ଅଗ୍ନି-୫ର ନାଇଟ୍ ଟ୍ରାଏଲ୍ ସଫଳ
ବାଲେଶ୍ୱର/ନୂଆଦିଲ୍ଲୀ, ୧୫ା୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଯୋଗୁଁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଉତ୍ତେଜନା ଲାଗି ରହିଥିବାବେଳେ ଗୁରୁବାର ସନ୍ଧ୍ୟାରେ ଭାରତ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିପାରୁଥିବା ଅତି ଶକ୍ତିଶାଳୀ ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ୍ର ନାଇଟ୍ ଟ୍ରାଏଲ୍ କରିଛି । ପରମାଣୁ ଅସ୍ତ୍ର ବହନକ୍ଷମ ‘ଅଗ୍ନି’ ଶୃଙ୍ଖଳାର ଏହି ସର୍ବାଧୁନିକ କ୍ଷେପଣାସ୍ତ୍ର ୫ହଜାର କିଲୋମିଟର ମଧ୍ୟରେ ଯେକୌଣସି ସ୍ଥାନକୁ ଟାର୍ଗେଟ୍ କରିପାରିବ । ଅଗ୍ନି-୫ର ଟାର୍ଗେଟ୍ ରେଞ୍ଜ୍ରେ ବିଜିଂ, ଶଂଘାଇ, ଗ୍ୱାଙ୍ଗଝାଉ ଓ ହଂକଂ ସମେତ ସମଗ୍ର ଚୀନ୍ ତଥା ରୁଷିଆ ରହୁଛି । ଗୁରୁବାର ସନ୍ଧ୍ୟାରେ ଅଗ୍ନି-୫ ନାଇଟ୍ ଟ୍ରାଏଲ୍ର ଝଲକ ବାଲେଶ୍ୱର, ପାରାଦୀପ, ପୁରୀ ପ୍ରଭୃତି ସ୍ଥାନକୁ ଦୃଶ୍ୟମାନ ହୋଇଥିଲା ।
ପ୍ରତିରକ୍ଷା ବିଭାଗ ସୂତ୍ର ଅନୁଯାୟୀ ଅଗ୍ନି-୫ରେ ତିନି ପର୍ଯ୍ୟାୟରେ ସଞ୍ଚାଳିତ ହେଉଥିବା ସଲିଡ୍ ଫୁ୍ୟଏଲ୍ ଇଞ୍ଜିନ୍ ଲାଗିଛି । ଓଡିଶାର ଧାମରା ନିକଟ ଅବଦୁଲ୍ କଲାମ୍ ଦୀପସ୍ଥିତ ପରୀକ୍ଷଣ କେନ୍ଦ୍ରର ୪ନଂ ଲଞ୍ଚ୍ ପ୍ୟାଡ୍ରୁ ଗୁରୁବାର ସନ୍ଧ୍ୟା ୫.୪୫ମିନିଟ୍ରେ ଅଗ୍ନି-୫ ଉତ୍କ୍ଷେପଣ କରାଯାଇଥିଲା । ଏଥିରେ ଡମି ୱାର୍ହେଡ୍ର ଉପଯୋଗ ସହ ନୂଆ ପ୍ରଯୁକ୍ତି ଓ ଉପକରଣର ମଧ୍ୟ ପରୀକ୍ଷଣ କରାଯାଇଥିଲା । ଅଗ୍ନି-୫ ପୂର୍ବାପେକ୍ଷା ହାଲୁକା ହୋଇଛି ।
ଆବଶ୍ୟକ ହେଲେ ଏହାର ରେଞ୍ଜ୍ ୮ହଜାର କିମି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ବୋଲି ଗୁରୁବାର ପରୀକ୍ଷଣରୁ ପ୍ରମାଣିତ ହୋଇଛି ।
ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ) ଏବଂ ଭାରତ ଡାଇନୋମିକ୍ସ ଲିମିଟେଡ୍ର ମିଳିତ ଉଦ୍ୟମରେ ଅଗ୍ନି ଶୃଙ୍ଖଳାର ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ବିକଶିତ ହୋଇଛି । ଅଗ୍ନି-୫ର ଉଚ୍ଚତା ୧୭ମିଟର, ବ୍ୟାସ୍ ୨ମିଟର ଏବଂ ଓଜନ ୫୦ ଟନ୍ । ଏହା ଦେଢ ଟନ୍ ଓଜନର ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ । ଅଗ୍ନି-୫ର ଘଣ୍ଟା ପ୍ରତି ବେଗ ୨୪ ମାଚ୍ (ଶବ୍ଦ ବେଗର ୨୪ ଗୁଣ) ।
ଅଗ୍ନି-୫ ଭାରତର ସବୁଠାରୁ ଘାତକ କ୍ଷେପଣାସ୍ତ୍ର । ଏହିପ୍ରକାର ବାଲିଷ୍ଟିକ୍ ମିସାଇଲ୍ ପ୍ରଣାଳୀ ଭାରତ ଛଡା ମାତ୍ର ୫ଟି ଦେଶ ଯଥା- ଆମେରିକା, ଚୀନ୍, ରୁଷ୍, ଫ୍ରାନ୍ସ ଓ ଉତ୍ତର କୋରିଆ ପାଖରେ ଅଛି । ଅଗ୍ନି ଶୃଙ୍ଖଳାର ପ୍ରଥମ ପରୀକ୍ଷଣ ହୋଇଥିଲା ୨୦୧୨ରେ । ଏହାପରେ ୨୦୧୩, ୨୦୧୫, ୨୦୧୬, ୨୦୧୮ ଓ ୨୦୨୧ରେ ପରୀକ୍ଷଣ ସମ୍ପନ୍ନ ହୋଇଥିଲା । ବିଭିନ୍ନ ଅଗ୍ନି କ୍ଷେପଣାସ୍ତ୍ର ରେଞ୍ଜ୍ ହେଉଛି ୧ର ୭୦୦କିମି, ୨ର ଦୁଇ ହଜାର କିମି, ୩ର ଅଢେଇ ହଜାର କିମି । ପାକିସ୍ତାନ ବିରୋଧରେ ପ୍ରସ୍ତୁତ ରଣନୀତି ଅନୁଯାୟୀ ଏସବୁକୁ ତିଆରି କରାଯାଇଥିଲା । ଅଗ୍ନି-୪ ଓ ଅଗ୍ନି-୫ ମୁଖ୍ୟତଃ ଚୀନ୍କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି ।