ଯୋଗ ଦେବେନି ନବୀନ, ନୀତୀଶ

ଆଜି ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକ
ଭୁବନେଶ୍ୱର, ୧୬ା୧୨(ବୁ୍ୟରୋ): ଶନିବାର କୋଲକାତାରେ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ଜୋନାଲ ନିରାପତ୍ତା ପରିଷଦ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହୋଇପାରିବେ ନାହିଁ । ଏଥିରେ ଅନ୍ୟ ୩ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ହେମନ୍ତ ସୋରେନ ଓ ପ୍ରେମ କୁମାର ତମଙ୍ଗ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ନୀତୀଶଙ୍କ ପରିବର୍ତ୍ତେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ଅର୍ଥମନ୍ତ୍ରୀ ବିଜୟ କୁମାର ଚୌଧରୀ ଯୋଗଦେବେ । ପୂର୍ବରୁ ଏହି ବୈଠକ ନଭେମ୍ବର ୫ରେ ହେବାର ଥିଲା । ଗୃହମନ୍ତ୍ରୀ ଶାହା ଆସି ନପାରିବାରୁ ବୈଠକକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା ।
ବୈଠକରେ ଯୋଗଦେବା ପାଇଁ ଓଡିଶାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ସଚିବ ଦେଓରଂଜନ କୁମାର ସିଂହ ଓ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଶୁକ୍ରବାର ସନ୍ଧ୍ୟାରେ କୋଲକାତା ଯାଇଛନ୍ତି ।
ପୂର୍ବାଞ୍ଚଳ ଜୋନାଲ ପରିଷଦର ସଦସ୍ୟ ରାଜ୍ୟମାନେ ହେଲେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ସିକ୍କିମ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହୋଇଥାଏ ।ଶନିବାର ବୈଠକରେ ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ସମେତ କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦ ଅର୍ଥ ଛାଡ଼, ବିଭିନ୍ନ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସୁଧାର, କ୍ଲିନ୍ ଏନର୍ଜି ସେସ୍‌, କୋଇଲା ରୟାଲ୍ଟି ବୃଦ୍ଧି, ମୋବାଇଲ ଟାୱାର ନିର୍ମାଣ ସହ ରେଳ ଭିତ୍ତିଭୂମି ଓ ରେଳ ସାନ୍ଧ୍ରତା ବୃଦ୍ଧି ଆଦି ପ୍ରସଙ୍ଗ ଓଡ଼ିଶା ପକ୍ଷରୁ ଉତ୍ଥାପନ କରାଯାଇପାରେ ।
ଅନ୍ୟ ପ୍ରମୁଖ ଆଲୋଚ୍ୟ ବିଷୟ ମଧ୍ୟରେ ବାଂଲାଦେଶ-ଭାରତ ଆନ୍ତର୍ଜାତିକ ସୀମାରେ ତାରବାଡ ନିର୍ମାଣ ପାଇଁ ମାର୍ଚ୍ଚ ସୁଦ୍ଧା ଜମି ଅଧିଗ୍ରହଣ ଶେଷ କରିବା ଅନ୍ୟତମ । ଦେଶରେ ମୋଟ୍ ୫ଟି ଜୋନାଲ୍ ପରିଷଦ କାର୍ଯ୍ୟ କରୁଛି । ରାଜ୍ୟ ପୁନର୍ଗଠନ ଅଧିନିୟମ-୧୯୫୬ର ଧାରା ୧୫-୨୨ ଅନୁଯାୟୀ ୧୯୫୭ରେ ଏହି ପରିଷଦ ଗଠନ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *