ଯୁଦ୍ଧ ପ୍ରସ୍ତୁତି କରୁଛି ଚୀନ୍, କେନ୍ଦ୍ର ଶୋଇଛି
ଜୟପୁର (ଏଜେନ୍ସି): ତୱାଙ୍ଗ ସୀମାରେ ଭାରତ-ଚୀନ୍ ସେନା ମଧ୍ୟରେ ଘଟିଯାଇଥିବା ରକ୍ତାକ୍ତ ସଂଘର୍ଷ ପ୍ରସଙ୍ଗକୁ ନେଇ ସମ୍ପ୍ରତି ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗକୁ ନେଇ ସଂସଦରେ ହୋହଲ୍ଲା ଜାରି ରଖିଛନ୍ତି । ଅପରପକ୍ଷେ କେନ୍ଦ୍ର ସରକାର ଏସମ୍ପର୍କରେ ଗୃହରେ ଆଲୋଚନା ହେବ ନାହିଁ ବୋଲି କହିସାରିଛନ୍ତି । କେବଳ ସୀମା ବିବାଦ ନୁହେଁ ବରଂ ଚୀନ୍ ପକ୍ଷରୁ ଭାରତ ଉପରେ ଏବେ ବରାବର ସାଇବର ଆଟାକ୍ ମଧ୍ୟ କରାଯାଉଛି । ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକ୍ ପଛରେ ଚୀନ୍ର ହ୍ୟାକିଂ ଗ୍ରୁପ୍ ରହିଥିବା ପ୍ରମାଣ ମିଳିଛି । ଏହାକୁ ଭାରତ ଉପରେ ଚୀନ୍ର ସାଇବର ବା ଡିଜିଟାଲ ଆଟାକ୍ ବୋଲି ଅଭିହିତ କରାଯାଉଛି । ତେବେ ଏସବୁ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ସରକାରଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି । ସମ୍ପ୍ରତି ରାଜସ୍ଥାନରେ ଭାରତ ଯୋଡୋ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ରାହୁଲ, ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ କହିଛନ୍ତି, ଗୋଟିଏ ପଟେ ଶତ୍ରୁ ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଭାରତ ସରକାର ସବୁଜାଣି ମଧ୍ୟ ଚେଇଁ ଶୋଇବାର ଅଭିନୟ କରୁଛନ୍ତି । ରାହୁଲଙ୍କ ଅନୁସାରେ ଭାରତ ଉପରେ ଚୀନ୍ର ଆକ୍ରମଣାତ୍ମକ ମନୋଭାବ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଚୀନ୍ କେବଳ ସୀମାରେ ଅନୁପ୍ରବେଶ କରୁଛି ତାହା ନୁହେଁ ବରଂ ଅନ୍ୟ ଉପାୟରେ ମଧ୍ୟ ଭାରତକୁ ସମସ୍ୟାରେ ପକାଇବାକୁ ଉଦ୍ୟମ କରୁଛି । ଏସବୁ କରିବା ପଛରେ ଚୀନ୍, ଯୁଦ୍ଧ ପାଇଁ ଭାରତକୁ ଉସୁକାଇବା ଛଡା ଅନ୍ୟ କୌଣସି କାରଣ ହୋଇନପାରେ । ଏପରି ହେଲେ ଚୀନ୍ ଯେ, ଯୁଦ୍ଧ ପାଇଁ ପ୍ରସ୍ତୁତି କରିସାରିଛି କିମ୍ବା ଚଳାଇଛି ତାହା ବୁଝିନେବା ଉଚିତ୍ । କିନ୍ତୁ ଭାରତ ସରକାର ଏଦିଗରେ କୌଣସି ତତ୍ପରତା ନ ଦେଖାଇବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।
କିଛି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି, ଗଲୱାନ୍ ଘାଟିରେ ଭାରତୀୟ ସେନା ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ସମ୍ପର୍କରେ ଭାରତ ସରକାରଙ୍କୁ ପ୍ରମାଣ ମଗାଯାଇଥିଲା । ପ୍ରମାଣ ମାଗିବାର ଅର୍ଥ ନୁହେଁ ଯେ, ଆମେ ଆମ ବୀର ଯବାନ୍ଙ୍କ ବୀରତ୍ୱ ଉପରେ ସନେ୍ଦହ କରୁଛୁ । ଏବେ ତୱାଙ୍ଗରେ ମଧ୍ୟ ସମାନ ଘଟଣା ଘଟିଛି । ଏବେ ଯେତେବେଳେ ବାସ୍ତବତାକୁ ନେଇ ପ୍ରଶ୍ନ କରାଯାଉଛି ସେତେବେଳେ କେନ୍ଦ୍ର ସରକାର ମୁହଁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଗଲୱାନ୍ ଭଳି ତୱାଙ୍ଗ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାର ଅନେକ ସତକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ତେବେ ସତ କେବେ ଲୁଚି ରହିବ ନାହିଁ । ବିଶେଷଜ୍ଞଙ୍କ ମତରେ ତଥା ସାଟେଲାଇଟ୍ ଫଟୋ ଚିତ୍ରରୁ ଚୀନ୍, ଅରୁଣାଚଳପ୍ରଦେଶ ଏବଂ ଲଦାଖ ଅଞ୍ଚଳରେ ବେଆଇନ୍ ନିର୍ମାଣ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଥିବାର ପ୍ରମାଣ ମିଳିସାରିଛି । ତଥାପି କେନ୍ଦ୍ର ସରକାର ଏସମ୍ପର୍କରେ ଗୃହରେ ଆଲୋଚନା କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ।