାର୍ଟଅପସ୍ ଓଡ଼ିଶାର ଇନ୍କୁ୍ୟବେସନ୍ କେନ୍ଦ୍ର । ୨୦୧୬ଠାରୁ ଆଜି ପର୍ଯ୍ୟନ୍ତ ସର୍ବମୋଟ ୧୪୫୦ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରାଯାଇଛି ।
ଏଥି ମଧ୍ୟରୁ ମହିଳାଙ୍କ ଦ୍ୱାରା ୫୯୦ ଷ୍ଟାର୍ଟଅପସ୍ ପରିଚାଳିତ । ରାଜ୍ୟରେ ଗତ ବର୍ଷକ ମଧ୍ୟରେ ଏହି ଓ-ହବ୍ ଷ୍ଟାର୍ଟଅପସ୍ ପରିମଣ୍ଡଳ ସୃଷ୍ଟି କରିବାରେ ବିଶେଷ ଭୂମିକା ଗ୍ରହଣ କରାଯାଇଛି । ଏହା ନିରନ୍ତର ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଅଧିକରୁ ଅଧିକ ଷ୍ଟାର୍ଟଅପ୍ ଏଥିରେ ସାମିଲ ହେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ଏକବର୍ଷର ସଫଳତା ସକାଶେ ଏହାକୁ ଆଡମ୍ବର ସକାଶେ ପାଳନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ ନିର୍ମିତ ଦୁଇଟି ସୁଦୃଶ୍ୟ ସୁଉଚ୍ଚ ଟାୱାରରେ ଷ୍ଟାର୍ଟଅପ୍ ସକାଶେ ଆବଶ୍ୟକ ସବୁପ୍ରକାର ସୁବିଧା ଉପଲବ୍ଧ କରାଯାଇଛି । ଆଗକୁ ଏଠାରେ ସୁପର ଡିଜିଟାଲ୍ ଫାବ୍ରିକେସନ୍ ଲାବୋରେଟୋରୀ (ଫାବ୍ଲ୍ୟାବ୍) ପ୍ରତିଷ୍ଠା ହେବାର ଯୋଜନା ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *