ଟିମ୍ ଇଣ୍ଡିଆର ବଡ଼ ବିଜୟ
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ
ଚଟ୍ଟୋଗ୍ରାମ, ୧୮ା୧୨ (ଏଜେନ୍ସି): ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବଙ୍କ ମୋଟ୍ ୮ ୱିକେଟ୍ ହାସଲ ବଳରେ ଟିମ୍ ଇଣ୍ଡିଆ ରବିବାର ଜହୁର ଅହମଦ ଚୌଧୁରୀ ଷ୍ଟାଡିୟମ୍ରେ ବାଂଲାଦେଶକୁ ୧୮୮ ରନ୍ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି ।
ପଞ୍ଚମ ଦିନ ବିଜୟ ପାଇଁ ଭାରତକୁ ୪ ୱିକେଟ୍ ଏବଂ ବାଂଲାଦେଶକୁ ୨୪୧ ରନ୍ ଆବଶ୍ୟକ ଥିଲା । ତେବେ ମାତ୍ର ଦେଢ଼ ଘଣ୍ଟାରେ ଖେଳ ଶେଷ ହୋଇଥିଲା । ଅଧିନାୟକ ଭାବେ ଏହା ରାହୁଲଙ୍କ ପ୍ରଥମ ଟେଷ୍ଟ ବିଜୟ ଥିଲା । ସେ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଟିମ୍ର ନେତୃତ୍ୱ ନେଇଥିଲେ । ଏହି ଶୃଙ୍ଖଳା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଅଂଶବିଶେଷ । ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୨୨ରୁ ୨୬ ଯାଏଁ ଢାକାର ଶେରେ ବାଂଲା ନାସ୍ନାଲ୍ ଷ୍ଟାଡିୟମରେ ଖେଳାଯିବ ।
ପ୍ରଥମ ଇନିଂସ୍ରେ ପାଞ୍ଚ ୱିକେଟ୍ ନେଇଥିବା କୁଲଦୀପ ଦ୍ୱିତୀୟ ଇନିଂସ୍ରେ ୩ ୱିକେଟ୍ ଅକ୍ତିଆର କରିଥିଲେ । ମ୍ୟାଚ୍ରେ ୧୧୩/୮ ପ୍ରଦର୍ଶନ ତାଙ୍କ ଟେଷ୍ଟ କ୍ୟାରିଅରର ଶ୍ରେଷ୍ଠ ବୋଲିଂ ଥିଲା । ଏହାଛଡ଼ା ସେ ପ୍ରଥମ ଇନିଂସ୍ରେ ବ୍ୟାଟିଂରେ ୪୦ ରନ୍ର ଯୋଗଦାନ ଦେଇଥିଲେ । କୁଲଦୀପ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ମ୍ୟାଚ୍ ପରେ କୁଲଦୀପ କହିଥିଲେ, “ମୋତେ କୁକାବୁରା ବଲ୍ରେ ବୋଲିଂ କରିବାକୁ ଭଲ ଲାଗେ । ଏସ୍ଜି ବଲ୍ ତୁଳନାରେ ଏହା ମୋତେ ଉତ୍ତମ ଗ୍ରିପ୍ ଓ ନିୟନ୍ତ୍ରଣ ଦିଏ ।”
ରବିବାର ବାଂଲାଦେଶ ଟିମ୍ ୨୭୬/୬ ସ୍କୋର୍ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ଶାକିବ୍ ଅଲ୍ ହସନ୍ ଓ ମେହଦୀ ହସନ ମୀରାଜ୍ ବ୍ୟାଟିଂ କରିବାକୁ ଆସିଥିଲେ । ଅଧିନାୟକ ଶାକିବ୍ ଭଲ ଭାବେ ଜାଣିଥିଲେ ଯେ ସାରା ଦିନ ଖେଳ ଜାରି ରଖିବା ସମ୍ଭବ ନୁହେଁ ।
ଆୟୋଜକ ଟିମ୍ ପୂର୍ବ ସ୍କୋର୍ରେ ମାତ୍ର ୫୨ ରନ୍ ଯୋଡ଼ି ଶେଷ ୪ ୱିକେଟ୍ ହରାଇଥିଲା, ଯେଉଁଥିରେ ଶାକିବ୍ଙ୍କ ୪୪ ରନ୍ର ଯୋଗଦାନ ଥିଲା । ଟିମ୍ ୩୨୪ ରନ୍ରେ ସୀମିତ ରହିଥିଲା ।
ମେହଦୀ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ନ ଥିଲେ । ସେ ୧୩ ରନ୍ କରି ମହମ୍ମଦ ସିରାଜଙ୍କ ବଲ୍ରେ ଉମେଶ ଯାଦବଙ୍କୁ କ୍ୟାଚ୍ ଦେଇଥିଲେ । ଅନ୍ୟପଟେ, ଶାକିବ୍ ଦୃଢ଼ତାର ସହ ଖେଳି ୮୪ (୧୦୮ ବଲ୍ରୁ) ରନ୍ର ଇନିଂସ୍ ଖେଳିଥିଲେ । ସେ କୁଲଦୀପଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ସେତେବେଳେକୁ ସ୍କୋର୍ ହୋଇଥିଲା ୩୨୦/୮ । ଏହାପରେ ୪ ରନ୍ ମଧ୍ୟରେ ଅବଶିଷ୍ଟ ଦୁଇ ୱିକେଟ୍ ପଡ଼ିଥିଲା । ଇବାଦତ ହୋସେନ୍ ଖାତା ଖୋଲି ନ ପାରି କୁଲଦୀପଙ୍କ ତୃତୀୟ ଶିକାର ହୋଇଥିଲେ । ଏହାପରେ ତାଇଜୁଲ ଇସ୍ଲାମ (୪)ଙ୍କୁ ଆଉଟ୍ କରି ବାଂଲା ଇନିଂସ୍ର ଅନ୍ତ ଘଟାଇଥିଲେ ଅକ୍ଷର ପଟେଲ୍ । ଭାରତ ପକ୍ଷରୁ ଅକ୍ଷର ୪, କୁଲଦୀପ ୩ ଏବଂ ସିରାଜ, ଉମେଶ ଓ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଇନିଂସ୍ରେ ଭାରତ ୪୦୪ ରନ୍ ସଂଗ୍ରହ କରିଥିବା ବେଳେ ବାଂଲାଦେଶ ୧୫୦ ରନ୍ରେ ସୀମିତ ରହିଥିଲା । ଏହାପରେ ଭାରତୀୟ ଅଧିନାୟକ ରାହୁଲ ଫଲୋଅନ୍ ନ ଦେଇ ଦ୍ୱିତୀୟ ଇନିଂସ୍ ଖେଳିଥିଲେ । ଟିମ୍ ଇଣ୍ଡିଆ ୨୫୮/୨ ସ୍କୋର୍ରେ ଦ୍ୱିତୀୟ ଇନିଂସ୍ ସମାପ୍ତି ଘୋଷଣା କରିଥିଲା ।