ଏଲ୍ଏସିରେ ଗର୍ଜିଲା ରାଫେଲ୍

ନୂଆଦିଲ୍ଲୀ (ଏଜେନ୍ସି): ତୱାଙ୍ଗ ବିବାଦ ପରେ ପରେ ଚୀନ୍ ଏବଂ ଭାରତ ମଧ୍ୟରେ ଏବେ ଉତ୍ତେଜନା ଚରମ ସ୍ତରରେ ରହିଛି । ସୀମାରେ ଉଭୟ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଥିବା ବେଳେ ଉଭୟ ଦେଶ ନିଜ ନିଜ ବାୟୁସୀମାରେ ଏୟାର ପାଟ୍ରୋଲିଂ କରୁଛନ୍ତି । ଏଭଳି ସ୍ଥିତି ମଧ୍ୟରେ ଫ୍ରାନ୍ସରୁ ଭାରତକୁ ଆସିଛି ୩୬ତମ ରାଫାଲେ ଯୁଦ୍ଧ ବିମାନ । ଗୁରୁବାର ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ବାୟୁସେନା ଟ୍ୱିଟ୍ ଅନୁସାରେ ରାଫେଲ୍ ବିମାନ ଯୋଗାଣ ପାଇଁ ଫ୍ରାନ୍ସ ସହ ହୋଇଥିବା ଚୁକ୍ତି ଶେଷ ହୋଇଛି । ଭାରତକୁ ଫ୍ରାନ୍ସ ପକ୍ଷରୁ ଅନ୍ତିମ ତଥା ଶେଷ ରାଫାଲେ ଯୁଦ୍ଧ ବିମାନ ହସ୍ତାନ୍ତର କରିଦିଆଯାଇଛି । ଗୁରୁବାର ଭାରତରେ ପହଞ୍ଚôଥିବା ରାଫାଲେ ବିମାନ ଫ୍ରାନ୍ସ ସହ ଡିଲ୍ର ଶେଷ ବିମାନ ଭାବେ ଭାରତରେ ଅବତରଣ କରିଛି । ପଶ୍ଚିମବଙ୍ଗର ହାସିମାରା ଏୟାର ବେସ୍ରେ ଏହି ରାଫାଲକୁ ଲ୍ୟାଣ୍ଡ କରାଯାଇଛି । ଫ୍ରାନ୍ସରୁ ଉଡାଣ ଭରିଥିବା ଏହି ରାଫାଲେ ବିମାନ, ୟୁଏଇ ଆକାଶ ମାର୍ଗରେ ହିଁ ଇନ୍ଧନ ଭର୍ତ୍ତି କରିଥିଲା । ୟୁଏଇ ବାୟୁସେନା ଏନେଇ ସହଯୋଗ କରିଥିଲା । ସେନା ଏହା ମଧ୍ୟ ଦର୍ଶାଇଛି ଯେ, ଖୁବ୍ଶୀଘ୍ର ଏହି ବିମାନକୁ ମଧ୍ୟ ସ୍କ୍ୱାର୍ଡନ୍ରେ ସାମିଲ କରାଯିବ । ୨ଠ୧୬ରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୩୬ ରାଫାଲେ ଲଢ଼ୁଆ ବିମାନ କିଣାବିକା ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୩୬ଟି ରାଫାଲେ ବିମାନ ପାଇଁ ଭାରତକୁ ଫ୍ରାନ୍ସର ଡାସଲ୍ଟ ଏକ ଆଭିଏସନ୍ କମ୍ପାନୀକୁ ମୋଟ୍ ୭.୮୭ ଆରବ ୟୁରୋ ଅର୍ଥାତ୍ ପ୍ରାୟ ୫୯ ହଜାର କୋଟି ଟଙ୍କା ପୈଠ କରିବାକୁ ପଡ଼ିଛି ।
ପ୍ରକାଶ, ବିଶ୍ୱର ସର୍ବାଧିକ ତଥା ଅତ୍ୟାଧୁନିକ ଲଢ଼ୁଆ ବିମାନ ମଧ୍ୟରେ ରାଫାଲେ ଅନ୍ୟତମ । ଚୀନ୍ ଏବଂ ପାକିସ୍ତାନ ପାଖରେ ବର୍ତ୍ତମାନ ସମୟ ସୁଦ୍ଧା ଥିବା ସର୍ବାଧିକ ଅତ୍ୟାଧୁନିକ ଫାଇଟର ପ୍ଲେନ୍ଗୁଡ଼ିକ ତୁଳନାରେ ରାଫାଲେ ବେଶ୍ ଶକ୍ତିଶାଳୀ । ଏହାର ସ୍ପିଡ୍, ଟାର୍ଗେଟ୍ ହିଟିଂ କ୍ଷମତା (୩୭ଠଠ କିମି ଦୂରରୁ ସଠିକ୍ ଟାର୍ଗେଟ୍), ପ୍ରଚୁର ଗୁଳିଗୋଳା ସହ ଏକସଂଗେ ଅନେକ ଅତ୍ୟାଧୁନିକ ମିସାଇଲ୍ଗୁଡ଼ିକୁ ନେଇ ଉଡାଣ ଭରିବାର ସାମର୍ଥ୍ୟ ଏହାକୁ ଅତ୍ୟନ୍ତ ଘାତକ ଫାଇଟର ପ୍ଲେନ୍ର ମାନ୍ୟତା ପ୍ରଦାନ କରୁଛି । ଭାରତକୁ ଆସିଥିବା ୩୬ ରାଫେଲ୍ ବିମାନ ମଧ୍ୟରୁ ୨୮ଟି ବିମାନ ସିଙ୍ଗଲ୍ (ଜଣେ) ପାଇଲଟ୍ ବିଶିଷ୍ଟ ରହିଥିବା ବେଳେ ବାକି ୮ଟି ବିମାନରେ ଦୁଇଜଣ ଫାଇଟର ପାଇଲଟ୍ ବସିବାର ସୁୂବିଧା ରହିଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ଅରୁଣାଚଳପ୍ରଦେଶ ସୀମା ତୱାଙ୍ଗ ଠାରେ ଏବେ ଭାରତୀୟ ବାୟୁସେନା ପକ୍ଷରୁ ଆକାଶ ମାର୍ଗରେ ଶକ୍ତି ପ୍ରଦର୍ଶନ କରାଯାଉଛି । ବାୟୁସେନାର ପୂର୍ବାଞ୍ଚଳ ଏୟାର୍ କମାଣ୍ଡ୍ ପକ୍ଷରୁ ରାଫାଲେ ସମେତ ଅନ୍ୟ ଯୁଦ୍ଧ ବିମାନକୁ ଏଲଏସି ନିକଟରେ ଉଡାଯାଇଛି । ତେବେ ତୱାଙ୍ଗ ଘଟଣା ସହ ଶକ୍ତି ପ୍ରଦର୍ଶନର କୌଣସି ସମ୍ପର୍କ ନଥିବା ଏବଂ କେବଳ କମାଣ୍ଡରେ ସାମିଲ ହୋଇଥିବା ନୂଆ ଫାଇଟର ପାଇଲଟ୍ଙ୍କ ଟ୍ରେନିଂ ଉଦେ୍ଦଶ୍ୟରେ ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କମାଣ୍ଡ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ମଧ୍ୟ ବାୟୁସେନା ପକ୍ଷରୁ ଲଢ଼ୁଆ ବିମାନଗୁଡ଼ିକର ଉଡାଣ ପ୍ର୍ରକ୍ରିୟା ଜାରି ରହିବ ବୋଲି କମାଣ୍ଡ ସ୍ପଷ୍ଟ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *