ଋଷିକୁଲ୍ୟାରୁ ବାଲି ଚାଲାଣ
ହିଞ୍ଜିଳିକାଟୁ (ଆପ୍ର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତହସିଲ ଅଧୀନ ଶିକିରି, ଖରିଡ଼ା, ଚାନ୍ଦୁଲି, ନନ୍ଦିକ ପ୍ରଭୃତି ଅଞ୍ଚଳରେ ଋଷିକୁଲ୍ୟା ନଦୀରୁ ବାଲି ଚାଲାଣ, ବିଭିନ୍ନ ଇଟାଭାଟି ପାଇଁ ମାଟି ହଡ଼ପ ଓ ନଦୀ ପଥକୁ ସଙ୍କୁଚିତ କରି ସରକାରୀ ଜାଗା ହଡ଼ପ ଭଳି ଗୁରୁତର ଅଭିଯୋଗ ହୋଇଛି । ଏଥିରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ଭୂମିକା ସନେ୍ଦହଜନକ ବୋଲି ସାଧାରଣରେ ଅଭିଯୋଗ ହେଉଛି । କିଛି ଅସାଧୁ ବେପାରୀ ଓ ପ୍ଲଟ ବ୍ୟବସାୟୀଙ୍କ ଦ୍ୱାରା ବଶୀଭୂତ ହୋଇ ରାଜସ୍ୱ କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ପ୍ଲଟ୍ ବେପାରୀ ବେଧଡ଼କ ଭାବେ ଜମିକୁ ମାଟି ମୋରମ ପକାଇ ପ୍ଲଟ୍ରେ ପରିଣତ କରୁଥିଲେ ମଧ୍ୟ ରାଜସ୍ୱ ଅଧିକାରୀଙ୍କ ନୀରବତା ଦେଇ ସାଧାରଣରେ ପ୍ରଶ୍ନ ଉଠୁଛି । ମଠ ମନ୍ଦିର ଜମି ସହ ପାହାଡ଼, ସର୍ବସାଧାରଣ ନାଳ, କେନାଲ ହୁଡ଼ା ଆଦିକୁ ଅକ୍ତିଆର କରି ବେଧଡ଼କ ପ୍ଲଟିଂ ଚାଲିଛି ।
ହିଞ୍ଜିଳିକାଟୁ ତହସିଲ ତଥା ଶିକିରି ରାଜସ୍ୱ ସର୍କଲ ଅର୍ନ୍ତଗତ ଋଷିକୂଲ୍ୟା ନଦୀ ହୀରାଧରବାଟି ଆନିକଟ ନିକଟରେ ବେଆଇନ ଭାବେ ଇଟାଭାଟି ନିର୍ମାଣ ହୋଇ ପରିବେଶ ପ୍ରଦୂଷଣ ହେଉଛି । ଇଟା ପାଇଁ ବିଭିନ୍ନ ସ୍ଥାନରୁ ଶହ ଶହ ଟିପ୍ ମାଟି ବୁହାହେଉଛି । ମାଟି ପାଇଁ ରୟାଲଟି କାଟିବା ବାଧ୍ୟତାମୂଳକ ଥିବା ସତ୍ତ୍ୱେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି କରି ବେପାରୀ ଅନିୟମିତ କାର୍ଯ୍ୟ କରିଚାଲିଛନ୍ତି । କେବଳ ସେତିକି ନୁହେଁ, ଇଟାଭାଟି ମାଲିକ ବଳପୂର୍ବକ ଉକ୍ତ ଅଞ୍ଚଳ ନିକଟବର୍ତ୍ତୀ ବିଭିନ୍ନ ସରକାରୀ ସ୍ଥାନ ଓ ନଦୀ ହୁଡ଼ାକୁ ସଙ୍କୁଚିତ କରି ମାଟି ଚୋରାଇ ନେଇଛନ୍ତି । ଅନ୍ୟ ପକ୍ଷରେ ଇଟାଭାଟିର ଅବଶେଷ ଓ କୁଢ଼ କୁଢ଼ ମଇଳାକୁ ନଦୀର ବିସ୍ତୀର୍ଣ୍ଣ ଅଞ୍ଚଳରେ ପକାଇ ଉକ୍ତ ସ୍ଥାନକୁ ସମତୁଲ କରି ବେଆଇନ ଜାଗା ଅକ୍ତିଆର କରିଛନ୍ତି । ବଳ ଓ ଧମକ ଦେଖାଇ ବେଆଇନ ଭାବେ ଋଷିକୁଲ୍ୟା ପଠାରୁ ପ୍ରତିଦିନ ଜେସିବି ଦ୍ୱାରା ବାଲି ଉଠାଇ ଇଟାଭାଟି, ସରକାରୀ ଜାଗା ଓ ରାସ୍ତାକଡ଼ରେ ମହଜୁଦ କରିଛନ୍ତି । କେ୨ ଫର୍ମ ନ ଥାଇ ହାଇୱା, ଟ୍ରକ ଓ ଟ୍ରାକ୍ଟରରେ ନଦୀ ବାଲି ଚୋରା ଚାଲାଣ ଚାଲିଛି । ଘଟଣା ନେଇ ଶିକିରି ରାଜସ୍ୱ ଅଧିକାରୀ ଗୌତମ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏସଂପର୍କରେ ଜାଣି ନ ଥିବା କହିଥିଲେ । ଘଟଣା ସମ୍ପର୍କରେ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅନୁସନ୍ଧାନ ଟିମ୍ ଯାଇ ଦେଖିଛନ୍ତି, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ହୀରାଧରବାଟିଠାରେ ବେଆଇନ ଇଟାଭାଟି ନିର୍ମାଣ ଓ ମାଟି ଚାଲାଣ, ବେଆଇନ ନଦୀ ବାଲି ମହଜୁଦ ଘଟଣା ସହ ନଦୀ ପଥକୁ ସଙ୍କୁଚିତ କରି ସରକାରୀ ଜାଗା ଦଖଲର ତଦନ୍ତ ହେବ ବୋଲି ତହସିଲଦାର ପରିଡ଼ା କହିଛନ୍ତି । ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନଦୀବାଲି, ମାଟି ମୋରମ ବେଆଇନ ଚାଲାଣ ସର୍ବକାଳୀନ କଳାବାରବାର ରେକର୍ଡ କରିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।