ଯିଏ ମଦ ପିଇବ ସେ ମରିବ

ମଦମୃତୁ୍ୟ ପ୍ରସଙ୍ଗରେ ନୀତୀଶଙ୍କ ବିବାଦୀୟ ମନ୍ତବ୍ୟ
ପାଟନା(ଏଜେନ୍ସି): ବିହାରରେ ସମ୍ପ୍ରତି ବିଷାକ୍ତ ମଦ ମୃତୁ୍ୟଜନିତ ଉଷ୍ମତା ଜାରି ରହିଛି । ଦିନକ ପୂର୍ବେ ବିହାରରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତୁ୍ୟ ହୋଇଥିବା ନେଇ ସମ୍ବାଦ ସାମ୍ନାକୁ ଆସିଥିଲା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ମୃତକଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ଏସବୁ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।
ନୀତୀଶ କହିଛନ୍ତି, ‘ଯିଏ ମଦ ପିଇବ, ସେ ମରିବ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କେବଳ ବିହାର କାହିଁକି, ଅନ୍ୟ ରାଜ୍ୟରେ ମଧ୍ୟ ବିଷାକ୍ତ ମଦ ମୃତୁ୍ୟ ଘଟଣା ଘଟୁଛି ।’ ରାଜ୍ୟ ସରକାର ମଦ ବିକ୍ରିକୁ ନିଷେଧ କରିଥିବା ବେଳେ ଯେଉଁମାନେ ଚୋରାରେ ମଦ ବିକ୍ରି କରୁଛନ୍ତି କିମ୍ବା ଅସତ୍ ଉପାୟରେ ମଦ ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏତଦ୍ବ୍ୟତୀତ ଯେଉଁମାନେ ମଦ ପିଉଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ନୀତୀଶଙ୍କ ଯିଏ ମଦ ପିଇବ, ସେ ମରିବ ମନ୍ତବ୍ୟକୁ ନେଇ ଏବେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ନୀତୀଶଙ୍କ ଇସ୍ତଫା ମଧ୍ୟ ଦାବି ଜୋର ଧରିବା ଆରମ୍ଭ ହୋଇଯାଇଛି ।
ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଅବାଧ ଚୋରା ମଦ ପ୍ରସ୍ତୁତି ତଥା ବିକ୍ରିକୁ ରୋକ୍ ଲଗାଇବା ପରିବର୍ତ୍ତେ ଏପ୍ରକାର ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ପକ୍ଷରୁ କଟାକ୍ଷ କରାଯାଇଛି । ସେହିପରି ନୀତୀଶ ସରକାର ରାଜ୍ୟରେ ମଦ ନିଷେଧକୁ ସଫଳ କରିବାରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରିଛି । ପ୍ରକାଶ, ବିହାରରେ ମଦ କାରବାର ଉପରେ ନିଷେଧାଦେଶ ଲାଗୁ କରାଯାଇଛି । କିନ୍ତୁ ରାଜ୍ୟରେ ବରାବର ଏପ୍ରକାର ବିଷାକ୍ତ ମଦଜନିତ ମୃତୁ୍ୟ ଘଟଣା ଦେଖିବାକୁ ମିଳୁଛି । ସରକାରୀ ରିପୋର୍ଟ ଅନୁସାରେ ଗତ ୬ ବର୍ଷ ମଧ୍ୟରେ ବିହାରରେ ୨ଠ୨ଜଣ କେବଳ ବିଷାକ୍ତ ମଦ ପିଇବା କାରଣରୁ ପ୍ରାଣ ହରାଇଛନ୍ତି । ଏହା ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ପ୍ରତି ବିହାର ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିଜେପି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରଙ୍କୁ ଘେରିଛି । ପ୍ରକାଶ, ୨ଠ୧୬ ରୁ ୨ଠ୨୨ ପର୍ଯ୍ୟନ୍ତ ଅର୍ଥାତ୍ ଗତ ୬ବର୍ଷରେ ଦେଶରେ ବିଷାକ୍ତ ମଦ ପିଇ ୬,୧୭୨ ଜଣଙ୍କର ମୃତୁୂ୍ୟ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *