ବଢୁଛି ସରକାର-ସୁପ୍ରିମ୍ ବିବାଦ

ନୂଆଦିଲ୍ଲୀ, ୧୬ା୧୨: କେନ୍ଦ୍ର ସରକାର ଓ ସୁପ୍ରିମ୍କୋର୍ଟଙ୍କ ମଧ୍ୟରେ ବିବାଦ କ୍ରମାଗତ ବଢୁଛି । ଗୁରୁବାର ଆଇନମନ୍ତ୍ରୀ କିରେନ ରିଜିଜୁ ସଂସଦରେ ସୁପ୍ରିମ୍କୋର୍ଟଙ୍କୁ ୫ କୋଟି ବକେୟା ମାମଲା ପ୍ରସଙ୍ଗରେ ତିରସ୍କାର କରିଥିଲେ । ଶୁକ୍ରବାର ପ୍ରଧାନ ବିଚାରପତି (ସିଜେଆଇ) ଡି ୱାଇ ଚନ୍ଦ୍ରଚୂଡ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ରୋକ୍ଠୋକ୍ ଜବାବ୍ ଦେଇ କହିଛନ୍ତି, କୌଣସି ମାମଲା ଛୋଟ ନୁହେଁ । ସୁପ୍ରିମ୍କୋର୍ଟ ନାଗରିକଙ୍କ ମୌଳିକ ଅଧିକାରର ସଂରକ୍ଷକ । ଶୀତକାଳୀନ ଅବସରରେ କୋର୍ଟ ଚାଲିବା ପ୍ରସଙ୍ଗରେ ସିଜେଆଇ କହିଛନ୍ତି, ଜାନୁଆରୀ ୨ ପର୍ଯ୍ୟନ୍ତ କୌଣସି ନ୍ୟାୟପୀଠ କାମ କରିବ ନାହିଁ । ଆଇନ ମନ୍ତ୍ରୀ ସଂସଦରେ ଅଦାଲତଗୁଡିକର ଛୁଟି ଅବଧି ଦୀର୍ଘ ହେଉଥିବା ନେଇ କଟାକ୍ଷ କରି କହିଥିଲେ ଯେ ସରକାର କୋର୍ଟ କାମରେ ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି । ତେବେ ଦେଶର ବିଭିନ୍ନ ଅଦାଲତରେ ୫ କୋଟି ମାମଲା ବିଚାରାଧୀନ ରହିଥିବା ନେଇ ସରକାର ଚିନ୍ତିତ । ଏତେ ସଂଖ୍ୟକ ପେଣ୍ଡିଂ କେସ୍ ସତ୍ତ୍ୱେ ବିଚାରପତିମାନେ ଦୀର୍ଘ ଅବକାଶରେ ରହୁଛନ୍ତି । ସୁପ୍ରିମ୍କୋର୍ଟ ଏବଂ ହାଇକୋର୍ଟଗୁଡିକରେ ଖଲିପଡିବା ଜଜ୍ ପଦବୀ ମଧ୍ୟ ଚିନ୍ତାଜନକ ବିଷୟ । ସରକାରଙ୍କ ପାଖକୁ କଲେଜିୟମ୍ରୁ ଭଲ ବିଚାରପତି ନିଯୁକ୍ତି ସୁପାରିସ ଆସୁନାହିଁ । ଅଦାଲତରେ ଖାଲିପଡିଥିବା ଜଜ୍ ପଦବୀ ପୂରଣ ପାଇଁ ସମ୍ବିଧାନ ସରକାରଙ୍କୁ ଅଧିକାର ଦେଇଛି । କିନ୍ତୁ ୧୯୯୩ ପରଠାରୁ ସ୍ଥିତି ବଦଳିଯାଇଛି । ଆଇନ ମନ୍ତ୍ରୀ ଏକଥା ମଧ୍ୟ କହିଥିଲେ ଯେ ଶୀର୍ଷ ଅଦାଲତ ମାମୁଲି କେସ୍ ଯଥା ଜାମିନ ମାମଲାର ଶୁଣାଣି ନ କରି ମୁଖ୍ୟତଃ ସାମ୍ବିଧାନିକ ମାମଲାର ବିଚାର କରିବା ଆବଶ୍ୟକ ।
ପ୍ରଧାନ ବିଚାରପତି ଆଇନ ମନ୍ତ୍ରୀ ଉଠାଇଥିବା ପ୍ରତ୍ୟେକ ପ୍ରସଙ୍ଗରେ ଜବାବ ରଖିଛନ୍ତି । ସେ କହିଛନ୍ତି, ଶୀତକାଳୀନ ଛୁଟିରେ କୌଣସି ବେଞ୍ଚ୍ କାମ କରିବ ନାହିଁ । ଗ୍ରୀଷ୍ମ ଅବକାଶରେ ସୁପ୍ରିମ୍କୋର୍ଟ ଭାକେସନ୍ ବେଞ୍ଚ୍ ଗଠନ କରିଥାଏ ।
ସେଥିରେ ଗୁରୁତର ମାମଲାଗୁଡିକର ଶୁଣାଣି କରାଯାଏ । କୋର୍ଟ ପାଇଁ କୌଣସି ମାମଲା ଛୋଟ ବା ବଡ ନୁହେଁ । ଯେଉଁ ମାମଲା ଆସେ ତା’ର ପୁଙ୍ଖାନୁପୁଙ୍ଖ ଶୁଣାଣି କରି ଫଇସଲା ଦିଆଯାଏ । ସିଜେଆଇ ଗୋଟିଏ ଉଦାହରଣ ଦେଇ କହିଛନ୍ତି, ବିଜୁଳି ଚୋରି ସମ୍ବନ୍ଧୀୟ ୯ଟି ମାମଲାରେ ୧୮ ବର୍ଷକାଳ ସଜା କାଟୁଥିବା ଜଣେ ଲୋକଙ୍କୁ ମୁକ୍ତି ଦେବା ଲାଗି ଆଦେଶ ଦିଆଯାଇଛି । ନାଗରିକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷା କରି ନ ପାରିଲେ ଆମେ କାହିଁକି ଏଠି ଅଛୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *