ବଳପୂର୍ବକ ହାତେଇଛି ୪୩% ଅଞ୍ଚଳ
ଜମି ମାଫିଆ ଚୀନ୍, ସମୁଦ୍ର ଉପରେ ବି ଜାହିର କରୁଛି ହକ୍
ବେଜିଂ (ଏଜେନ୍ସି): ରିପୋର୍ଟ ଅନୁସାରେ ଚୀନ୍ ୧୯୪୯ରେ ପୂର୍ବ ତୁର୍କିସ୍ତାନ (ମୋଟ୍ ଭୌଗୋଳିକ ସ୍ଥିତି ୧୬.୬ଠ ଲକ୍ଷ ବର୍ଗ କିମି: ଇରାନ୍ ଭଳି ଦେଶର ଆୟତନ ସହ ସମାନ), ୧୯୫ଠରେ ତିବ୍ବତ୍ (ଭୌଗୋଳିକ ସ୍ଥିତି ୧୨.୨୮ ଲକ୍ଷ ବର୍ଗ କିମି: ଦକ୍ଷିଣ ଆଫ୍ରିକାର ଆୟତନ ସହ ସମାନ)କୁ ନିଜ ସହ ମିଶାଇଛି । ଏତଦ୍ବ୍ୟତୀତ ଇନର ମଙ୍ଗୋଲିଆ (୧୧.୮୩ ଲକ୍ଷ ବର୍ଗ କିମି), ହଂକଂ (୧.ଠ୪ ହଜାର ବର୍ଗ କିମି), ମକାଉ (୧୧୫ ବର୍ଗ କିମି) ଭଳି ଅଞ୍ଚଳକୁ ନିଜ କବ୍ଜାକୁ ନେଇସାରିଛି ଚୀନ୍ । ସେହିପରି ଏହି ୫ ଭୂଭାଗକୁ ବାଦ୍ଦେଲେ ଚୀନ୍, ତାଇୱାନ୍କୁ ମଧ୍ୟ ନିଜ ଅଂଶ ଭାବେ ବିିବେଚନା କରିଆସୁଛି । ଅବଶ୍ୟ ତାଇୱାନ୍ କିନ୍ତୁ ଚୀନ୍ର ଏପ୍ରକାର ଏକଚାଟିଆ ଅଧିକାରକୁ ପ୍ରତ୍ୟାଖାନ କରିଆସୁଛି, ଯାହାଦ୍ୱାରା ଚୀନ୍ ଏବେ ତାଇୱାନ୍ ଉପରେ ଆକ୍ରମଣ ଧମକ ଦେଉଛି । ତାଇୱାନ୍ରେ ନିଜସ୍ୱ ସରକାର, ଆଇନ୍ ପ୍ରଚଳନ ରହିଥିବା ବେଳେ ଚୀନ୍ କିନ୍ତୁ ଏହାକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଗ୍ରହଣ କରୁନାହିଁ । ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି ।
କେବଳ ସେତିକି ନୁହେଁ, ଚୀନ୍ ଭାରତର ମଧ୍ୟ ୪୩ହଜାର ବର୍ଗ କିମି ପରିମିତ ଭୂଭାଗକୁ ନିଜ ଦଖଲରେ ରଖିଥିବା କୁୂହାଯାଉଛି । ୧୧ ମାର୍ଚ୍ଚ ୨ଠ୨ଠରେ ଲୋକସଭାରେ ତକ୍ରାଳୀନ ବିଦେଶ ରାଷ୍ଟ୍ରମନ୍ତ୍ରୀ ବି. ମୁରଲୀଧରନ୍ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଚୀନ୍ ଲଦାଖ୍ ସଂଲଗ୍ନ ଭାରତୀୟ ସୀମାରେଖାରୁ ପ୍ରାୟ ୩୮ହଜାର ବର୍ଗ କିମି ପରିମିତ ଭୂଭାଗକୁ ନିଜ ଦଖଲରେ ରଖିଛି । ଏତଦ୍ବ୍ୟତୀତ ୨ ମାର୍ଚ୍ଚ ୧୯୬୩ରେ ଚୀନ୍-ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ପାକିସ୍ତାନ, ଚୀନ୍କୁ ପିଓକେ (ପାକ୍ ଅଧିକୃତ କାଶ୍ମୀର)ର ୫ହଜାର ୧୮ଠ ବର୍ଗ କିମି ପରିମିତ ଅଞ୍ଚଳକୁ ହସ୍ତାନ୍ତର କରିଦେଇଛି । ପିଓକେକୁ ଭାରତ ନିଜ ଭୂଭାଗ ବିବେଚନା କରିଆସୁଛି । ସିଧାସଳଖ କହିଲେ ବର୍ତ୍ତମାନ ସୁଦ୍ଧା ଚୀନ୍, ଭାରତର ମୋଟ୍ ୪୩,୧୮ଠ ବର୍ଗ କିମି ପରିମିତ ଅଞ୍ଚଳକୁ ନିଜ ଦଖଲରେ ରଖିଛି । ପ୍ରକାଶ, ଭାରତର ଏହି ପରିମାଣର ଅଞ୍ଚଳ ସ୍ୱିଜରଲାଣ୍ଡ ଭଳି ଦେଶର ମୋଟ୍ ଆୟତନ ଠାରୁ ମଧ୍ୟ ଅଧିକ । ସ୍ୱିଜରଲାଣ୍ଡର ମୋଟ୍ ଆୟତନ ୪୧,୨୮୫ ବର୍ଗ କିମି ରହିଥିବା ବେଳେ ଭାରତର ୪୩,୧୮ଠ ବର୍ଗ କିମି ଚୀନ୍ କବ୍ଜାରେ ରହିଛି । ଏତଦ୍ବ୍ୟତୀତ ଚୀନ୍ ଏବେ ଅରୁଣାଚଳ ପ୍ରଦେଶର ୯ଠ ହଜାର ବର୍ଗ କିମି ପରିବ୍ୟାପ୍ତ ଭୂଭାଗ ଉପରେ ନଜର ପକାଇଛି ।
ବିସ୍ତାରବାଦୀ ନୀତି ଅନ୍ତର୍ଗତ ଅନ୍ୟ ଦେଶର ସମ୍ପତ୍ତି ଉପରେ କବ୍ଜା କରିବା ଦିଗରେ ଚୀନ୍ ଏପ୍ରକାର ଅନ୍ଧ ହୋଇଯାଇଛି ଯେ, ଏବେ ଅନ୍ୟଦେଶର ଭୂଭାଗ ସହ ଜଳଭାଗ ଉପରେ ମଧ୍ୟ ନିଜ ଆଧିପତ୍ୟ ଜାହିର କରିବାରେ ଲାଗିଛି । ୧୯୪୯ରେ ଚୀନ୍ରେ କମୁ୍ୟନିଷ୍ଟ ସରକାର ଗଠନ ହେବା ପର ଠାରୁ ପଡୋଶୀ ଦେଶଗୁଡ଼ିକର ଭୂଭାଗ, ଜଳଭାଗ ଭଳି ଅଞ୍ଚଳ ଉପରେ କବ୍ଜା କରିବା ଆରମ୍ଭ କରିଛି । ପ୍ରାପ୍ତ ସୂଚନାନୁସାରେ ଇଣ୍ଡୋନେସିଆ, ଭିଏତନାମ, ଚୀନ୍, ଫିଲିପାଇନ୍ସ, ମାଲେସିଆ, ତାଇୱାନ୍ ଏବଂ ବ୍ରଣେଇ ଭଳି ଦେଶ ସହ ସଂଲଗ୍ନ ଥିବା ଦକ୍ଷିଣ ଚୀନ୍ ସାଗର (୩୫ ଲକ୍ଷ ବର୍ଗ କିମି ପରିମିତ) ଉପରେ ମଧ୍ୟ ଚୀନ୍ ଏକଚାଟିଆ ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରିଆସୁଛି । ଚୀନ୍ ଏବେ ଦକ୍ଷିଣ ଚୀନ୍ ସାଗରରେ ନିଜ ନୌସେନାର ଏକ ବିଶାଳ ୟୁନିଟ୍କୁ ମୁତୟନ କରିବା ସହ ଏଠାରେ ଏକ କୃତ୍ରିମ୍ ଦ୍ୱୀପ ମଧ୍ୟ ପ୍ରସ୍ତୁତ କରିସାରିଛି । ଅନ୍ୟ ଦେଶଗୁଡ଼ିକ ଚୀନ୍ର ଏହି ନୀତିକୁ ବିରୋଧ କରିବାରୁ ଚୀନ୍, ଦକ୍ଷିଣ ଚୀନ୍ ସାଗର ସହ ନିଜର ୨ହଜାର ବର୍ଷ ପୁରୁଣା ସମ୍ପର୍କ ରହିଥିବା ଦର୍ଶାଉଛି । ପ୍ରକାଶ ଚୀନ୍ର ସୀମାରେଖା ୧୪ ଦେଶ ସହ ଲାଗି ରହିଥିବା ବେଳେ ଏମାନଙ୍କ ସହ ଚୀନ୍ର ବିବାଦ ରହିଛି । ଏତଦ୍ବ୍ୟତୀତ ଏକ ରିପୋର୍ଟ ଅନୁସାରେ ଚୀନ୍ ବିଶ୍ୱର ପ୍ରାୟ ୨୩ ଦେଶର କ୍ଷେତ୍ରୀୟ ଅଞ୍ଚଳ ଉପରେ ନିଜ ଅନଧିକାର ଦର୍ଶାଇଆସୁଛି ।