ମୋଦିଙ୍କ ସହ କଥା ହେଲେ ପୁତିନ୍
ୟୁକ୍ରେନ୍ ଓ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା
ନୂଆଦିଲ୍ଲୀ/ ମସ୍କୋ (ଏଜେନ୍ସି): ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ରୁଷ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମ୍ଲିନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାନୁସାରେ ଉଭୟ ନେତା ୟୁକ୍ରେନ୍ ସହ ଯୁଦ୍ଧ ସହ ଦ୍ୱିପାକ୍ଷିକ ବ୍ୟବସାୟ ଏବଂ ସାମ୍ପ୍ରତିକ ବୈଶ୍ୱିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିବା କୁହାଯାଇଛି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ଏସମ୍ପର୍କରେ ସୂଚନା ଦେଇ କହିଛି, ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷ, ୟୁକ୍ରେନ୍ ସହ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ନିଜ ରୁଷୀୟ ପ୍ରତିପକ୍ଷ ତଥା ବନ୍ଧୁ ପୁତିନ୍ଙ୍କୁ ୟୁକ୍ରେନ୍ ଉପରେ ଆକ୍ରମଣ ବନ୍ଦ କରିବାକୁ ଏବଂ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି । ମୋଦି, ପୁତିନ୍ଙ୍କୁ କୂଟନୀତି ମାର୍ଗରେ ଏହି ବିବାଦର ସମାଧାନ କରିବାକୁ କହିଛନ୍ତି । ୟୁକ୍ରେନ୍ ସହ ସଂଘର୍ଷ ଯୋଗୂୁ ବିଶ୍ୱ ଉପରେ ପଡୁଥିବା ପ୍ରଭାବ ଏବଂ ଏଥିରେ ବିଶ୍ୱର ଅମଙ୍ଗଳକାରୀ ଭବିଷ୍ୟତ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି । ଏହି ଅବସରରେ ମୋଦିଙ୍କୁ ପୁତିନ୍, ଜି-୨ଠର ଅଧ୍ୟକ୍ଷତା ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୋଦି ମଧ୍ୟ, ଜାତିସଂଘରେ ଭାରତ ପ୍ରତି ରୁଷ୍ର ସମର୍ଥନ ପାଇଁ ପୁତିନ୍ଙ୍କୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି । ଉଭୟ ନେତା ଜି-୨ଠର ପ୍ରମୁଖ ପ୍ରାଥମିକତା ସମ୍ପର୍କରେ ଆଲୋଚନା କରିବା ସହ ସାଂଘାଇ ସହଯୋଗ ସଂଗଠନରେ ଭାରତର ଅଧ୍ୟକ୍ଷତାରେ ଦୁଇ ଦେଶ ଏକଜୁୂଟ୍ ହୋଇ କାମ କରିବା ଉପରେ ସହମତ ହୋଇଛନ୍ତି । ଏତଦ୍ବ୍ୟତୀତ ରୁଷ୍-ଭାରତ ମଧ୍ୟରେ ଜାରି ରହିଥିବା ବ୍ୟବସାୟିକ ସମ୍ପର୍କ, ସାମରିକ ସହଭାଗିତା ଏବଂ ତୈଳ ରପ୍ତାନୀ ଆଦି ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି । ଆଲୋଚନା କାଳରେ ଉଭୟ ନେତା ନିୟମିତ ବ୍ୟବଧାନରେ ଟେଲିଫୋନ୍ ଯୋଗେ ସମ୍ପର୍କରେ ରହିବା ପାଇଁ ମଧ୍ୟ ସହମତି ପ୍ରକାଶ କରିଛନ୍ତି ।