ଭାରତକୁ ହାଟ୍ରିକ୍ ମୁକୁଟ
ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍
ବେଙ୍ଗାଲୁରୁ, ୧୭ା୧୨ (ଏଜେନ୍ସି): ଅଧିନାୟକ ଅଜୟ କୁମାର ରେଡ୍ଡୀ ଓ ସୁନୀଲ ରମେଶଙ୍କ ଉଜ୍ଜ୍ୱଳ ଶତକ ସହାୟତାରେ ଭାରତ ଶନିବାର ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ର ଫାଇନାଲ୍ରେ ବାଂଲାଦେଶକୁ ୧୨୦ ରନ୍ରେ ହରାଇ କ୍ରମାଗତ ତୃତୀୟ ମୁକୁଟ ହାସଲ କରିଛି ।
ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଥିଲା । ଏନ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ମଧ୍ୟ ଅଜୟଙ୍କ ଟିମ୍ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା । ବି୩ ବର୍ଗରେ ସୁନୀଲ ଫାଇନାଲ୍ରେ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ । ବି୨ ବର୍ଗରେ ଅଜୟ ପ୍ଲେୟାର୍ ଅଫ୍ ଦ ସିରିଜ୍ ଏବଂ ବି୧ ବର୍ଗରେ ବାଂଲାଦେଶର ମହମ୍ମଦ ମହମୁଦ ରଶିଦ ପ୍ଲେୟାର୍ ଅଫ୍ ଦ ସିରିଜ୍ ପୁରସ୍କାର ଜିତିଥିଲେ ।
ପ୍ରଥମେ ବ୍ୟାଟିଂ ନେଇଥିବା ଭାରତୀୟ ଟିମ୍ର ଆରମ୍ଭ ଭଲ ନ ଥିଲା । ଟିମ୍ ୨୯ ରନ୍ରେ ୨ ୱିକେଟ୍ ହରାଇଥିଲା । ସଲମାନ ମ୍ୟାଚ୍ର ଚତୁର୍ଥ ଓଭର୍ରେ ପ୍ରଥମେ ଉପ-ଅଧିନାୟକ ଡି. ଭେଙ୍କଟେଶ୍ୱର ଓ ଏହାପରେ ଲଳିତ ମୀନାଙ୍କୁ ଆଉଟ୍ କରିଥିଲେ ।
କିନ୍ତୁ ବାଂଲା ଟିମ୍ର ଖୁସି ସ୍ୱଳ୍ପସ୍ଥାୟୀ ଥିଲା । ସୁନୀଲ ଓ ଅଜୟ ପ୍ରତିପକ୍ଷ ବୋଲିଂ ଆକ୍ରମଣକୁ ନିଷ୍ପ୍ରଭ କରିଦେଇଥିଲେ ଏବଂ ଗ୍ରାଉଣ୍ଡର ଚତୁଃପାଶ୍ୱର୍କୁ ସଟ୍ ଖେଳାଇଥିଲେ । ବ୍ୟକ୍ତିଗତ ୪୦ ରନ୍ କରିଥିବା ବେଳେ ଅଜୟଙ୍କୁ ଜୀବନଦାନ ମିଳିଥିଲା । ଡିପ୍ରେ ତାଙ୍କ କ୍ୟାଚ୍ ମିସ୍ ହୋଇଥିଲା । ଏହାପରେ ସେ ବୋଲିଂ ପକ୍ଷକୁ ଆଉ ସୁଯୋଗ ଦେଇ ନ ଥିଲେ ।
ସୁନୀଲ୍ ଏକ ବାଉଣ୍ଡାରୀ ମାରି ଟୁର୍ଣ୍ଣାମେଣ୍ଟରେ ତୃତୀୟ ଶତକ ଲଗାଇଥିଲେ । ଅଜୟ ଇନିଂସ୍ର ଶେଷ ଓଭର୍ରେ ତିନି ଅଙ୍କ ଛୁଇଁଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୨୪୮ ରନ୍ର ଅପରାଜିତ ଭାଗୀଦାରୀ କରିଥିଲେ । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୨୭୭ ରନ୍ର ବଡ଼ ସ୍କୋର୍ ଛିଡ଼ା କରିଥିଲା ।
ସୁନୀଲ ୬୩ ବଲ୍ରୁ ୨୪ ବାଉଣ୍ଡାରୀ ଓ ଗୋଟିଏ ଛକା ସହାୟତାରେ ୧୩୬ ଏବଂ ଅଜୟ ୫୦ ବଲ୍ରୁ ୧୮ ବାଉଣ୍ଡାରୀ ସହାୟତାରେ ୧୦୦ ରନ୍ କରି ଅପରାଜିତ ଥିଲେ ।
୨୭୮ ରନ୍ର ବୃହତ୍ ବିଜୟଲକ୍ଷ୍ୟ ନେଇ ଖେଳିଥିବା ବାଂଲାଦେଶ ଟିମ୍ ଧାର୍ଯ୍ୟ ଓଭର୍ରେ ୩ ୱିକେଟ୍ ହରାଇ ୧୫୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ସଲମାନ ୬୫ ବଲ୍ରୁ ସର୍ବାଧିକ ୭୭ ରନ୍ କରି ଅପରାଜିତ ଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ୭ ଇନିଂସ୍ ଖେଳି ସର୍ବାଧିକ ୪୨୫ ରନ୍ କରିଥିଲେ ।
ଅରିଫ୍ ଉଲ୍ଲା ୨୨, ମହମ୍ମଦ ରହମାନ ୨୧ ଓ ଅବିଦ୍ ୧୮ ରନ୍ କରିଥିଲେ । ଭାରତ ପକ୍ଷରୁ ଲଳିତ ମୀନା ଓ ଅଜୟ କୁମର ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।