ରିମାଣ୍ଡରେ ନାଗ-ଚାନ୍ଦ ଦମ୍ପତି
ଭୁବନେଶ୍ୱର, ୧୩ା୧୨ (ବୁ୍ୟରୋ): ନାଗ-ଚାନ୍ଦ ଦମ୍ପତିଙ୍କ ଗୁମର ଭେଦିବ ଇଡି । କଳା ସାମ୍ରାଜ୍ୟର ଗୋଟି ଗୋଟି ସତ ଉଗାଳିବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ସ୍ୱାମୀ, ସ୍ତ୍ରୀଙ୍କୁ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ।
ସୂଚନାଯୋଗ୍ୟ, ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ସମ୍ପର୍କିତ ତଥ୍ୟକୁ ନେଇ ଆଦୌ ସନ୍ତୁଷ୍ଟ ନୁହେଁ ଇଡି । ତେଣୁ ତାଙ୍କୁ ଆଉଥରେ ରିମାଣ୍ଡରେ ନେବ । ଏଥିସହ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ରିମାଣ୍ଡରେ ନେବ ଇଡି । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟ । ଉଭୟଙ୍କୁ ମୁହାଁମୁହିଁ ବସାଇ ଇଡି ଜେରା କରିବାର ସମ୍ଭାବନା ରହିଛି ।
ହନିଟ୍ରାପ୍ ସହ ବ୍ଲାକ୍ମେଲିଂ କରି ପାହାଡ଼ ଭଳି ସମ୍ପତ୍ତି ଛିଡ଼ା କରିଥିଲେ ନାଗଫାଶର ନାୟିକା । ସେଦିନ ତାଙ୍କୁ ବାନ୍ଧିଥିଲା କମିଶନରେଟ୍ ପୁଲିସ୍ । ପରେ ମଙ୍ଗଳବାର ଗିରଫ କରିଛି ଇଡି । ୭ ଦିନିଆ ରିମାଣ୍ଡରେ ନେଇ ଜେରା କରିବା ଭିତରେ ବେଆଇନ୍ ଆର୍ଥିକ କାରବାରର ପ୍ରମାଣ ପାଇବା ପରେ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି ।
କେବଳ ଗିରଫ କରିନାହିଁ, ଆଉ ସପ୍ତାହେ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । ସେଥିପାଇଁ କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରିଥିଲା ଇଡି । କୋର୍ଟ ୬ ଦିନିଆ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି ।
ଅର୍ଚ୍ଚନାଙ୍କ ପରେ ଝାରପଡ଼ା ଜେଲ୍ରେ ଥିବା ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଇଡ଼ି ତଥ୍ୟ ଆଦାୟ କରିବ । ସେହି ଉଦେ୍ଦଶ୍ୟରେ ଜଗବନ୍ଧୁଙ୍କୁ କଡ଼ା ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ୯ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି । ଅର୍ଥାତ ନାଗ-ଚାନ୍ଦ ଦମ୍ପତିକୁ ଏଣିକି ସାମ୍ନାସାମ୍ନି ବସାଇ ଭୁବନେଶ୍ୱର ସତ୍ୟବିହାରର ଆଲିସାନ୍ ବଙ୍ଗଳା, କେସିଙ୍ଗା ସ୍ଥିତ ଅଖି ଦୃଶିଆ କୋଠା, ନାମୀ ଦାମୀ ସୌଖିନ କାର, ପୂଳା ପୂଳା ସୁନା ଅଳଙ୍କାର ଅର୍ଜନର ତଥ୍ୟ କାଢ଼ିପାରେ ଇଡ଼ି ।
ଡିସେମ୍ବର ୬ ରେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାଙ୍କୁ ପ୍ରଥମେ ୭ ଦିନିଆ ରିମାଣ୍ଡରେ ନେଇଥିଲା ଇଡି । ହେଲେ ମୁହଁ ଖୋଲି ନଥିଲେ ଅର୍ଚ୍ଚନା । ଏପରିକି ଇଡ଼ିକୁ ତଦନ୍ତରେ ସହଯୋଗ କରିନଥିଲେ । ଅର୍ଚ୍ଚନା ଇଡ଼ି ଅଧିକାରୀଙ୍କୁ ଭୂଆଁ ବୁଲାଇଥିବା ଚର୍ଚ୍ଚା ହେଉଛି । ତେଣୁ ସନ୍ତୋଷଜନକ ଉତ୍ତର ନ ପାଇବାରୁ ଇଡ଼ି ପୁଣି ଥରେ ୭ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି, ଅର୍ଚ୍ଚନା ଇଡ଼ିକୁ ସହଯୋଗ କରୁଛନ୍ତି ।
ସେପଟେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ମାମଲାରେ ପ୍ରଥମ ଥର ପାଇଁ ମିଡ଼ିଆ ସାମ୍ନାକୁ ଆସିଛନ୍ତି ଅର୍ଚ୍ଚନାଙ୍କ ପିତା ସୁରେନ୍ଦ୍ର ନାଗ । ନିଜକୁ ଜଣେ ସାମାଜିକ କର୍ମୀର ପରିଚୟ ଦେବା ସହ କହିଛନ୍ତି, ମୁଁ ଜମି ବିକ୍ରି କରି ୫୦-୬୦ ଲକ୍ଷ ଟଙ୍କା ଝିଅକୁ ଦେଇଛି । ମୋ’ ସ୍ତ୍ରୀ ମଧ୍ୟ ଚାକିରି କରୁଛି । ଝିଅ ବିଜନେସ୍ କରୁଥିଲା । ମୋ’ ଝିଅ ନିଦେ୍ର୍ଦାଷ । ଶ୍ରଦ୍ଧାଞ୍ଜଳି ଓ ପ୍ରଯୋଜକମାନେ ତାଙ୍କୁ ଫସାଇଦେଇଥିବା ସେ ଅଭିଯୋଗ କରିଛନ୍ତି ।