ଫିଫା ବିଶ୍ୱକପ୍ ସେମିରେ ଆର୍ଜେଣ୍ଟିନା

ଦୋହା, ୧୪ା୧୨ (ଏଜେନ୍ସି): ଆର୍ଜେଣ୍ଟିନା ଷଷ୍ଠ ଥର ଫିଫା ବିଶ୍ୱକପ୍ର ଫାଇନାଲ୍ରେ ପ୍ରବେଶ କରିଛି । ମେସୀଙ୍କ ଟିମ୍ ମଙ୍ଗଳବାର ବିଳମ୍ବିତ ରାତିରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ କ୍ରୋଏସିଆକୁ ୩-୦ରେ ହରାଇଛି । ଜୁଲିଅନ୍ ଅଲ୍ଭାରେଜ୍ ଦୁଇ ଓ ମେସୀ ଗୋଟିଏ ଗୋଲ୍ କରିଥିଲେ । ଡିସେମ୍ବର ୧୮ରେ ହେବାକୁ ଥିବା ଫାଇନାଲ୍ରେ ଆର୍ଜେଣ୍ଟିନା ଟିମ୍ ଫ୍ରାନ୍ସ ଅଥବା ମରକ୍କୋକୁ ଭେଟିବ ।
ପ୍ରଥମାର୍ଦ୍ଧର ୩୧ତମ ମିନିଟ୍ରେ ଆର୍ଜେଣ୍ଟିନାର ଅଲ୍ଭାରେଜ୍ଙ୍କୁ ଟିମ୍ମେଟ୍ ପାସ୍ ଦେଇଥିଲେ । ପେନାଲ୍ଟି ବକ୍ସ ପାଖରେ ବଲ୍ ମିଳିବା କ୍ଷଣି ସେ ବଲ୍କୁ ଆଗେଇ ନେଉଥିବା ବେଳେ କ୍ରୋଏସିଆର ଗୋଲ୍କିପର୍ ତାଙ୍କୁ ଅଟକାଇବାକୁ ଜୋର୍ସୋର୍ରେ ପ୍ରୟାସ କରିଥିଲେ । ଅଲ୍ଭାରେଜ୍ ତଳେ ପଡ଼ିଯାଇଥିଲେ ଏବଂ କ୍ରୋଏସିଆର ଡିଫେଣ୍ଡର୍ ବଲ୍କୁ ଗୋଲ୍ପୋଷ୍ଟକୁ ଯିବାରୁ ଅଟକାଇ ଦେଇଥିଲେ ।
ରେଫରୀ ଗୋଲ୍କିପର୍ଙ୍କ ଫାଉଲ୍ରେ ୟେଲୋ କାର୍ଡ ଦେଖାଇଥିଲେ ଏବଂ ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା । ମେସୀ ୩୪ତମ ମିନିଟ୍ରେ ପେନାଲ୍ଟିରୁ ସ୍କୋର୍ କରିଥିଲେ । ସେ ରାଇଟ୍ କର୍ଣ୍ଣରରୁ ସଟ୍ ମାରି ଗୋଲ୍ ଦେଇଥିଲେ ।
ଏହି ବିଶ୍ୱକପ୍ରେ ଏହା ମେସୀଙ୍କ ତୃତୀୟ ପେନାଲ୍ଟି ଗୋଲ୍ ଥିଲା । ସେ ଦୁଇ ଫିଲ୍ଡ ଗୋଲ୍ ମଧ୍ୟ ଦେଇଥିଲେ । ସେ ବିଶ୍ୱକପ୍ରେ ନିଜ ଟିମ୍ ପକ୍ଷରୁ ସର୍ବାଧିକ ଗୋଲ୍ ଦେଇଥିବା ଖେଳାଳି ହୋଇପାରିଛନ୍ତି । ତାଙ୍କ ବିଶ୍ୱକପ୍ ଗୋଲ୍ ସଂଖ୍ୟା ୧୧ରେ ପହଞ୍ଚିଛି । ସେ ନିଜ ଦେଶର ଗାବ୍ରିଏଲ ବଟିସ୍ତୁତାଙ୍କ ୧୦ ଗୋଲ୍ ରେକର୍ଡ ଭାଙ୍ଗିଛନ୍ତି ।
୩୭ତମ ମିନିଟ୍ରେ ଅଲ୍ଭାରେଜ୍ଙ୍କୁ ମେସୀ ହାଫ୍-ୱେ ଲାଇନ୍ ପାଖରେ ବଲ୍ ଦେଇଥିଲେ । ସେ ବଲ୍କୁ ନେଇ ପେନାଲ୍ଟି ବକ୍ସରେ ପ୍ରବେଶ କରିଥିଲେ । ୩୯ତମ ମିନିଟ୍ରେ ସେ ଗୋଲ୍କିପର୍ ଓ ରକ୍ଷଣଭାଗ ଖେଳାଳିଙ୍କୁ ଚକମା ଦେଇ ସ୍କୋର୍ କରିଥିଲେ । ଆର୍ଜେଣ୍ଟିନା ୨-୦ରେ ଅଗ୍ରଣୀ ହାସଲ କରିଥିଲା । ମଧ୍ୟାନ୍ତର ସୁଦ୍ଧା ଏହି ସ୍କୋର୍ଲାଇନ୍ ରହିଥିଲା ।
୬୯ତମ ମିନିଟ୍ରେ ଅଲ୍ଭାରେଜ୍ ବ୍ୟକ୍ତିଗତ ଦ୍ୱିତୀୟ ଓ ଟିମ୍ ପକ୍ଷରୁ ତୃତୀୟ ଗୋଲ୍ ଦେଇଥିଲେ । ମେସୀ ହାଫ୍-ୱେ ଲାଇନ୍ରୁ ବଲ୍କୁ ଡ୍ରିବଲ୍ କରି କ୍ରୋଏସିଆର ପେନାଲ୍ଟି ବକ୍ସ ଆଡ଼କୁ ନେଇଯାଇଥିଲେ । ସେ ରାଇଟ୍ କର୍ଣ୍ଣରରୁ ପେନାଲ୍ଟି ବକ୍ସ ଭିତରେ ଅଲ୍ଭାରେଜ୍ଙ୍କୁ ପାସ୍ ଦେଇଥିଲେ, ଯେଉଁଥିରୁ ସ୍କୋର୍ ହୋଇଥିଲା । ଅନ୍ୟପଟେ, କ୍ରୋଏସିଆ ଗୋଟିଏ ବି ଗୋଲ୍ ପରିଶୋଧ କରିପାରି ନ ଥିଲା ।
ମ୍ୟାଚ୍ରେ କ୍ରୋଏସିଆ ପାଖରେ ୬୧ ପ୍ରତିଶତ ସମୟ ବଲ୍ ରହିଥିଲା । ଟିମ୍ ଗୋଲ୍ ଆଡ଼କୁ ୧୨ ସଟ୍ ମାରିଥିବା ବେଳେ ସେଥିମଧ୍ୟରୁ ୨ ସଟ୍ ଟାର୍ଗେଟ୍କୁ ଯାଇଥିଲା । ଆର୍ଜେଣ୍ଟିନା ୯ ସଟ୍ ମାରିଥିଲା ଏବଂ ସେଥିମଧ୍ୟରୁ ୭ ସଟ୍ ଟାର୍ଗେଟ୍କୁ ଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *