ଆରମ୍ଭ ହେଲା ୨୪ ପାଇଁ ଅଙ୍କକଷା
ଭୁବନେଶ୍ୱର, ୧୪ା୧୨ (ବୁ୍ୟରୋ): ୨୪ ପାଇଁ ଅଙ୍କକଷା ଏବେଠାରୁ ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ସେ ନେଇ ତିନି ଦଳ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇସାରିଛି । ଆସନ୍ତାକାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦଳର ବରିଷ୍ଠ ନେତା-ମନ୍ତ୍ରୀମାନେ ଯୋଗ ଦେଇ ୨୪ ନିର୍ବାଚନ ଋଣନୀତି ନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ସେହିପରି ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯିବେ । ସେଠାରୁ ଆସିବା ପରେ ୧୪୭ ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିବେ ବୋଲି ଭଟଲୀ ବିଧାୟକ ସୁଶାନ୍ତ ସିଂହ କହିଛନ୍ତି । ସଙ୍ଗଠନକୁ ବିସ୍ତାର କରି ଦଳ ପୁଣି ୨୪ରେ କେମିତି ବହୁମତରେ ସରକାର ଗଠନ କରିବ, ସେନେଇ ରଣନୀତି ଆରମ୍ଭ ହୋଇଯାଇଛି ।
ଗୋଟିଏ ପଟେ ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଚର୍ଚ୍ଚା ହେଉଥିବାବେଳେ, ଆଉ ଗୋଟିଏ ପଟେ ବିଜୁ ଜନତା ଦଳ ଭିତରେ ଭିତରେ ଜୋରଦାର ପ୍ରସ୍ତୁତି ଚଳାଇଛି । ୧୨୫ ମିଶନ ନେଇ ଆଗେଉ ଥିବା ବିଜେଡି ୧୪୭ ବିଧାନସଭା କ୍ଷେତ୍ରରେ ସର୍ଭେ କାମ ଆରମ୍ଭ କରିଛି । ବର୍ତ୍ତମାନର ବିଧାୟକ ଓ ସାଂସଦଙ୍କ ଲୋକପ୍ରିୟତା, ଭାବମୂର୍ତ୍ତିିର ରିପୋର୍ଟ ସଂଗ୍ରହ କରି ଦଳର ସୁପ୍ରିମୋଙ୍କୁ ପ୍ରଦାନ କରାଯିବ । କେଉଁ ନିର୍ବାଚନ ମଣ୍ଡଳୀରେ ସରକାରୀ ବିରୋଧୀ ହାୱା ରହିଛି, ତାର ମଧ୍ୟ ସର୍ଭେ କରୁଛି ଶାସକ ଦଳ । ଆଉ ଏହି ସର୍ଭେ ଆଧାରରେ ଦଳ ୨୦୨୪ ପାଇଁ ପ୍ରାର୍ଥୀ ଚୟନ କରିବ ବୋଲି କୁହାଯାଉଛି । ୨୦୨୪ ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି କରୁଥିବାବେଳେ ଲୋକପ୍ରିୟତା ହରାଇଥିବା ଓ ଭଲ ପ୍ରଦର୍ଶନ ନ ଥିବା ନେତା ଛାନିଆ ହେଲେଣି । ୨୦୧୯ରେ ବିଜେଡି ୫୦ରୁ ଅଧିକ ବିଧାୟକଙ୍କ ଟିକେଟ କଟାଯାଇଥିଲା । ଏଥିସହ ୨୦୧୯ ପରେ ରାଜ୍ୟରେ ହୋଇଥିବା ୭ ଉପନିର୍ବାଚନରେ ୪ଜଣ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ବଡ ସଂକେତ ଦେଇଛି ବିଜେଡି । ଅନ୍ୟପଟେ ବୟସ୍କଙ୍କୁ ଆଉ ଭରସା କରି ନ ପାରନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାଉଣ୍ଡରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ଟିକେଟ ଦେବେ ବୋଲି ଅନୁମାନ କରିଛନ୍ତି ବିଜେଡି ବିଧାୟକ । ଏସବୁ ଭିତରେ ଗୁରୁବାରଠାରୁ ଦଳ ଆରମ୍ଭ କରିବାକୁ ଯାଉଛି ସାଙ୍ଗଠନିକ ମାନସ ମନ୍ଥନ । ସେହିପରି ଆସନ୍ତା ୧୭ ତାରିଖରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଯେଉଁଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ବିଭିନ୍ନ ଜିଲ୍ଲାର ସଭାପତି, ପ୍ରଭାରୀ ଓ ପଦାଧିକାରୀ ଏବଂ କୋର୍ ଟିମ୍ ସଦସ୍ୟମାନେ ଉପସ୍ଥିତ ରହିବେ । ସାଧାରଣ ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ? କେନ୍ଦ୍ର ସରକାରଙ୍କ ଜନ ଆଭିମୁଖୀ ଯୋଜନା ଓ ତାର ଲାଭକୁ ନେତା ଓ କର୍ମୀ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବେ । ଏନେଇ ଅଧିକ ଆଲୋଚନା ହେବ । ୨୦୨୪ରେ ବିଜେପି ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋଲୋଚନକୁ ଆଣିବାକୁ ଚେଷ୍ଟା କରିବ । ଆବଶ୍ୟକ ପଡ଼ିଲେ କର୍ମୀ ଓ ନେତା ଆନେ୍ଦାଳନକୁ ଓହ୍ଲାଇବେ ବୋଲି ବିିଜେପି ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି ।
ଅନ୍ୟପକ୍ଷରେ ପଦ୍ମପୁରରେ ଲଜ୍ଜାଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ତା’ର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିଦେ୍ର୍ଦଶକ୍ରମେ ସମସ୍ତ ରାଜ୍ୟର କଂଗ୍ରେସ ପ୍ରଭାରୀ ସଙ୍ଗଠନ ସୁଦୃଢ଼ ଓ କ୍ରିୟାଶୀଳ ପାଇଁ ମାସକୁ ୧୦ ଦିନ ସମୟ ଦେବେ । ଏହାସହ ଆସନ୍ତା ୧୮ ତାରିଖରେ କଂଗ୍ରେସ ପ୍ରଭାରୀ ଚେଲା କୁମାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କ ଉପସ୍ଥିତିରେ ଦଳ ସମୀକ୍ଷା କରିବା ସହ ଆଗାମୀ ସାଧାରଣ ନିର୍ବାଚନର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ ବୋଲି ବରିଷ୍ଠ କଂଗେସ ନେତା ଗଣେଶ୍ୱର ବେହେରା କହିଛନ୍ତି ।