ବିଲ୍କିସ୍ ବାନୋଙ୍କୁ ସୁପ୍ରିମ୍ ଝଟ୍କା
ନୂଆଦିଲ୍ଲୀ (ଏଜେନ୍ସି): ୨ଠଠ୨ ଗୁଜରାଟ ଦଙ୍ଗା ପରବର୍ତ୍ତୀ ରାଜ୍ୟବ୍ୟାପୀ ସଂଘଠିତ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସର୍ବସ୍ୱ ହରାଇଥିବା ତଥା ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲ୍କିସ୍ ବାନୋଙ୍କୁ ଶନିବାର ସୁପ୍ରିମକୋର୍ଟରୁ ଜୋରଦାର ଝଟ୍କା ଲାଗିଛି । ସେ ସୁପ୍ରିମକୋର୍ଟରେ ଫାଇଲ୍ କରିଥିବା ଦୁଇଟି ପିଟିସନ୍ ମଧ୍ୟରୁ ଗୋଟିଏ ପିଟିସନ୍କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରାପ୍ତ ସୂଚନାନୁସାରେ ଯେଉଁ ପିଟିସନ୍ରେ ବାନୋ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ଜଣଙ୍କୁ ମୁକ୍ତ କରାଯିବା ନେଇ ସୁପ୍ରିମକୋର୍ଟ ଚଳିତ ବର୍ଷ ମେ’ ମାସରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ଦାବି କରିଥିଲେ, ସେହି ପିଟିସନ୍କୁ ବିଚାରପତି ଅଜୟ ରସ୍ତୋଗୀଙ୍କ ନେତୃତ୍ୱାଧୀନ ଜଣିକିଆ ଖଣ୍ଡପୀଠ ଖାରଜ କରିଛନ୍ତି । ତେବେ ବାନୋଙ୍କ ୨ୟ ପିଟିସନ୍ (ଯେଉଁଥିରେ ସେ ଦୋଷୀଙ୍କୁ ମୁକ୍ତ କରାଯିବା ନେଇ ଗୁଜରାଟ ସରକାରଙ୍କୁ କାଗଜପତ୍ର ମାଗିଥିଲେ ମଧ୍ୟ ତାଙ୍କୁ ଦିଆଯାଇନଥିବା ଦର୍ଶାଇଛନ୍ତି) ଉପରେ ଖଣ୍ଡପୀଠ କୌଣସି ରାୟ ଶୁଣାଇ ନାହାନ୍ତି ।
ଏସମ୍ପର୍କରେ ବାନୋଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଶୋଭା ଗୁପ୍ତାଙ୍କୁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର୍ଙ୍କ ପକ୍ଷରୁ ସୂଚୀତ କରାଯାଇଛି । ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଏକ ଚିଠି ଲେଖି ଶୋଭା ଗୁପ୍ତାଙ୍କୁ ସୂଚୀତ କରିଛନ୍ତି ଯେ, ବାନୋଙ୍କ ରିଭୁ୍ୟ ପିଟିସନ୍କୁ ଗତ ୧୩ ତାରିଖରେ ଖାରଜ କରିଦିଆଯାଇଛି । ଏସମ୍ପର୍କରେ ତାଙ୍କୁ ଅବଗତ କରାଇବା ପାଇଁ ରେଜିଷ୍ଟ୍ରାର୍ଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଦେ୍ର୍ଦଶ ରହିଛି । ପ୍ରକାଶ, ବିଲ୍କିସ୍ ବାନୋଙ୍କ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଦୋଷୀଙ୍କୁ ଚଳିତ ବର୍ଷ ଅଗଷ୍ଟ ୧୫ରେ ସମୟ ପୂର୍ବରୁ ଜେଲ୍ରୁ ମୁକ୍ତ କରାଯାଇଥିଲା । ଜେଲ୍ରେ ଉତ୍ତମ ବ୍ୟବହାର ପ୍ରଦର୍ଶନ କାରଣରୁ କ୍ଷମା ନୀତି ଆଧାରରେ ଏମାନଙ୍କୁ ମୁକ୍ତ କରାଯାଇଥିବା ଗୁଜରାଟ ସରକାର ନିଜ ଯୁକ୍ତିରେ ଦର୍ଶାଇଥିଲେ । ୧୯୯୨ ନୀତି ଆଧାରରେ ଗୁଜରାଟରେ କ୍ଷମତାସୀନ ବିଜେପି ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଠାରୁ ମଧ୍ୟ ଏନେଇ ମଞ୍ଜୁରୀ ନେଇଥିଲେ । ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ବିଲ୍କିସ୍ ବାନୋ । ଗତ ମେ’ ମାସରେ ସୁପ୍ରିମକୋର୍ଟ ମଧ୍ୟ ଏସମ୍ପର୍କରେ ୧୯୯୨ ନୀତିକୁ ସମର୍ଥନ କରିଥିଲେ ଏବଂ ୧୫ ବର୍ଷ ଜେଲ୍ଦଣ୍ଡ ଭୋଗିସାରିଥିବା ଦୋଷୀଙ୍କ ମୁକ୍ତିକୁ ଯଥାର୍ଥ ଦର୍ଶାଇଥିଲେ ।
ବାନୋଙ୍କ ଏହି ପିଟିସନ୍ ସୁପ୍ରିମକୋର୍ଟ ଖାରଜ କରିବା ପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ସୁପ୍ରିମକୋର୍ଟରୁ ଯଦି ନ୍ୟାୟ ନ ମିଳେ ତେବେ ବାନୋଙ୍କ ଭଳି ପୀଡ଼ିତା କେଉଁଠିକୁ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରକାଶ, କିଛି ଦିନ ପୂର୍ବେ ବିଲ୍କିସ୍ଙ୍କ ପିଟିସନ୍ ଉପରେ ଶୁଣାଣି କରିବା ଖଣ୍ଡପୀଠରୁ ଦୁଇ ବିଚାରପତି ଓହରିଯାଇଥିଲେ । ସେହିପରି ବାରମ୍ବାର ପିଟିସନ୍ ଦାୟର ନେଇ ସିଜେଆଇ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ ।