ଇଡିରେ ନାଗ-ଚାନ୍ଦ ଦମ୍ପତି
ଭୁବନେଶ୍ୱର (ବୁ୍ୟରୋ): ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା ତୀବ୍ର ହୋଇଛି । ଆର୍ଥିକ କାରବାର ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରିବ ଇଡି । ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ବସାଇ ଜେରା କରାଯିବ । ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ନାଁରେ ମନିଲଣ୍ଡରିଂ ଆକ୍ଟରରେ ମାମଲା ରୁଜୁ ହୋଇଛି । ସେପେଟ ଅର୍ଚ୍ଚନା ନାଁରେ ମାମଲା ରୁଜୁ କରିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି ।
ମନି ଲଣ୍ଡ୍ରିଂ ମାମଲାରେ ଅର୍ଚ୍ଚନା ନାଗକୁ ବାନ୍ଧିବା ପରେ ପୁଣି ଦ୍ୱିତୀୟ ଥର ପାଇଁ ତାଙ୍କୁ ୬ ଦିନିଆ ରିମାଣ୍ଡରେ ଆଣିଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । କେବଳ ଅର୍ଚ୍ଚନା ନୁହନ୍ତି ବେଇଆନ ଅର୍ଥ କାରବାରରେ ସାମିଲ ଥିବା ସୁରାକ ପାଇବା ପରେ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ବୁଧବାର ୯ ଦିନିଆ ରିମାଣ୍ଡରେ ଆଣିଛି ଇଡି । ଏହି ରିମାଣ୍ଡ ଅବଧି ମଧ୍ୟରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସାମ୍ନାସାମ୍ନି ଓ ଅଲଗା ଅଲଗା ଜେରା କରିବେ ଇଡି ଅଧିକାରୀ । ଅବଧି ମଧ୍ୟରେ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଆର୍ଥିକ କାରବାର ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିବ ଇଡି ।
ନାଗ ଦମ୍ପତ୍ତି ଏତେ ପରିମାଣର ଟଙ୍କା କେଉଁଠୁ ଅ ।ଣିଲେ? ଏତେ କମ ଦିନ ଭିତରେ ନାଗ ଦମ୍ପତ୍ତି କେମିତି କୋଟି କୋଟି ଟଙ୍କାର ମାଲିକ ହୋଇପାରିଲେ? କେଉଁ କେଉଁ ବ୍ୟକ୍ତିଙ୍କ ସହ ଟଙ୍କା କାରବାର କରିଛନ୍ତି ଅର୍ଚ୍ଚନା? ଦାମୀ ଗାଡି ଚଢିବା ପାଇଁ କିଏ ଦେଇଥିଲା ଲକ୍ଷ ଲକ୍ଷ ଟଙ୍କା? ଘରର ଇଣ୍ଟେରିଅର ଡିଜାଇନ ପାଇଁ କେଉଁଠୁ ଆସିଲା ଟଙ୍କା? ଟଙ୍କା ରୋଜଗାରର ମୂଳ ଉତ୍ସ କଣ ଥିଲା? ବଡବଡିଆଙ୍କୁ ବ୍ଲାକମେଲ କରି ଟଙ୍କା ରୋଜଗାର କରୁଥିଲେ କି? ଭଳି ପ୍ରଶ୍ନ ଇଡି ପ୍ରସ୍ତୁୂତ କରିଛି ।
ସେପଟେ ଜଗବନ୍ଧୁଙ୍କୁ ଝରପଡା ଜେଲରୁ କ୍ୟାପିଟାଲ ହସପିଟାଲ ଓ ଇଡି ଅଫିସକୁ ନେବା ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ । କିନ୍ତୁ ସେ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ । ପ୍ରଥମରୁ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଉଥିବା ଅର୍ଚ୍ଚନା ଏବେ ଚୁପ ହୋଇଯାଇଛନ୍ତି । ସେପଟେ ଜଗବନ୍ଧୁଙ୍କ ଏଭଳି ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହିଁକି ଗଣମାଧ୍ୟମ ଆଗରେ ମୁହଁ ଖୋଲୁନାହାନ୍ତି ଜଗବନ୍ଧୁ? ମୁହଁ ବନ୍ଦ ରଖିବା ପାଇଁ ଚାପ ପ୍ରୟୋଗ କରାଯାଇଛି କି? ଜେରା ସମୟରେ ଇଡିକୁ ସହଯୋଗ କରିବେ ତ ଜଗବନ୍ଧୁ? ପୂର୍ବରୁ ଅର୍ଚ୍ଚନାଙ୍କ ନାଁରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ମାମଲା ରହିଛି । ଏବେ ଇଡିର ମାମଲା ପରେ ଅର୍ଚ୍ଚନାଙ୍କ ଅଡୁଆ ବଢିଛି । ସେପଟେ ଖଗେଶ୍ୱରକୁ ଗିରଫ କରିବା ପରେ ୧୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିଲା ଇଡି । ସେମାନଙ୍କ ଭିତରୁ ୧୦ରୁ ୧୨ ଜଣଙ୍କୁ ପଚରାଉଚରା କରିବା ପରେ ଶେଷରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ତଦନ୍ତ ଆରମ୍ଭ କରିଛି । ଜେରା ହୋଇଥିବା ଲୋକଙ୍କ ବୟାନ ଆଧାରରେ ନାଗ ଦମ୍ପତିଙ୍କୁ ଇଡି ଜେରା କରିବ ବୋଲି ବୁଧବାର ପ୍ରକାଶ ପାଇଛି ।