ପଦ୍ମପୁର ମଡେଲ୍ରେ ଲଢ଼ିବ

୨ଠ୨୪ ନିର୍ବାଚନ ପାଇଁ ବିଜେଡି ରଣନୀତି
ଭୁବନେଶ୍ୱର, ୧୫ା୧୨ (ବୁ୍ୟରୋ): ୨୦୨୪ରେ ସାଧାରଣ ନିର୍ବାଚନ । ଦେଢ଼ ବର୍ଷରୁ କମ୍ ସମୟ ବାକି ଥିବାବେଳେ ଏଥି ପାଇଁ ୩ ପ୍ରମୁଖ ଦଳର କସରତ ଆରମ୍ଭ କରିଛନ୍ତି । ଲଗାତର ନିର୍ବାଚନରେ ଭଲ ପ୍ରଦର୍ଶନ କରୁଥିବା ବିଜେଡି ବ୍ୟବସ୍ଥିତ ଢଙ୍ଗରେ ୨୦୨୪ ନିର୍ବାଚନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ସେହିପରି ବିଜେଡିକୁ କଡ଼ା ମୁକାବିଲା କରିବାକୁ ବିଜେପି ବି ଅଣ୍ଟା ଭିଡ଼ିଛି । ଲଗାତର ଶୋଚନୀୟ ପ୍ରଦର୍ଶନ କରୁଥିବା କଂଗ୍ରେସ ୨୦୨୪ରେ ଭଲ କରିବା ପାଇଁ ଆଶା ବାନ୍ଧିଛି ।
ଏହି ମଧ୍ୟରେ ପଦ୍ମପୁର ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ଗୁରୁବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ପଦମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେମିତି ପୂରଣ ହେବ, ତା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି, ସେ ସବୁ ପାଳନ କରାଯିବ । ପଦ୍ମପୁର ଓ ସେଠାକାର ଲୋକଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପଦ୍ମପୁର ନିଶ୍ଚୟ ଯିବେ କିନ୍ତୁ ତାରିଖ ସ୍ଥିର ହୋଇନି । ପଦମପୁର ବିକାଶକୁ ସେ ନିଜେ ତଦାରଖ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ସେବା କରିବାକୁ କହିଆସୁଛନ୍ତି । ଦଳ ଆହୁରି ଲୋକଙ୍କ ସେବା କରି ଆଶୀର୍ବାଦ ନେବ । ଆହୁରି ଭରସା ଜିତିବାକୁ ଦଳ ଉଦ୍ୟମ କରିବ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ କରିବାକୁ ସମସ୍ତ ଚେଷ୍ଟା କରାଯିବ । ବିଜେଡି ବଡ଼ ଦଳ । ତେଣୁ ୨୦୨୪ ପାଇଁ ବଡ଼ ପ୍ରସ୍ତୁତି କରିବ ଦଳ ବୋଲି ସମୀକ୍ଷା ବୈଠକ ପରେ ବିଜେଡି ବରିଷ୍ଠ ନେତା ପ୍ରତିକ୍ରିୟାରେ କହିଛନ୍ତି ।
ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ରଙ୍କ ସମେତ ଅନେକ ନେତା ଏହି ବୈଠକରେ ଉପସ୍ଥିତ ଥିଲେ । ଉପନିର୍ବାଚନବେଳେ ପଦ୍ମପୁରବାସୀଙ୍କୁ କି କି ପ୍ରତିଶ୍ରୁତି ଦିଆଯାଇଥିଲା, କେଉଁ ପଞ୍ଚୟତରେ କଣ ସମସ୍ୟା ରହିଛି ସେନେଇ ରିପୋର୍ଟ ଦେବାକୁ ଦାୟିତ୍ୱରେ ଥିବା ନେତାଙ୍କୁ କୁହାଯାଇଥିଲା । ସେମାନଙ୍କ ରିପୋର୍ଟ ଆଧାରରେ ଆଲୋଚନା ହେଉଛି । ଏଥସହ ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ନେଇ ଆଲୋଚନା କରାଯାଇଛି । ସେପଟେ ଆଗୁଆ ନିର୍ବାଚନ ଲାଗି ବିଜେପି ପ୍ରସ୍ତୁତ ଥିବା କହିଛି । ଯଦି ୨୦୨୩ ଶେଷ ଆଡକୁ ନିର୍ବାଚନ ହୁଏ ତେବେ ବିଜେପି ପ୍ରସ୍ତୁତ ବୋଲି କହିଛନ୍ତି ବିଜେପି ନେତା ।
ନବୀନ ନିବାସରେ ସମୀକ୍ଷା ବୈଠକ ପରେ ବିଜେଡି ନେତା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପଦ୍ମପୁର ଯିବେ ବିକାଶ କାମ ଦେଖିବେ, ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେହିଭଳି ପ୍ରଦୀପ ମାଝି କହିଛନ୍ତି, ପଦ୍ମପୁର ମଡେଲରେ ଆଗକୁ ନିର୍ବାଚନ ଲଢ଼ିବୁ । ସବୁ ନିର୍ବାଚନ ମଣ୍ଡଳୀରେ ଏହି ମଡେଲ ଲାଗୁ କରାଯିବ । ଅନ୍ୟପଟେ ୨୪ ନିର୍ବାଚନ ପାଇଁ ଲୋକଙ୍କ ଲାଗି ଅଧିକ କାମ କରିବୁ ବୋଲି କହିଛନ୍ତି ନବ ଦାସ ।
ସୂଚନାଥାଉ କି, ଗୁରୁବାର ପଞ୍ଚାୟତ ସ୍ତରରେ ଦାୟିତ୍ୱରେ ଥିବା ନେତା ସେମାନଙ୍କ ଅଭିଜ୍ଞତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କହଛନ୍ତି । ଲୋକଙ୍କ ଆଶା ଆକାଂକ୍ଷା, ସରକାରଙ୍କ କେଉଁ ଯୋଜନାର ଗ୍ରହଣୀୟତା କେତେ, ସରକାରୀ ଯୋଜନା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚୁଛି କି ନାହିଁ, ଏସବୁ ଉପରେ ନେତାମାନେ ସଭାପତିଙ୍କୁ ଜଣାଇଛନ୍ତି । ତୃଣମୂଳ ସ୍ତରରେ ନିର୍ବାଚନ ପରିଚାଳନା କଲା ବେଳେ କି କି ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା, ତାହାର ଏକ ଚିତ୍ର ମଧ୍ୟ ଉପସ୍ଥାପନ କରାଯାଇଥିଲା । ଏହି ଅଭିଜ୍ଞତାକୁ ଆଧାର କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *