ଜଳିଗଲା ୧ଠ କୋଟି ଟଙ୍କାର କାଠ

ପୁରୀ (ବୁ୍ୟରୋ): ପୁରୀରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦କୋଟି ଟଙ୍କାର କାଠ ଜଳିପୋଡ଼ି ପାଉଁଶ ହୋଇଛି । ଏହି ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି । ଏପରିକି ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇପାରି ନ ଥିଲେ । ରାତିତମାମ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ସକାଳ ପର୍ଯ୍ୟନ୍ତ କାଠ ଗୋଦାମରେ ନିଆଁ ହୁ ହୁ ହୋଇ ଜଳିବାକୁ ଲାଗିଥିଲା । ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ଅଗ୍ନିଶମ କର୍ମଚାରୀ ।
ଏହି ଭୟାବହ ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବାବେଳେ ପଡ଼ୋଶୀଙ୍କ ଘରର କାନ୍ଥ ଫାଟି ଯାଇଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡକୁ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରିବାରେ ଫେଲ୍ ମାରିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।
ସୂଚନାଯୋଗ୍ୟ, ନବକଳେବର ରୋଡ୍ରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ କାଠଗୋଲାରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ କ୍ଷଣିକ ମଧ୍ୟରେ ଗୋଟିଏ କାଠଗଣ୍ଡିରୁ ଅନ୍ୟ କାଠଗଣ୍ଡିକୁ ନିଆଁ ସ୍ପର୍ଶ କରିଯାଇଥିଲା । ଦୀର୍ଘ ସମୟ ଧରି ହୁ ହୁ ଜଳିବାକୁ ଲାଗିଲା । ନିଆଁର ଆଲୋକରେ ସ୍ଥାନୀୟ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ପରେ ପରେ ଖବର ପାଇଁ ଜିଲ୍ଲା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପାଣି ସିଞ୍ଚନ କରିଥିଲେ ସୁଦ୍ଧା ନିଆଁ ଲିଭାଇବାରେ ସଫଳ ହୋଇପାରି ନ ଥିଲେ । ଏହି ଅଗ୍ନିକାଣ୍ଡରେ ଶାଳ, ପିଆଶାଳ, ଶାଗୁଆନ ଭଳି ମୂଲ୍ୟବାନ କାଠ ସମେତ ଅନ୍ୟାନ୍ୟ କାଠ ଜଳି ଯାଇଥିଲା । ଅଗ୍ନିକାଣ୍ଡ କିପରି ଘଟିଲା ତାହାକୁ ନେଇ ସହରରେ ଚର୍ଚ୍ଚା ଜୋର୍ ଧରିଛି । ଗୋଟିଏପଟେ ସଟ୍ସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା କେତେଜଣ କହୁଥିବା ବେଳେ ଅନ୍ୟକେତକ ଏହା ଯୋଜନାବଦ୍ଧ ଭାବେ ନିଆଁ ଲଗାଇ ଦେଇଥିବା ନେଇ ଆଲୋଚନା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *