ଓଡ଼ିଶାରେ ଲାଗୁ ହେଉ ଆୟୁଷ୍ମାନ ଭାରତ ଯୋଜନା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ବିଜେପି ସାଂସଦ, ମନ୍ତ୍ରୀ
ଭୁବନେଶ୍ୱର/ନୂଆଦିଲ୍ଲୀ (ବୁ୍ୟରୋ): ବର୍ତ୍ତମାନ ସଂସଦ ଅଧିବେଶନ ଚାଲିଥିବାବେଳେ ରାଜ୍ୟର ୩ ବିଜେପି ମନ୍ତ୍ରୀଙ୍କ ସହ ସମସ୍ତ ବିଜେପି ସାଂସଦ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ସାକ୍ଷାତ କରିଛନ୍ତି । ଓଡ଼ିଶାରେ ଖୁବ୍ ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତୀଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
ସେମାନେ ଦର୍ଶାଇଛନ୍ତି, ୨୦୧୯-୨୦ ଆର୍ଥିକ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ପ୍ରଦର୍ଶନ ତୁଳନାରେ ୧୯ ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନରେ ଥିଲା, ଯାହା ପଡୋଶୀ ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟଠାରୁ କମ୍ । ୨୦୧୪ ପରଠୁ ନବଜାତ ମୃତୁ୍ୟହାର, ଶିଶୁ, କିଶୋର, ମହିଳାଙ୍କ ମଧ୍ୟରେ ରକ୍ତହୀନତାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ । ଓଡ଼ିଶାରେ ନୂଆ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ ଓ ଗ୍ରାମାଞ୍ଚଳରେ ପ୍ରାୟ ୪୦% ଡାକ୍ତର ପଦ ଖାଲିପଡ଼ିଛି । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ଅଧିକାଂଶ ପ୍ରବାସୀ ଓଡ଼ିଆ ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି ।
ଦେଶର ୨୦ ରାଜ୍ୟରେ ଆୟୁଷ୍ମାନ ଯୋଜନା ସମେତ ରାଜ୍ୟର ନିଜସ୍ୱ ଯୋଜନା ସମାନ୍ତରାଳ ଭାବେ କାର୍ଯ୍ୟକାରୀ ହେଉଛି । ଏହା ଦ୍ୱାରା ୨୦୧୧ର ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା-ଏସଇସିସି ତାଲିକା ବାହାରେ ଥିବା ଲୋକମାନେ ମଧ୍ୟ ସ୍ୱାସ୍ଥ୍ୟବୀମାର ଲାଭ ପାଇପାରିବେ । ରାଜ୍ୟ ନିଜ ପାଣ୍ଠିରୁ ଅଧିକ ଲୋକ ଯୋଡ଼ି ପାରିବ । ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ସରକାର ଆୟୁଷ୍ମାନ ଭାରତକୁ ନିଜ ଯୋଜନାରେ ମିଶାଉନଥିବାରୁ ରାଜ୍ୟ ଆର୍ଥିକ କ୍ଷତି ସହୁଛି ବୋଲି ଏହି ଅବସରରେ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *