ପହିଲି ଭୋଗ ଆରମ୍ଭ
ଚଳଚଞ୍ଚଳ ଶ୍ରୀମନ୍ଦିର
ପୁରୀ (ବୁ୍ୟରୋ): ଧନୁସଂକ୍ରାନ୍ତି ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ । ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତି ଅର୍ଥାତ୍ ଡିସେମ୍ବର ୧୬ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ଭୋର ୩ଟା୦୫ରେ ଦ୍ୱାରଫିଟା, ୩ଟା୩୫ରେ ଭିତରଶୋଧ, ୩ଟା୪୦ରେ ମଙ୍ଗଳଆଳତୀ ନୀତି ସମ୍ପନ୍ନ ହୋଇଛି । ଭୋର ୬ଟା୨୦ରୁ ୬ଟା୫୦ ମଧ୍ୟରେ ପହିଲି ଭୋଗନୀତି ବଢ଼ିଥିଲା । ସକାଳ ୭ଟା୧୦ରୁ ୮ଟା୨୫ ମଧ୍ୟରେ ସକାଳଧୂପ (କେବଳ କୋଠଭୋଗ), ୧୦ଟା୩୫ରୁ ୧୦ଟା୪୫ ଭୋଗ ମଣ୍ଡପ, ୧୧ଟା୫୫ରୁ ୧୨ଟା୧୦ ମଧ୍ୟାହ୍ନ ଧୂପ (କେବଳ କୋଠ ଭୋଗ), ୧ଟା୪୫ରୁ ଅପରାହ୍ଣ ୨ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା । ଅପରାହ୍ଣ ୫ଟାରେ ସନ୍ଧ୍ୟା ଆଳତି, ସାଢ଼େ ୬ଟାରୁ ରାତି ୮ଟା ସନ୍ଧ୍ୟାଧୂପ, ୯ଟାରେ ଚନ୍ଦନ ଲାଗି, ୧୦ଟାରେ ବଡ଼ସିଂହାର ବେଶ, ୧୦ଟା୩୦ରେ ବଡ଼ସିଂହାର ଭୋଗ ଏବଂ ରାତ୍ର ୧୧ଟାରେ ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା । ଏହି ସମୟରେ ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ପହିଲି ଭୋଗ ସେବନ କଲେ ବହୁପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ପୌରାଣିକ କଥା ଅନୁଯାୟୀ, ପୌଷ ମାସରେ ମା’ ମହାଲକ୍ଷ୍ମୀ ତାଙ୍କ ବାପଘରକୁ ଯାଇଥାଆନ୍ତି । ତେଣୁ ଭୋଜନ ପି୍ରୟ ମହାପ୍ରଭୁଙ୍କୁ ତାଙ୍କ ମା’ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥାନ୍ତି । ଏହି ଭୋଗରେ କାକରା, ଆରିସା, ଜିଲାପି, ଗଇଁଠା ଆଦି ବହୁପ୍ରକାର ପିଠା ଭୋଗ କରାଯାଏ । ପୌଷ ମାସରେ ଧାନ ଅମଳ ପରେ ଉଖୁଡ଼ା ମୁଆଁର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଏହି ସଂକ୍ରାନ୍ତି ଦିନ ମୁଖ୍ୟତଃ ଠାକୁରଙ୍କ ନିକଟରେ ମୁଆଁଭୋଗ ହୋଇଥାଏ । ଏହି କାରଣରୁ ଆଜି ସମସ୍ତ ମନ୍ଦିର ଓ ବିଶେଷ କରି ସଂକ୍ରାନ୍ତି ଅବସରରେ ଶୈବମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା । ଚଳିତବର୍ଷ ପ୍ରଥମ ପହିଲିରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଭିଡ଼ ଦେଖିବାକୁ ମିଳିଥିଲା । ଫଳରେ ଚଳଚଞ୍ଚଳ ହୋଇପଡ଼ିଥିଲା ଶ୍ରୀମନ୍ଦିର ।