ବୃହତ୍ ବିଜୟ ସହ ଭାରତ ଫାଇନାଲ୍ରେ
ତୃତୀୟ ଟି-୨୦ କ୍ରିକେଟ୍ ବିଶ୍ୱକପ୍
ବେଙ୍ଗାଲୁରୁ, ୧୫ା୧୨ (ଏଜେନ୍ସି): ଅଜୟ କୁମାର ରେଡ୍ଡୀ ଓ ସୁନୀଲ୍ ରମେଶଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଗୁରୁବାର ଖେଳାଯାଇଥିବା ତୃତୀୟ ଟି-୨୦ କ୍ରିକେଟ୍ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୨୦୭ ରନ୍ରେ ପରାସ୍ତ କରିଛି । ଶନିବାର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ହେବାକୁ ଥିବା ଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ଅନ୍ୟ ଏକ ସେମିଫାଇନାଲ୍ରେ ବାଂଲାଦେଶ ୬୪ ରନ୍ରେ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା ।
ଅଧିନାୟକ ଅଜୟ ଦ୍ରୁତ ୮୧ ରନ୍ କରିବା ସହିତ ୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ସୁନୀଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଶତକ ଲଗାଇବା ସହିତ ଗୋଟିଏ ୱିକେଟ୍ ବି ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୩୩୭ ରନ୍ ସଂଗ୍ରହ କରିଥିଲା । ମାତ୍ର ଚାରି ଓଭର୍ ମଧ୍ୟରେ ଦୁଇ ଓପନର୍ – ଲୋକେଶ ଓ ଏ. ରବିଙ୍କ ୱିକେଟ୍ ହରାଇଥିଲା ଟିମ୍ । ସେତେବେଳେ ସ୍କୋର୍ ହୋଇଥିଲା ୫୦ ରନ୍ । ରବି ୩୦ ରନ୍ କରିଥିଲେ । ଷଷ୍ଠ ଓଭର୍ରେ ସୁଜିତ ମୁଣ୍ଡା ୧୪ ରନ୍ କରି ଆଉଟ୍ ହୋଇଥିଲେ ।
ଏହାପରେ ଅଜୟଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ସୁନୀଲ । ଉଭୟ ଦମ୍ଦାର ପ୍ରଦର୍ଶନ କରି ଚତୁର୍ଥ ୱିକେଟ୍ ପାଇଁ ୧୪୪ ରନ୍ର ବଡ଼ ଭାଗୀଦାରୀ କରିଥିଲେ । ଅଜୟ କେତେକ ଆକ୍ରମଣାତ୍ମକ ସଟ୍ ଖେଳି ୧୨ ବାଉଣ୍ଡାରୀ ସହାୟତାରେ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୨୯ ବଲ୍ରୁ ୧୭ ବାଉଣ୍ଡାରୀ ସହାୟତାରେ ୮୧ ରନ୍ କରି ଇନିଂସ୍ରୁ ରିଟାୟର୍ଡ ନେଇଥିଲେ । ଅନ୍ୟପଟେ, ନେପାଳ ବିପକ୍ଷରେ ଶତକ ହାସଲ କରିଥିବା ସୁନୀଲ ଦକ୍ଷିଣ ଆଫ୍ରିକୀୟ ବୋଲର୍ଙ୍କ ବଲ୍ରେ ନିର୍ଘାତ ପ୍ରହାର କରିଥିଲେ । ସେ ମାତ୍ର ୪୭ ବଲ୍ରୁ ୧୭ ବାଉଣ୍ଡାରୀ ଓ ୩ ଛକା ସହାୟତାରେ ୧୧୦ ରନ୍ କରି ରିଟାୟର୍ଡ ନେଇଥିଲେ ।
ଏହାପରେ ଉପ-ଅଧିନାୟକ ଡି. ଭେଙ୍କଟେଶ୍ୱର ରାଓ ଓ ୱିକେଟ୍କିପର୍-ବ୍ୟାଟର୍ ପ୍ରକାଶ ଜୟରମୈ÷ଆ ଦ୍ରୁତ ରନ୍ ଦେଇ ଇନିଂସ୍କୁ ୩୦୦ ଅତିକ୍ରମ କରାଇଥିଲେ । ପ୍ରକାଶ ୧୨ ବଲ୍ରୁ ୨୨ ଓ ଭେଙ୍କଟେଶ୍ୱର ୬ ବଲ୍ରୁ ୧୮ ରନ୍ କରି ଅପରାଜିତ ଥିଲେ ।
ଜବାବରେ ଦକ୍ଷିଣ ଆଫ୍ରିକା ୧୯.୫ ଓଭର୍ରେ ୧୩୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ଭୁଲେ ଭିଡ଼ଲା ସର୍ବାଧିକ ୩୩, ଲ୍ୱଣ୍ଡେ ଭିଡ଼ଲା ୨୩ ରନ୍ କରିଥିଲେ । ଭାରତ ପକ୍ଷରୁ ଅଜୟ ୧୩ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ପ୍ରବୀଣ କୁମାର, ସୁନୀଲ, ସୁଜିତ ମୁଣ୍ଡା ଓ ଲୋକେଶ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ଦ୍ୱିତୀୟ ସେମିଫାଇନାଲ୍ରେ ବାଂଲାଦେଶ ଧାର୍ଯ୍ୟ ୧୭ ଓଭର୍ରେ ୩ ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଥିଲା । ମହମ୍ମଦ ଆଶିକୁର ରହମାନ ୭୦, ସଲମାନ ୬୧ ରନ୍ କରିଥିଲେ । ଜବାବରେ ଶ୍ରୀଲଙ୍କା ଟିମ୍ ୧୪.୩ ଓଭର୍ରେ ୧୨୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ରୁୱାନ ବସନ୍ତ ସର୍ବାଧିକ ୨୪ ରନ୍ କରିଥିବା ବେଳେ ବିପକ୍ଷ ବୋଲର୍ ଆଶିକୁର ୨ ୱିକେଟ୍ ନେଇଥିଲେ ।