ପହିଲାରୁ ଶ୍ରୀମନ୍ଦିରକୁ ଫୋନ୍ ମନା
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍ ସମ୍ପୂର୍ଣ୍ଣ ବ୍ୟବହାର ନିଷିଦ୍ଧ । ଜାନୁଆରୀ ପହିଲାରୁ କଟକଣା ଲାଗୁ କରାଯିବ ବୋଲି ଗୁରୁବାର ଭକ୍ତନିବାସ ସମ୍ମିଳନୀ କକ୍ଷରେ ବସିଥିବା ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏପରିକି ପହିଲାରୁ ସେବାୟତ ହେଲେ ବି ସିଂହଦ୍ୱାର ଓ ଦକ୍ଷିଣଦ୍ୱାର ନିକଟରେ ହୋଇଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜମା ଦେଇ ମନ୍ଦିରକୁ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସୂଚନା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୋଟିଏ ଫୋନ୍ ରହିବ । କୌଣସି ସେବାୟତ ବା ସରକାରୀ କର୍ମଚାରୀ ହୁଅନ୍ତୁ ସେମାନେ ମଧ୍ୟ ମୋବାଇଲ ନେଇ ଯାଇପାରିବେ ନାହିଁ । ଏହା ସତ୍ତ୍ୱେ ଯଦି କେହି ମୋବାଇଲ୍ ଭିତରକୁ ନିଅନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସେବାୟତ ପିଲାମାନଙ୍କ ଲାଗି ଗୁରୁକୁଳ ନିର୍ମାଣ ଲାଗି ବିର୍ଲା ଏଜୁକେସନ ସହ ବୁଝମଣା ସ୍ୱାକ୍ଷରିତ ହୋଇଛି । ତତ୍ସହିତ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ୪ହଜାର ହେକ୍ଟରରୁ ୩,୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଥିବା ଜଣାପଡ଼ିଛି । ଏହି ବୃକ୍ଷରୋପଣ କାର୍ଯ୍ୟର ସ୍ଥିତିକୁ ପରଖିବେ ପରିଚାଳନା କମିଟି ସଦସ୍ୟ । ମହାପ୍ରଭୁଙ୍କ ନାଁରେ ଥିବା ୧୬୦୦ ଏକର ଜଙ୍ଗଲ ଜମିରେ ରଥକାଠ ପାଇଁ ବୃକ୍ଷରୋପଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରମୋଦ ଉଦ୍ୟାନ ଓ ଗୁଣ୍ଡିଚାମନ୍ଦିର ଉନ୍ନତୀକରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଶେଷ ଭାବେ ଗୁଣ୍ଡିଚାମନ୍ଦିରର ନାଟମଣ୍ଡପ ବିମ୍ର ମରାମତି କାର୍ଯ୍ୟ ଏପ୍ରିଲ ପୂର୍ବରୁ ଶେଷହେବ ବୋଲି ନିଷ୍ପତ୍ତି ହୋଇଛି ।
ସୂଚନାଥାଉକି, ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ଭକ୍ତମାନେ ମୋବାଇଲ୍ ନେବା ଉପରେ ସମ୍ପୂର୍ଣ୍ଣ ବାରଣ ହୋଇଥିଲା । କେବଳ ଅଧିକାରୀ ଓ ସେବାୟତମାନେ ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ବ୍ୟବହାର କରୁଥିଲେ । ଏହାରି ମଧ୍ୟରେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଏବଂ ଗର୍ଭଗୃହ ଫଟୋ ମଧ୍ୟ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଉଛି । ଏହାକୁ ଗୁରୁତର ଭାବେ ଗ୍ରହଣ କରିଥିଲା ପରିଚାଳନା କମିଟି । ବୈଠକରେ ବିସ୍ତୃତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।