ଓଡ଼ିଶାକୁ ଏଗ୍ରିକଲ୍ଚର୍ ଲିଡର୍ସିପ୍ ଆୱାର୍ଡ

ଭୁବନେଶ୍ୱର (ବୁ୍ୟରୋ): କୃଷିର ବିକାଶ ଓ କୃଷକ କଲ୍ୟାଣରେ ନେତୃତ୍ୱନୀୟ ଭୂମିକା ଏବଂ ଅନୁକରଣୀୟ ଅବଦାନ ନିମନ୍ତେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ଏଗ୍ରିକଲଚର ଟୁଡେ ଗ୍ରୁପ୍ ପକ୍ଷରୁ ତ୍ରୟୋଦଶ ଏଗ୍ରିକଲଚର ଲିଡ଼ରସିପ୍ ଆୱାର୍ଡ-୨୦୨୨ରେ ଓଡ଼ିଶାକୁ ଏହି ସମ୍ମାନ ମିଳିଛି । ଜାତୀୟ ସ୍ତରରେ ଗଠିତ ଜୁରି ପ୍ୟାନେଲ୍ କୃଷି ଉତ୍ପାଦିକତା ଉପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ସହ କୃଷି କ୍ଷେତ୍ରରେ ନୂତନ ଓ ଜନପ୍ରିୟ ନୀତି ନିର୍ଦ୍ଧାରଣ କରିଥିବାରୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ରୂପେ ବିବେଚିତ କରିଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ଆୟୋଜିତ ଉତ୍ସବରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଅଞ୍ଜନା ପଣ୍ଡା ବିଭାଗ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଏବଂ କୃଷକଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସ୍ୱାଧୀନୋତ୍ତର ଭାରତବର୍ଷରେ ଓଡ଼ିଶା ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ଏକ ଆତ୍ମନିର୍ଭରଶୀଳ ରାଜ୍ୟ ହେବା ସହ ବଳକା ଚାଉଳ ରାଜ୍ୟ ବାହାରକୁ ରପ୍ତାନୀ କରୁଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ରେକର୍ଡ ୧୩୦.୩୯ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିଛି । ୨୦୦୦-୦୧ ବର୍ଷରେ ରାଜ୍ୟରେ ୫୫.୩୫ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବାବେଳେ ବିଗତ ୨୦ ବର୍ଷ ମଧ୍ୟରେ ଉତ୍ପାଦନ ଦୁଇଗୁଣରୁ ଅଧିକ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ କୃଷିର ନିରନ୍ତର ଓ ସାମଗ୍ରିକ ବିକାଶ ନିମନ୍ତେ ବିଭାଗ ପକ୍ଷରୁ କୃଷି ନୀତି-୨୦୨୦ ପ୍ରଣୟନ କରାଯାଇଛି । ରାଜ୍ୟରେ ବ୍ୟାପକ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ଭାରତବର୍ଷରେ ପ୍ରଥମ ରାଜ୍ୟ ଭାବରେ କୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ କରିଛି । ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଓ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ ଓ କୃଷି ଯନ୍ତ୍ରପାତିର ବ୍ୟବହାର ଫଳରେ ଉତ୍ପାଦନ ବୃଦ୍ଧି ପାଇଛି । କୃଷକଙ୍କ ନିମନ୍ତେ ପ୍ରଣୀତ ଯୋଜନାର ସଫଳ ରୂପାୟନରେ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରହିବ ଏବଂ ଚାଷୀଙ୍କ ନିକଟରେ ଯୋଜନାର ଲାଭ ସିଧାସଳଖ ପହଞ୍ଚିପାରିବ, ସେଥି ନିମନ୍ତେ ଯୋଜନା ଓ ସେବାଗୁଡ଼ିକୁ ଅନ୍ଲାଇନ୍ରେ ଯୋଗାଇଦେବା ପାଇଁ ବିଭାଗ ଦ୍ୱାରା ପୋର୍ଟାଲ ବିକଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଇ ରାଜ୍ୟରେ ବ୍ୟାପକ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଆକର୍ଷଣୀୟ ରିହାତି ଯୋଗାଇ ଦିଆଯାଉଛି ।
ଏଥିସହ ସମନ୍ୱିତ କୃଷିକୁ ଗୁରୁତ୍ୱ ଦିଆଯାଇ କୃଷି ସହ ଆନୁଷଙ୍ଗିକ କୃଷିକୁ ଚାଷୀଙ୍କ ନିମନ୍ତେ ସର୍ବାଧିକ ଆୟର ସୁଯୋଗ ସୃଷ୍ଟି କରାଯାଇଛି । କୃଷିଜାତ ଦ୍ରବ୍ୟର ବିକ୍ରିବଟାର ସୁବିଧା ନିମନ୍ତେ ବଜାର ସଂଯୋଗୀକରଣ କରାଯାଇ କୃଷକଙ୍କ ଆୟବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି । କୃଷକଙ୍କ କଲ୍ୟାଣ ନିମନ୍ତେ ଯୋଜନା ଓ ଭୂମିହୀନ ଚାଷୀଙ୍କୁ ସହଜରେ ଋଣ ଯୋଗାଣ ନିମନ୍ତେ ଯୋଜନା ପ୍ରଣୟନ କରାଯାଇଛି । ଲୋକଙ୍କୁ ପୁଷ୍ଟିଶସ୍ୟ ଯୋଗାଇଦେବା ନିମନ୍ତେ ଓଡ଼ିଶା ମିଲେଟ୍ ମିଶନ ଗଠନ କରାଯାଇଛି । ଏହା ଏକ ମଡେଲ ମିଶନ ଭାବରେ ଭାରତ ସରକାରଙ୍କ ନିତି ଆୟୋଗ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ୍ ଆଗତ କରିବା ସହି କୃଷି ବଜେଟ୍ରେ କ୍ରମାଗତ ବ୍ୟୟବରାଦ ବୃଦ୍ଧି କରିଛନ୍ତି ଏବଂ କୃଷି କ୍ୟାବିନେଟ୍ ଗଠନ କରିଛନ୍ତି । ଏହାର ଫଳସ୍ୱରୂପ କୃଷି ଉତ୍ପାଦନରେ ଆଶାତୀତ ଭାବେ ବୃଦ୍ଧି ପାଇବା ସହ କୃଷକଙ୍କର ସର୍ବାଙ୍ଗୀନ କଲ୍ୟାଣ ସାଧିତ ହୋଇପାରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *