ଲାଗିଲାନି ନୂଆ ଟିକସ
ଜିଏସ୍ଟି ପରିଷଦର ୪୮ତମ ବୈଠକ ଶେଷ
ନୂଆଦିଲ୍ଲୀ, ୧୭ା୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ବସ୍ତୁ ଓ ସେବା କର (ଜିଏସ୍ଟି) ପରିଷଦର ୪୮ତମ ବୈଠକରେ କୌଣସି ବସ୍ତୁ ଉପରେ ଟିକସ ବୃଦ୍ଧି କରାଯାଇ ନାହିଁ । ପରିଷଦ ଜିଏସ୍ଟି ସମ୍ବନ୍ଧୀୟ କେତେକ ମାମଲାକୁ ଅପରାଧ ଶ୍ରେଣୀରୁ ହଟାଇବା ପାଇଁ ସହମତ ହୋଇଛନ୍ତି । ଅନ୍ଲାଇନ୍ ଗେମିଂ, ଘୋଡାଦୌଡ ଓ କାସିନୋ ଉପରେ ଜିଏସ୍ଟି ଲଗାଇବା ନିଷ୍ପତ୍ତିକୁ ମଧ୍ୟ ଟାଳି ଦିଆଯାଇଛି ।
ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବାୟୋ ଫୁ୍ୟଏଲ ଉପରେ ଲାଗିଥିବା ୧୮% ଜିଏସ୍ଟିକୁ କମାଇ ୫% କରିଦିଆଯାଇଛି । ସେହିପରି ଡାଲି ଚଷୁ ଉପରେ ଏଣିକି ଜିଏସ୍ଟି ଲାଗୁ ହେବ ନାହିଁ । ପୂର୍ବରୁ ଏଥିରେ ୫ ପ୍ରତିଶତ ଜିଏସ୍ଟି ଲାଗୁଥିଲା । ପେଟ୍ରୋଲ ସହ ୫% ଇଥାନଲ୍ ମିଶ୍ରଣ ପାଇଁ ରିଫାଇନରୀଗୁଡିକୁ ପରିଷଦ ଅନୁମତି ଦେଇଛନ୍ତି ।
କୌଣସି ଅଧିକାରୀଙ୍କୁ ତାଙ୍କ ଦାୟିତ୍ୱ ତୁଲାଇବାରେ ବାଧା ଦେବା ଏବଂ ଜିଏସ୍ଟି ଆଇନ ଅନୁଯାୟୀ ଯେକୌଣସି କର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଆର୍ଥôକ ସୀମାକୁ ୧ କୋଟିରୁ ୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ୨ କୋଟି ଟଙ୍କାରରୁ କମ୍ ଜିଏସ୍ଟି ଚୋରି ସମ୍ବନ୍ଧୀୟ ମାମଲାଗୁଡିକୁ ଆଉ ଅପରାଧିକ ଶ୍ରେଣୀରେ ରଖାଯିବ ନାହିଁ ।
ପରିଷଦ ବୈଠକରେ ତମାଖୁ-ଗୁଟ୍ଖା ବ୍ୟବସାୟରେ ଟିକସ ଚୋରି, ଅପିଲୀୟ ନ୍ୟାୟାଧିକରଣ ସ୍ଥାପନ ଆଦି ପ୍ରସଙ୍ଗ ଉଠି ପାରିନଥିଲା ।
ସମୟର ସ୍ୱଳ୍ପତା କାରଣରୁ କାର୍ଯ୍ୟସୂଚୀ ଅନ୍ତର୍ଗତ ୧୫ ପ୍ରସଙ୍ଗ ମଧ୍ୟରୁ କେବଳ ୮ଟି ଉପରେ ନିଷ୍ପତ୍ତି ନେବା ସମ୍ଭବ ହେଲା ବୋଲି ସୀତାରମଣ କହିଛନ୍ତି । ଅନାଲୋଚିତ ୭ଟି ପ୍ରସଙ୍ଗ ଉପରେ ପରବର୍ତ୍ତୀ ବୈଠକରେ ଆଲୋଚନା କରାଯିବ ।
ବୈଠକ ଶେଷ ହେବା ପରେ ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା ପରିଷଦରେ ଗୃହୀତ ନିଷ୍ପତ୍ତିଗୁଡିକ ସମ୍ପର୍କରେ ସୂଚନା ଦେଇ କହିଲେ, ୨କୋଟିରୁ ଅଧିକ ଟଙ୍କାର ଜିଏସ୍ଟି ସମ୍ବନ୍ଧୀୟ ଅପରାଧ ଧରାପଡିଲେ ପ୍ରସିକୁ୍ୟସନ୍ ଆରମ୍ଭ କରାଯବ । ପୂର୍ବରୁ ଏହି ସୀମା ଥିଲା ୧ କୋଟି ଟଙ୍କା । ପରିଷଦର ଏହି ନିଷ୍ପତ୍ତି ଫଳରେ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’କୁ ପ୍ରେତ୍ସାହନ ମିଳିବ । ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସଙ୍ଗମାଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ୍) ଗୁରୁବାର ରିପୋର୍ଟ ଦାଖଲ କରିଥିବାରୁ ଏହାକୁ ପରିଷଦ ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଇ ପାରି ନାହିଁ ।
ଚଳିତ ଆର୍ଥିକ ବର୍ଷ ଜୁନ୍ ମାସରେ ରାଜ୍ୟମାନଙ୍କୁ ଜିଏସ୍ଟି କ୍ଷତିପୂରଣ ପ୍ରଦାନ ସମ୍ବନ୍ଧୀୟ ଆଇନର ଅବଧି ସରିଛି । ଏହାର ଅବଧି ବୃଦ୍ଧି ନେଇ ପଞ୍ଜାବ, ତେଲେଙ୍ଗାନା, ତାମିଲନାଡ଼ୁ, ରାଜସ୍ଥାନ, ଝାଡଖଣ୍ଡ ଓ ଛତିଶଗଡ଼ ପକ୍ଷରୁ ପରିଷଦ ବୈଠକରେ ଦାବି କରାଯାଇଛି ।