ସରୁନି କାମ, ଯନ୍ତ୍ରଣା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ଐତିହ୍ୟନଗରୀ । ସେଥିଲାଗି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜୋର୍ସୋରରେ ଚାଲିଛି । କିନ୍ତୁ କାର୍ଯ୍ୟ ସରୁନି । ଫଳରେ ଯନ୍ତ୍ରଣା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ଏପରିକି ସେମାନଙ୍କୁ ଦିନତମାମ ଅନ୍ଧାରରେ ରହିବାକୁ ପଡୁଛି । ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ବିଦୁ୍ୟତ୍ କାଟ ହୋଇ ରାତି ୭ଟାକୁ ଆସୁଛି । ଦୀର୍ଘ ସମୟ ଧରି ବିଦୁ୍ୟତ୍ କାଟ ହେବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ତତ୍ସହିତ ଉତ୍ତରପାଶ୍ୱର୍ରେ ରହିଥିବା ସମସ୍ତ ସାହି ବାସିନ୍ଦାମାନେ ଦୀର୍ଘ ଦିନ ଧରି କଲବଲ ହେଉଛନ୍ତି । ପିଲାମାନଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଘରେ କୌଣସି କାର୍ଯ୍ୟ କରିବା ସମ୍ଭବ ହୋଇପାରୁନି । ଅନେକଙ୍କ ଘର ବିନା ବିଦୁ୍ୟତ୍ରେ ଚଳିବା କଷ୍ଟସାଧ୍ୟ । ସେହି ପରିବାରମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ବିଦୁ୍ୟତ୍ ଘଣ୍ଟାଏ କି ଦୁଇଘଣ୍ଟା ନୁହେଁ ଦୀର୍ଘ ଘଣ୍ଟା ଘଣ୍ଟା କଟିବା ଲୋକଙ୍କୁ କଷ୍ଟ ହେଉଛି । ଏଥିପ୍ରତି କାହାରି ନିଜର ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାରୁ ପ୍ରତ୍ୟେକ ଦିନ ବିଦୁ୍ୟତ୍ କାଟ ହେଉଥିବା ଜଣାପଡ଼ିଛି ।
ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କୁହନ୍ତି, ଶ୍ରୀମନ୍ଦିର ନିକଟରେ ଘର କରି ରହିଥିଲୁ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବୁ । ଏବେ ତାହା ଆଉ ସମ୍ଭବ ହୋଇପାରୁନି । ଏକ ସପ୍ତାହ ଧରି ପ୍ରତ୍ୟେକଦିନ ସକାଳ ୧୦ଟାରୁ ରାତି ପର୍ଯ୍ୟନ୍ତ ବିଦୁ୍ୟତ୍ କାଟ ହେଉଛି । ଫଳରେ ଘରେ ରହିବା ସମ୍ଭବପର ହେଉନାହିଁ । ଅନେକ ଘର ତଳୁଆ ହୋଇଥିବାରୁ ସେହି ଘରେ ବିନା ଆଲୋକରେ ଚଳିବା ଅସମ୍ଭବ । ଠିକାଦାର କାର୍ଯ୍ୟ କରି ମୋଟା ଅଙ୍କର ଅର୍ଥ ନେଉଥିବା ବେଳେ ଆମ୍ଭେ ସାହିବାସିନ୍ଦାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛୁ । ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରନ୍ତୁ ବୋଲି ଦାବି କରିଛନ୍ତି । ଶ୍ରୀମନ୍ଦିରର ଉତ୍ତରପାଶ୍ୱର୍ ଓ ପଶ୍ଚିମଦ୍ୱାର ଅଞ୍ଚଳରେ ଯିବା ଆସିବା ଲାଗି ସ୍ଥାନୀୟ ବାସିନ୍ଦାମାନେ ହନ୍ତସନ୍ତ ହେଉଛନ୍ତି । ଓବିସିସି ପକ୍ଷରୁ କାର୍ଯ୍ୟ କରାଯାଉଥିବା ବେଳେ କିଭଳି ସାଧାରଣ ଲୋକମାନଙ୍କ ଅସୁବିଧା ନ ହେବ ସେ ନେଇ କାର୍ଯ୍ୟ କରିବା ଉଚିତ୍ । ଏଥିପ୍ରତି ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ନାହିଁ । କେବେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ଆମ୍ଭମାନଙ୍କ କଷ୍ଟଲାଘବ ହେବ ତାହା ମହାପ୍ରଭୁ ଜାଣିଛନ୍ତି ।