ବିଲାୱାଲଙ୍କ ଅଭଦ୍ର ଟିପ୍ପଣୀ

ପାକ୍ ଦୂତାବାସ ସମ୍ମୁଖରେ ବିଜେପି କର୍ମୀଙ୍କ ବିକ୍ଷୋଭ
ନୂଆଦିଲ୍ଲୀ (ଏଜେନ୍ସି): ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିଲ୍ଲୀ ବିଜେପି କର୍ମୀମାନେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପାକ୍ ଦୂତାବାସ ସମ୍ମୁଖରେ ମୁତୟନ ସୁରକ୍ଷାକର୍ମୀ ତଥା ପୁଲିସ୍ ଫୋର୍ସ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଦୂତାବାସ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ସମ୍ପର୍କରେ ସୂଚନା ମିଳିଛି । ଦିଲ୍ଲୀ ବିଜେପି କର୍ମୀମାନେ ପ୍ଲାକାର୍ଡ ଧରି ଦିଲ୍ଲୀ ସ୍ଥିତ ପାକିସ୍ତାନର ଦୂତାବାସ ସମ୍ମୁଖରେ ପାକିସ୍ତାନ ବିରୋଧରେ ନାରାବାଜି କରିଛନ୍ତି । ପାକିସ୍ତାନ ହାଏ ହାଏ, ବିଲାୱଲ ଭୁଟ୍ଟୋ କ୍ଷମା ମାଗ ବୋଲି ନାରା ଲଗାଇଛନ୍ତି । ଅନ୍ୟପକ୍ଷେ ପୁଲିସ୍କୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବିକ୍ଷୋଭକାରୀଙ୍କ ଉପରେ ପାଣିମାଡ଼ କରିବାକୁ ପଡ଼ିଛି । କିଛି ବିକ୍ଷୋଭକାରୀ ବିଜେପି କର୍ମୀଙ୍କୁ ପୁଲିସ୍ ଗିରଫ ମଧ୍ୟ କରିଥିବା ଜଣାପଡିଛି । ପ୍ରକାଶ, ଜାତିସଂଘରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଆତଙ୍କବାଦ ପ୍ରସଙ୍ଗରେ ଖୁଲମ୍ଖୁଲ୍ଲା ପାକିସ୍ତାନର ନାମ ଧରିଥିଲେ । ଜୟଶଙ୍କର କହିଥିଲେ, ଆତଙ୍କବାଦୀ କେଉଁଠି ଲାଳନ ପାଳନ ହେଉଛନ୍ତି, ତାହା ସମଗ୍ର ବିଶ୍ୱ ବେଶ୍ ଭଲଭାବେ ଜାଣିଛି । ଜୟଶଙ୍କର ଏହି ଅବସରରେ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନର ପୂର୍ବତନ ମୁଖ୍ୟ ଓସାମା ବିନ୍ ଲାଡେନ୍କୁ ପାକିସ୍ତାନ ମାଟିରେ ହିଁ ଆମେରିକା ସେନା ନିପାତ କରିଥିଲା ବୋଲି କହିଥିଲେ । ଏତଦ୍ବ୍ୟତୀତ ଅନ୍ୟ କିଛି ଆତଙ୍କବାଦୀଙ୍କ ନାମ ନେଇ ଜୟଶଙ୍କର କହିଥିଲେ ଏସବୁୂ ଆତଙ୍କବାଦୀ ଏବେ ବି ପାକିସ୍ତାନରେ ରହିଛନ୍ତି । ତେବେ ଜୟଶଙ୍କରଙ୍କ ଏପ୍ରକାର ମନ୍ତବ୍ୟ ପରେ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ୍, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ବିଲାୱାଲ୍ ନୁ୍ୟୟର୍କରେ ଏକ ଆମେରିକାନ୍ ଟିଭି ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଅତ୍ୟନ୍ତ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ବିଲାୱାଲ୍ କହିଛନ୍ତି ସେ ଭାରତକୁ ଜଣାଇବାକୁ ଚାହୁଁଛନ୍ତି ଯେ, “ଓସାମା ବିନ୍ ଲାଡେନ ମରିସାରିଛି । କିନ୍ତୁ ଗୁଜରାଟ ଦଙ୍ଗାର କଂସେଇ ଏବେ ବି ଜୀବିତ ଅଛି । ଏହି କଂସେଇଜଣକ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଆମେରିକା ସମେତ ଏକାଧିକ ରାଷ୍ଟ୍ର ତାଙ୍କ ପ୍ରବେଶକୁ ବାରଣ କରିଥିଲେ । ଏକଛତ୍ରବାଦୀ ଶାସକ ହିଟଲରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ରୁ ମୋଦି ଏବଂ ଭାରତର ଏକାଧିକ ମନ୍ତ୍ରୀ, ନେତା ଆସିଛନ୍ତି । ଭାରତୀୟ ବିଦେଶ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସ୍ୱରାଷ୍ଟ ମନ୍ତ୍ରୀ ମଧ୍ୟ ଆରଏସ୍ଏସ୍ରୁ ଆସିଛନ୍ତି ।
ଅନ୍ୟପକ୍ଷେ ବିଲାୱାଲ୍ଙ୍କ ଏପ୍ରକାର ମନ୍ତବ୍ୟକୁ ନେଇ ଭାରତ ସରକାର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ୍ ବାଗ୍ଚୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନ ସରକାର ଏବଂ ପାକ୍ ବୈଦେଶିକ ମନ୍ତ୍ରୀଙ୍କୁ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି । ବାଗ୍ଚୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ପାକ୍ ବିଦେଶ ମନ୍ତ୍ରୀଙ୍କ ମନ୍ତବ୍ର ଅତ୍ୟନ୍ତ ଅସଭ୍ୟ, ଅଭଦ୍ରୋଚିତ । ଏପ୍ରକାର ଆଚରଣକୁ କଦାପି ବରଦାସ୍ତ କରାଯିବନାହିଁ । ପାକ୍ ବିଦେଶ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପାକିସ୍ତାନ୍ର ନିମ୍ନ ମାନସିକତାର ଏକ ନୂଆ ପରିଚୟର ପ୍ରମାଣ ଦେଇଛି । ଏଭଳି ଅସଭ୍ୟ ଟିପ୍ପଣୀ ଆତଙ୍କବାଦ ସଂଗଠନ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ରୋକିବା ଦିଗରେ ପାକିସ୍ତାନର ଅକ୍ଷମତାକୁ ଦର୍ଶାଉଛି । ଲାଡେନ୍କୁ ସହିଦ୍ ମାନ୍ୟତା ଦେଉଥିବା ଦେଶ ଠାରୁ ଅଧିକ କିଛି ଆଶା କରିବା ମଧ୍ୟ ନିରର୍ଥକ ବୋଲି ବାଗ୍ଚୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *