ନିର୍ବାହୀ ଅଧିକାରୀ ସସ୍ପେଣ୍ଡ୍, ସରପଞ୍ଚଙ୍କୁ ସୋ-କଜ୍
୬ ପ୍ରକଳ୍ପରେ ଅର୍ଥ ହଡ଼ପ ଘଟଣା
ରାଜନଗର (ଆପ୍ର): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ କୁରୁଂଟି ପଞ୍ଚାୟତରେ କାମ ନ କରି ଛଅ ଛଅଟି ପ୍ରୋଜେକ୍ଟର ଅର୍ଥ ଲୁଟି ନେବା ଘଟଣାରେ ଗୁରୁବାର କାର୍ଯ୍ୟାନୁଷ୍ଠାନ ହୋଇଛି । ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଯନ୍ତ୍ରୀଙ୍କୁ ସୁନାପୁଅ ପରି ମାଫ୍ କରି ଦିଆଯାଇଛି । ଏହି ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନିନ୍ଦ୍ର କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ବ୍ଲକ୍ କାର୍ଯ୍ୟାଳୟରେ ତାଙ୍କର ହେଡକ୍ୱାର୍ଟର ଫିକ୍ସ କରାଯାଇଛି । ଏହି ଦୁର୍ନୀତି ନେଇ ଗଣମାଧ୍ୟମରେ କ୍ରମାଗତ ଖବର ପ୍ରକାଶ ପାଇବା ପରେ ଓ ପଞ୍ଚାୟତବାସୀ ଆମରଣ ଅନଶନରେ ବସିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି ।
ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନିନ୍ଦ୍ର କୁମାର ପ୍ରଧାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ସରପଞ୍ଚ ସସ୍ମିତା ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଚାରି ଦିନ ଭିତରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ କୁହାଯାଇଛି । ଏହି ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ରବିନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି । କାମ ନ କରି ସରକାରୀ ଅର୍ଥ ଲୁଟ ଘଟଣାରେ ତଳିଆ କର୍ମଚାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏହି ଫଲ୍ସବିଲ୍ କରିଥିବା ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ସୁନାପୁଅ ପରି ଛାଡି ଦିଆଯାଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସସପେଣ୍ଡ ଅର୍ଡର ଆସିବା ପରେ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ବିଡିଓ ରବିନ୍ଦ୍ର କୁମାର ପ୍ରଧାନ, ଏବିଡିଓ ଶ୍ରୀକାନ୍ତ କୁମାର ମହାନ୍ତି, ସହକାରୀ ନିର୍ବାହୀଯନ୍ତ୍ରୀ ରାଜଲକ୍ଷ୍ମୀ ସାହୁ ଅନଶନକାରୀଙ୍କୁ ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରିବା ସହ ଆମରଣ ଅନଶନ ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଥିଲେ । କେବଳ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା, ଅନ୍ୟମାନଙ୍କ ବିରୋଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନଶନକାରୀ ପ୍ରଶ୍ନ କରିଥିଲେ । ୪ଦିନ ମଧ୍ୟରେ ସରପଞ୍ଚ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ କହିଥିଲେ ।
ସୂଚନା ଯୋଗ୍ୟ, ରାଜନଗର ବ୍ଲକ୍ କୁରୁଂଟି ପଞ୍ଚାୟତର ପଶ୍ଚିମଭେଡା ଗାଁର ବିଜୟ ବଳ ହାଉସ ପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟଜଳ ପ୍ରକଳ୍ପ ନାଁରେ ୧ ଲକ୍ଷ ଟଙ୍କା, ନରେନ୍ଦ୍ର ସାହି ହାଉସ ପର୍ଯ୍ୟନ୍ତ, ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ନାଁରେ ୭୬ ହଜାର, ଦୁଇଟି କଲଭର୍ଟ ନାଁରେ ୧ ଲକ୍ଷ ୭୦ ହଜାର ଟଙ୍କା, ନୋଧାବସନ୍ତ ପ୍ରାଥମିକ ବିଦ୍ୟାଳୟରେ ପାନୀୟଜଳ ପାଇପ ବିଛାଇବା ନାଁରେ ୧ ଲକ୍ଷ ଟଙ୍କା ଲୁଟ୍ ନେଇ ପ୍ରଶ୍ନ ଉଠିଥିଲା । ରାଜ୍ୟ ସରକାରଙ୍କ ଇସ୍ୱରାଜ ପୋର୍ଟାଲରୁ ଏହି ଫଲ୍ସ ବିଲର ସତ ଧରା ପଡିବା ପରେ ପଞ୍ଚାୟତବାସୀ ଏ ନେଇ ବିଡିଓଙ୍କୁ ଗତ ୫ ତାରିଖରେ ଅଭିଯୋଗ କରିଥିଲେ ।