ତୱାଙ୍ଗ ତାତି: ବିରୋଧୀ ଏକଜୁଟ

ନୂଆଦିଲ୍ଲୀ, ୧୪ା୧୨: ବେଶ୍ କିଛିବର୍ଷ ହେଲା ଏକଜୁଟ୍ ହୋଇପାରି ନ ଥିବା ବିରୋଧୀ ଦଳମାନେ ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ପ୍ରସଙ୍ଗରେ ବୁଧବାର ଏକାଠି ହୋଇ ଲୋକସଭା ଓ ରାଜ୍ୟସଭାରେ ସରକାରଙ୍କୁ ଘେରିଛନ୍ତି । ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ୧୮ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି । ଏମାନଙ୍କ ମଧ୍ୟରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, କେସିଆର୍ଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦ୍ମୀ ପାର୍ଟି ଅନ୍ତର୍ଭୁକ୍ତ । ଏହି ଏକତା ବିଶେଷ ଉଲ୍ଲେଖନୀୟ କାରଣ ଟିଏମ୍ସି ଓ ଆପ୍ ଏପର୍ଯ୍ୟନ୍ତ କଂଗ୍ରେସ ଠାରୁ ଦୂରେଇ ରହିଆସିଥିଲେ । ସେହିପରି ଟିଆର୍ଏସ୍ ମଧ୍ୟ କଂଗ୍ରେସଠାରୁ ପୃଥକ ଥିଲା । ସଂସଦର ଶୀତ ଅଧିବେଶନ ଆରମ୍ଭ ବେଳେ କଂଗ୍ରେସ ତରଫରୁ ଡକାଯାଇଥିବା ବୈଠକରେ ଆପ୍ ଓ ଟିଏମ୍ସି ଯୋଗଦେଇଥିଲେ । ସେଥିରେ ଆର୍ଜେଡି, ଜେଡିୟୁ, ସମାଜବାଦୀ ପାର୍ଟି, ଆର୍ଏଲ୍ଡି, ଏନ୍ସିପି, ଶିବସେନା, ନ୍ୟାସ୍ନାଲ୍ କନ୍ଫରେନ୍ସର ପ୍ରତିନିଧି ଉପସ୍ଥିତ ଥିଲେ । ଏମାନଙ୍କ ବାଦ୍ ବାମପନ୍ଥୀ ଦଳ ବି ବୈଠକରେ ଭାଗ ନେଇଥିଲା ।
ବୁଧବାର ଲୋକସଭାରେ ପ୍ରଶ୍ନକାଳ ଶେଷ ହେବା ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀ ଭାରତ-ଚୀନ୍ ସୀମା ସ୍ଥିତି ଉପରେ ଆଲୋଚନା ଦାବି କରିଥିଲେ । ସେ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ୧୯୬୨ର ଯୁଦ୍ଧ ଉପରେ ଲୋକସଭାରେ ୧୬୫ ସାଂସଦଙ୍କୁ କହିବା ପାଇଁ ଅନୁମତି ଦେଇଥିଲେ । ଆମେ ଏବେ ସେହି ଦାବି କରୁଛୁ । ଏହାର ଜବାବ୍ରେ ବାଚସ୍ପତି ଓମ୍ ବିରଳା କହିଲେ, ବିଜ୍ନେସ୍ ଆଡ୍ଭାଇଜରୀ କମିଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ । ବାଚସ୍ପତି ଅନୁମତି ନ ଦେବାରୁ କଂଗ୍ରେସ ସହିତ ଟିଏମ୍ସି ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ । ରାଜ୍ୟସଭାରେ ତୱାଙ୍ଗ ପ୍ରସଙ୍ଗରେ ସବୁ ବିରୋଧୀ ଦଳ କକ୍ଷ ତ୍ୟାଗ କରିବା ଦେଖାଯାଇଥିଲା । କକ୍ଷ ତ୍ୟାଗ କରିଥିବା ଦଳଗୁଡିକ ମଧ୍ୟରେ କଂଗ୍ରେସ, ଆର୍ଜେଡି, ଆପ୍, ଏନ୍ଡିଏମ୍କେ, ସିପିଆଇଏମ୍, ସିପିଆଇ, ଜେଡିୟୁ, ଡିଏମ୍କେ, ଟିଏମ୍ସି ଓ ତେଲୁଗ ଦେଶମ୍ ପାର୍ଟି ଅନ୍ୟତମ । ଶୂନ୍ୟକାଳରେ ସେମାନେ ଗୃହ ବାହାରକୁ ଚାଲିଯାଇଥିଲେ । ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସମେତ ଅନ୍ୟ ନେତାମାନେ ତୱାଙ୍ଗ ପ୍ରସଙ୍ଗ ଉଠାଇଥିଲେ । ଗୃହ ବାହାରେ ସାମ୍ବାଦିକମାନଙ୍କୁ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଥିଲେ, ସବୁ ୧୮ ବିରୋଧୀ ଦଳ ଯବାନମାନଙ୍କ ପଛରେ ଛିଡା ହୋଇଛନ୍ତି । କିନ୍ତୁ ଆମେ ସମସ୍ତେ ତୱାଙ୍ଗ ପ୍ରସଙ୍ଗ ନେଇ ଚିନ୍ତିତ । ସୀମା ପ୍ରସଙ୍ଗରେ ବୁଝାମଣା କରାଯାଇପାରିବ ନାହିଁ । କାରଣ ରାଷ୍ଟ୍ରୀୟ ସୁରକ୍ଷା ବଡ ଚିନ୍ତା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *