୨୫ ବର୍ଷରେ ବିଜେଡି
ବର୍ଷବ୍ୟାପୀ ପ୍ରତିଷ୍ଠା ଦିବସ ପାଳନ କରାଯିବ
ଭୁବନେଶ୍ୱର, ୧୬ା୧୨ (ବୁ୍ୟରୋ): ୨୫ ବର୍ଷରେ ପାଦ ଥାପିବ ବିଜୁ ଜନତା ଦଳ । ଆସନ୍ତା ଡିସେମ୍ବର ୨୬ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । କୋଭିଡ ପରେ ଚଳିତ ବର୍ଷ ବେଶ ଧୁମଧାମରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ଏନେଇ ବ୍ୟାପକ ପ୍ରସ୍ତୁତି କରିଛି ବିଜେଡି ।
ଚଳିତ ବର୍ଷ ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ ପାଇଁ ଦଳ ନିଷ୍ପତ୍ତି ନେଇଛି । ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ଶୁକ୍ରବାର ନବୀନ ନିବାସରେ ପ୍ରସ୍ତୁତି ବୈଠକ ବସିଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ତୃଣମୂଳସ୍ତରରୁ ଆରମ୍ଭ କରି ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଦିବସ ପାଳନ ହେବ । ଆସନ୍ତା ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟସ୍ତରରେ ଅନେକ ନେତା ଓ କର୍ମୀ ଯୋଗଦେବେ ।
ବରିଷ୍ଠ ବିଧାୟକ ତଥା ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନରେ ଶୁକ୍ରବାର ପୂର୍ବାହ୍ନରେ ଏନେଇ ପ୍ରଥମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ବସିଥିବା ବୈଠକରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ଆଲୋଚନା ହୋଇଛି । କିପରି ପ୍ରତିଷ୍ଠା ଦିବସ ପାଳନ ହେବ, କଣ ସବୁ କାର୍ଯ୍ୟକ୍ରମ ରହିବ ଏନେଇ ବୈଠକରେ ଆଲୋଚନା ହୋଇଛି । ଏହାପରେ ଦଳର ୪ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ ଓ ଅରୁଣ ସାହୁ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା କରି ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପେନ୍ଦ୍ର ନାରାୟଣ ସିଂହଦେଓ, ଦିବ୍ୟଶଙ୍କର ମିଶ୍ର, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।