ବେଞ୍ଚ୍ ଦାବିରେ ପୂର୍ଣ୍ଣଚ୍ଛେଦ
ଭୁବନେଶ୍ୱର, ୧୪ା୧୨ (ବୁ୍ୟରୋ): ଦୀର୍ଘ ଦଶନ୍ଧି ଧରି ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଚାଲିଥିବା ଆନେ୍ଦାଳନ, ବିବାଦ, ରାଜନୀତିକ ଛକାପଞ୍ଝା ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ପରସ୍ପରକୁ ଦୋଷାରୋପ ଆଦିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କଟକରୁ ହାଇକୋର୍ଟ ସ୍ଥାନାନ୍ତର ପାଇଁ ହେଉଥିବା ଦାବି ଉପରେ ମଧ୍ୟ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ଓଡ଼ିଶାର ବିଭିନ୍ନ ଭାଗରେ ହେଉଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ସହ ହାଇକୋର୍ଟ ସ୍ଥାନାନ୍ତର ଦାବି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ନିର୍ବାଚନ ସମୟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗ ରାଜନୀତିକ ଦଳଗୁଡ଼ିକ ବିଶେଷକରି ଶାସକ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଶାନ କୌଲ ଓ ଜଷ୍ଟିସ ଅଭୟ ଏସ୍ ଓକାଙ୍କ ଖଣ୍ଡପୀଠ ବୁଧବାର ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଦାବି ଓ ସମ୍ଭାବନା ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଖଣ୍ଡପୀଠ କଠୋର ଆଭିମୁଖ୍ୟ ପୋଷଣ କରି କହିଛନ୍ତି, ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନର ବାରମ୍ବାର ଦାବି ହିଂସା ପାଇଁ ପ୍ରୋତ୍ସାହିତ କରୁଛି । ବର୍ତ୍ତମାନର ଟେକ୍ନୋଲଜି ସହାୟତାରେ ଓଡ଼ିଶାର ଯେକୌଣସି ଜିଲ୍ଲା କୋର୍ଟରେ ରହି ଜଣେ ଓଡ଼ିଶା ହାଇକୋର୍ଟରେ କେସ୍ ଫାଇଲ କରିବା ସହ ହାଜର ମଧ୍ୟ ହୋଇପାରିବ । ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଏଭଳି ଇ-କୋର୍ଟର ଇକୋସିଷ୍ଟମ ମଧ୍ୟ ସୃଷ୍ଟି ହୋଇଛି । ତେଣୁ ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ । ଏହାସହ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲ ଅରବିନ୍ଦ ପତ୍ତିଦାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ପ୍ରତ୍ୟେକ ଜିଲ୍ଲା କୋର୍ଟରେ ଭିଡିଓ କନଫରେନ୍ସିଂ ସୁବିଧା ସହ ଗୋଟିଏ ରୁମ୍ ଓ ଏହାକୁ ଲାଗି ଗୋଟିଏ ଅଫିସ୍ ରହିଲେ ଯେକୌଣସି ମାମଲାରେ ଇ-ଫାଇଲିଂ ସୁବିଧା ମିଳିପାରିବ ତଥା ଆସନ୍ତା ୩ମାସ ମଧ୍ୟରେ ଏହି ସୁବିଧା ପ୍ରତ୍ୟେକ ଜିଲ୍ଲା କୋର୍ଟରେ କରିବା ପାଇଁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ଓଡ଼ିଶାର ବିଭିନ୍ନ ଭାଗରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଓ ହାଇକୋର୍ଟ ସ୍ଥାନାନ୍ତର ପାଇଁ ହୋଇ ଆସୁଥିବା ଦାବି ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲ ଶ୍ରୀ ଦତ୍ତାଙ୍କ ଅନୁରୋଧକୁ ସ୍ୱୀକାର କରି ଭବିଷ୍ୟତରେ ହାଇକୋର୍ଟଙ୍କ ନୂଆ ବେଞ୍ଚ ସ୍ଥାପନ ଭଳି ଦାବିର କୌଣସି ସମ୍ଭାବନା ନ ଥିବା ସ୍ପଷ୍ଟ କରିଛନ୍ତି । ଆବେଦନକାରୀଙ୍କ ଓକିଲ ଆଶଙ୍କା ବ୍ୟକ୍ତ କରି କହିଥିଲେ, ଯେପର୍ଯ୍ୟନ୍ତ ସର୍ବୋଚ୍ଚ କୋର୍ଟ ନିଜର ନ୍ୟାୟିକ ରାୟ ମାଧ୍ୟମରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ପୋଷଣ ନ କରିବେ, ତା’ହେଲେ ଦିନେ ନା ଦିନେ ଏହି ବେଞ୍ଚ ସ୍ଥାପନାର ସମ୍ଭାବନା ରହିବ । କାରଣ ସମ୍ବଲପୁର ସମେତ ବାଲେଶ୍ୱର, ରାଉରକେଲା, କୋରାପୁଟ ଓ ବଲାଙ୍ଗିର ବାର ଆସୋସିଏସନ୍ ପକ୍ଷରୁ ମଧ୍ୟ ହାଇକୋର୍ଟ ସ୍ଥାୟୀ ସ୍ଥାପନ ପାଇଁ ଦାବି ହେଉଛି । ଯାହାକୁ ଖଣ୍ଡପୀଠ ସ୍ୱୀକାର କରି ନୂଆ ବେଞ୍ଚ ସ୍ଥାପନର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ରାୟ ଦେଇଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରୁଥିବା ଓକିଲ ସଂଘକୁ ଶକ୍ତ ଝଟକା ଲାଗିଛି । ନିଜର ଦାବି ପୂରଣ ପାଇଁ କୋର୍ଟ କାର୍ଯ୍ୟରେ ବାଧା ଦେବା ସହ ବ୍ୟାପକ ଭଙ୍ଗାରୁଜା କରିବା ଓକିଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେମାନଙ୍କ ଆଚରଣ ଉପରେ କ୍ଷୁବ୍ଧ ସୁପ୍ରିମ କୋର୍ଟ ହାଇକୋର୍ଟ ବେଞ୍ଚ ଦାବିକୁ ମଧ୍ୟ ଖାରଜ କରିଛନ୍ତି । ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟର ଆଡ଼ଭୋକେଟ ଅନ୍ ରେକର୍ଡ ଗୌତମ ଦାଶ କହିଛନ୍ତି, ଶୁଣାଣି ବେଳେ ଡିଜି ଓ ସମ୍ବଲପୁର ଆଇଜି ସୁପ୍ରିମକୋର୍ଟରେ ପ୍ରଥମେ କ୍ଷମା ମାଗିଥିଲେ । ଏହାପରେ ସେମାନେ ସୋମବାରଠାରୁ ଇତିମଧ୍ୟରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେ ବିଷୟରେ କହିଥିଲେ । ସମ୍ବଲପୁର ବାର୍ ଆସୋସିଏସନର ସବୁ ସଦସ୍ୟଙ୍କୁ ବାର୍ କାଉନସିଲ ଅଫ ଇଣ୍ଡିଆ ନିଲମ୍ବନ ମଧ୍ୟ କରିଛି । କିଛି ଆଇନଜୀବୀଙ୍କୁ ଗିରଫ କରାଯାଇଥିବା ଡିଜିପି କହିଛନ୍ତି । ପୁଲିସ୍ ଛଡ଼ା ଓଡ଼ିଶାର ଏଜି ମଧ୍ୟ କୋର୍ଟ କାର୍ଯ୍ୟ ଯେମିତି ଭଲ ଭାବେ ଚାଲିବ, ସେନେଇ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।