ବାଂଲା ବ୍ୟାଟିଂକୁ ଧ୍ୱସ୍ତ କଲେ କୁଲଦୀପ, ସିରାଜ୍

ପ୍ରଥମ ଟେଷ୍ଟ, ଦ୍ୱିତୀୟ ଦିବସ
ଚଟ୍ଟୋଗ୍ରାମ, ୧୫ା୧୨ (ଏଜେନ୍ସି): ଟିମ୍ ଇଣ୍ଡିଆ ଗୁରୁବାର ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ନିଜ ସ୍ଥିତିକୁ ମଜଭୁତ କରିପାରିଛି । ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଓ ପେସର୍ ମହମ୍ମଦ ସିରାଜ୍ଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ବାଂଲାଦେଶ ଷ୍ଟମ୍ପ୍ସ ଅପସାରଣ ବେଳକୁ ୮ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିଛି । ଆୟୋଜକ ଟିମ୍ ଉପରେ ଏବେ ଫଲୋଅନ୍ ବିପଦ ଦେଖାଦେଇଛି ।
ଭାରତ ପ୍ରଥମ ଇନିଂସ୍ରେ ୪୦୪ ରନ୍ର ସ୍କୋର୍ ଛିଡ଼ା କରିଥିବା ବେଳେ ଫଲୋଅନ୍ ଏଡ଼ାଇବା ପାଇଁ ବିପକ୍ଷ ଟିମ୍କୁ ଆହୁରି ୭୨ ରନ୍ ଆବଶ୍ୟକ । ମେହଦୀ ହସନ ମିରାଜ ୧୬ ଓ ଇବାଦତ ହୋସେନ୍ ୧୩ ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ବାମହାତି ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ୩୩ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ସିରାଜ ୧୪ ରନ୍ ଦେଇ ୩ ଓ ଉମେଶ ୩୩ ରନ୍ ଦେଇ ଗୋଟିଏ ୱିକେଟ୍ ପାଇଥିଲେ ।
ଜହୁର ଅହମଦ ଚୌଧୁରୀ ଷ୍ଟାଡିୟମ୍ରେ ଦ୍ୱିତୀୟ ଦିନର ପ୍ରଥମ ସତ୍ର ଭାରତ ନାଁରେ ରହିଥିଲା । ଏହି ସତ୍ରରେ ବ୍ୟାଟର୍ମାନେ ୭୦ ରନ୍ ଯୋଗ କରିଥିବା ବେଳେ ଗୋଟିଏ ୱିକେଟ୍ ପଡ଼ିଥିଲା । ଭାରତୀୟ ଟିମ୍ ୨୭୮/୬ ସ୍କୋର୍ରୁ ଅସମାପ୍ତ ପ୍ରଥମ ଇନିଂସ୍ ଆରମ୍ଭ କରିଥିଲା । ପୂର୍ବ ଦିନ ଅପରାଜିତ ଥିବା ଶ୍ରେୟାସ ଆୟରଙ୍କ ସହ ରବିଚନ୍ଦ୍ରନ୍ ଅଶ୍ୱିନ ବ୍ୟାଟିଂ କରିବାକୁ ଆସିଥିଲେ । ତେବେ ଆୟର (୮୬) ଆଉ ବେଶୀ ବାଟ ଯାଇପାରି ନ ଥିଲେ ଏବଂ ନିଜ ସ୍କୋର୍ରେ ମାତ୍ର ୪ ରନ୍ ଯୋଗ କରି ଇବାଦତଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହାପରେ ଅଶ୍ୱିନ ନୂଆ ବ୍ୟାଟର୍ କୁଲଦୀପଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଭୋଜନକାଳ ବିରତି ସୁଦ୍ଧା ସ୍କୋର୍ ୩୪୮/୭ ହୋଇଥିଲା । ଦ୍ୱିତୀୟ ସତ୍ରରେ ଅଶ୍ୱିନ ୯୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଅଷ୍ଟମ ୱିକେଟ୍ ପାଇଁ ୯୨ ରନ୍ର ଭାଗୀଦାରୀ ହୋଇଥିଲା । ଅଶ୍ୱିନ ବ୍ୟକ୍ତିଗତ ୫୮ ରନ୍ରେ ମେହଦୀଙ୍କ ବଲ୍ରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ ।
କୁଲଦୀପ ୪୦ ରନ୍ର ଉପଯୋଗୀ ଇନିଂସ୍ ଖେଳି ତାଇଜୁଲ୍ ଇସ୍ଲାମଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ସିରାଜ୍ ୪ ରନ୍ କରି ମେହଦୀଙ୍କ ବଲ୍ରେ ଶେଷ ବ୍ୟାଟର୍ ଭାବେ ପାଭିଲିଅନ୍ ଫେରିଥିଲେ । ଉମେଶ ୧୫ ରନ୍ କରି ଅପରାଜିତ ଥିଲେ । ଭାରତୀୟ ଟିମ୍ ୧୩୩.୫ ଓଭର୍ରେ ୪୦୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ବିପକ୍ଷ ବୋଲର୍ ତାଇଜୁଲ୍ ଓ ମେହଦୀ ଉଭୟ ୪ ଲେଖାଏଁ ଏବଂ ଇବାଦତ ଓ ଖଲିଦ ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ବାଂଲାଦେଶ ଟିମ୍ ଭାରତୀୟ ବୋଲର୍ଙ୍କ ସାମ୍ନା କରି ନ ପାରି ୭୫ ରନ୍ରେ ଅଧା ଖେଳାଳିଙ୍କୁ ହରାଇଥିଲା । ଟିମ୍ ମାତ୍ର ୫ ରନ୍ରେ ୨ ୱିକେଟ୍ ହରାଇ ଆଦ୍ୟ ସଙ୍କଟର ସମ୍ମୁଖୀନ ହୋଇଥିଲା । ଓପନର୍ ନଜମୁଲ ହୋସେନ୍ ଶାଣ୍ଟୋ ଖାତା ଖୋଲି ନ ପାରି ସିରାଜଙ୍କ ବଲ୍ରେ ଓ ୟାସିର ଅଲୀ ୪ ରନ୍ କରି ଯାଦବଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଅନ୍ୟତମ ଓପନର୍ ଜାକିର ହସନ ପରବର୍ତ୍ତୀ ବ୍ୟାଟର୍ ଲିଟ୍ଟନ୍ ଦାସଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । କିନ୍ତୁ ଏହି ଯୋଡ଼ି ବି ବେଶୀ ବାଟ ଯାଇ ନ ଥିଲା । ଲିଟ୍ଟନ୍ ୨୪ ରନ୍ କରି ସିରାଜ୍ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ଅଳ୍ପ ରନ୍ ବ୍ୟବଧାନରେ ୱିକେଟ୍ ପତନ ଅବ୍ୟାହତ ରହିଥିଲା । ଜାକିର (୨୦) ବି ସିରାଜଙ୍କ ଆକ୍ରମଣରୁ ବର୍ତ୍ତି ନ ଥିଲେ । ଏହାପରେ କୁଲଦୀପଙ୍କ ଯାଦୁ ଦେଖିବାକୁ ମିଳିଥିଲା । ତାଙ୍କ ପ୍ରଥମ ଶିକାର ହୋଇଥିଲେ ଅଧିନାୟକ ଶାକିବ୍ ଅଲ୍ ହସନ୍ ।
ନରୁଲ୍ ହସନ୍ ୧୬, ମୁଶଫିକର ରହିମ୍ ୨୮ ଓ ତାଇଜୁଲ୍ ଇସ୍ଲାମ୍ ଖାତା ଖୋଲି ନ ପାରି କୁଲଦୀପଙ୍କ ସ୍ପିନ୍ ଜାଲରେ ପଡ଼ିଥିଲେ । ବାଂଲାଦେଶ ପ୍ରଥମ ଇନିଂସ୍ରେ ୪୪ ଓଭର୍ ଖେଳି ୮ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *