ଇନିଂସ୍ ସମ୍ଭାଳିଲେ ପୂଜାରା-ଆୟର
ବାଂଲା ବିପକ୍ଷ ପ୍ରଥମ ଟେଷ୍ଟ, ପ୍ରଥମ ଦିବସ
ଚଟ୍ଟୋଗ୍ରାମ, ୧୪ା୧୨ (ଏଜେନ୍ସି): ଚେତେଶ୍ୱର ପୂଜାରା ଓ ଶ୍ରେୟାସ ଆୟରଙ୍କ ଦୃଢ଼ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ବୁଧବାର ଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ସଙ୍କଟରୁ ମୁକୁଳି ଭଲ ସ୍ଥିତିରେ ପହଞ୍ଚିପାରିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଟିମ୍ ୬ ୱିକେଟ୍ ହରାଇ ୨୭୮ ରନ୍ ସଂଗ୍ରହ କରିଥିଲା ।
ଜହୁର ଅହମଦ ଚୌଧରୀ ଷ୍ଟାଡିୟମ୍ରେ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଭାରତୀୟ ଟିମ୍ର ନେତୃତ୍ୱ ନେଉଥିବା ଲୋକେଶ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ । ଟିମ୍ର ଚୂଡ଼ାନ୍ତ ଏକାଦଶରେ ତିନି ସ୍ପିନର୍ ଓ ଦୁଇ ପେସର୍ଙ୍କୁ ନିଆଯାଇଥିଲା ।
ରାହୁଲ ଓ ଶୁଭମନ ଗିଲ୍ ଭାରତୀୟ ଇନିଂସ୍ ଓପନ୍ କରିଥିଲେ । ୪୧ ରନ୍ରେ ଏହି ଯୋଡ଼ି ଭାଙ୍ଗିଥିଲା । ତାଇଜୁଲ ଇସ୍ଲାମଙ୍କ ବଲ୍ରେ ଗିଲ୍ (୨୦) ସୁଇପ୍ କରି ସର୍ଟ ଲେଗ୍ ଦିଗକୁ ସିଙ୍ଗଲ୍ ନେବାକୁ ଚାହୁଁଥିଲେ । କିନ୍ତୁ ବଲ୍ ବ୍ୟାଟ୍ର ଉପର ଧାରରେ ବାଜି ସ୍ଲିପ୍ରେ ଥିବା ୟାସିର ଅଲ୍ଲୀଙ୍କ ହାତକୁ ଯାଇଥିଲା ।
ରାହୁଲ ବି ବେଶୀ ସମୟ କ୍ରିଜ୍ରେ ତିଷ୍ଠି ନ ଥିଲେ । ସେ ବ୍ୟକ୍ତିଗତ ୨୨ ରନ୍ରେ ଖାଲିଦ ଅହମଦଙ୍କ ବଲ୍ରେ ଲେନ୍ଥ ବଲ୍ରେ ବୋଲ୍ଡ ହୋଇଥିଲେ । ଏହା ପର ଓଭର୍ରେ ବିରାଟ କୋହଲି ମାତ୍ର ୧ ରନ୍ କରି ତାଇଜୁଲଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ ।
୪୮ ରନ୍ ମଧ୍ୟରେ ୩ ୱିକେଟ୍ ହରାଇ ଟିମ୍ ସଙ୍କଟରେ ପଡ଼ିଥିଲା । ତେବେ ତିନି ନମ୍ବର ବ୍ୟାଟର୍ ପୂଜାରା କ୍ରିଜ୍ରେ ଯୋଗ ଦେଇଥିବା ରିଷଭ ପନ୍ତଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଚତୁର୍ଥ ୱିକେଟ୍ ପାଇଁ ୬୪ ରନ୍ ଯୋଗ ହୋଇଥିଲା । ଭୋଜନକାଳ ବିରତି ବେଳକୁ ସ୍କୋର୍ ହୋଇଥିଲା ୮୫/୩ ।
ପନ୍ତ (୪୬)ଙ୍କୁ ୪ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ କରିଥିଲେ ମେହଦୀ ହସନ୍ ମିରାଜ୍ । ୧୧୨ ରନ୍ରେ ଚତୁର୍ଥ ୱିକେଟ୍ ପଡ଼ିଥିଲା । ଏହାପରେ ପୂଜାରା ନୂଆ ବ୍ୟାଟର୍ ଶ୍ରେୟାସ ଆୟରଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଚା’ପାନ ବିରତି ସୁଦ୍ଧା ସ୍କୋର୍ ହୋଇଥିଲା ୧୭୪/୪ ।
ଅନ୍ତିମ ସତ୍ରରେ ପୂଜାରା ୧୨୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଇନିଂସ୍ ୨୦୦ ଅତିକ୍ରମ କରିଥିଲା । ଏହାପରେ ଆୟର ୯୩ ବଲ୍ରୁ ଅର୍ଦ୍ଧଶତକ ଲଗାଇଥିଲେ । ପଞ୍ଚମ ୱିକେଟ୍ ପାଇଁ ୧୪୯ ରନ୍ର ଭାଗୀଦାରୀ ହୋଇଥିଲା । ଶତକ ଆଡ଼କୁ ଅଗ୍ରସର ହେଉଥିବା ପୂଜାରା (୨୦୩ ବଲ୍ରୁ ୧୧ ଚୌକା ସହାୟତାରେ ୯୦)ଙ୍କ ଇନିଂସ୍ରେ ଯବନିକା ଟାଣିଥିଲେ ତାଇଜୁଲ୍ । ଏହାପରେ କ୍ରିଜ୍କୁ ଆସିଥିବା ଅକ୍ଷର ପଟେଲ୍ (୧୪) ଦିନର ଶେଷ ବଲ୍ରେ ମେହଦୀଙ୍କ ଶିକାର ହୋଇଥିଲେ । ଆୟର ୧୬୯ ବଲ୍ରୁ ୧୦ ଚୌକା ସହାୟତାରେ ୮୨ ରନ୍ କରି ଅପରାଜିତ ଥିଲେ ।
ଭାରତୀୟ ଟିମ୍ ୯୦ ଓଭର୍ରେ ୬ ୱିକେଟ୍ ହରାଇ ୨୭୮ ରନ୍ ସଂଗ୍ରହ କରିଥିଲା । ବିପକ୍ଷ ବୋଲର୍ ତାଇଜୁଲ୍ ୩, ମେହଦୀ ୨ ଓ ଖାଲିଦ ଗୋଟିଏ ୱିକେଟ୍ ନେଇଥିଲେ ।