ଶ୍ରୀଜଗନ୍ନାଥ ମନ୍ଦିରକୁ ଭିକାରୁଣୀ ଦାନ କଲେ ଲକ୍ଷେ
ଫୁଲବାଣୀ, ୧୬ ।୧୨ (ଆପ୍ର): ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନକଲେ ଭିକାରୁଣୀ । ୬୦ ବର୍ଷୀୟା ଏହି ଭିକାରୁଣୀଙ୍କ ନାମ ତୁଳା ବେହେରା । ସେ ଫୁଲବାଣୀ ସହରରେ ଭିକମାଗି ଚଳନ୍ତି । ଏହି ଭିକ ଟଙ୍କା ମଧ୍ୟରୁ କିଛିକିଛି ଟଙ୍କା ତାଙ୍କ ନାମରେ ଥିବା ପୋଷ୍ଟାଲ ଆକାଉଣ୍ଟରେ ଜମା କରୁଥିଲେ । ଏହି ସବୁ ସଞ୍ଚୟ ଟଙ୍କାକୁ ସେ ଆଜି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଦାନ କରିଛନ୍ତି । ଭିକମଗା ଟଙ୍କା ନ ଖାଇ ନ ପିଇ ମୁଁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପାଇଁ ଦାନ କରିଛି । ମୁଁ ଝୁପୁଡ଼ିରେ ରୁହେ । ହେଲେ ମୋ ଠାକୁର ଭବ୍ୟ ମନ୍ଦିରରେ ରହୁ । ତୁଳାଙ୍କର ପ୍ରକୃତ ଘର ହେଉଛି ଚାଉଳିଆଗଞ୍ଜ ଅଞ୍ଚଳରେ । ସେ କନ୍ଧମାଳ ଜିଲ୍ଲା ପ୍ରଫୁଲ୍ଲ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ପରେ ପ୍ରଫୁଲ୍ଲଙ୍କର ମୃତୁ୍ୟ ପରେ ସେ ଭିକମାଗୀ ଚଳୁଥିଲେ । ମୋ ସ୍ୱାମୀଙ୍କର ବହୁ ବର୍ଷତଳୁ ମୃତୁ୍ୟ ଘଟିଛି । ମୋର ପୁଅ-ଝିଅ ବି କେହି ନାହାନ୍ତି । ତେଣୁ ମୁଁ ଟଙ୍କା ରଖି କ’ଣ କରିବି । ତେଣୁ ଶ୍ରୀଜଗନ୍ନାଥଙ୍କୁ ଟଙ୍କା ଦାନ କରିଦେଇଛି । ଠାକୁରଙ୍କ ଉପରେ ମୋର ଭରସା ରହିଛି ।
ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସଭାପତି ସୁନାଶୀର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଏବଂ ଅନ୍ୟ ସଦସ୍ୟମାନେ ଏହି ଦାନ ଅର୍ଥକୁ ଗ୍ରହଣ କରିବା ସହ ତୁଳାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ତୁଳାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର କମିଟିର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଅନ୍ୟପଟେ ତାଙ୍କ ମୃତୁ୍ୟ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବହନ କରିବାକୁ ମନ୍ଦିର କମିଟି ଦାୟିତ୍ୱ ନେଇଥିବା ସୂଚନା ଦେଇଛନ୍ତି କମିଟିର ସଦସ୍ୟ ରଜତ କୁମାର ମହାନ୍ତି ।