ଘରେ ଘରେ ଡାଇରିଆ

ପୁରୀ (ବୁ୍ୟରୋ): ପୁରୀରେ ବ୍ୟାପିଲାଣି ଡାଇରିଆ । ଜଗନ୍ନାଥ ମନ୍ଦିର ନିକଟ ବାସେଳୀ ସାହି, ଗୋଚ୍ଛିକାର ସାହି, ପଣାପ୍ରିୟା ସାହି ଓ ପାଣିକାତ ସାହିରେ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରୋଇ ଓ ସରକାରୀ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ଏପରିକି ବାସେଳୀ ସାହିରେ ଘରେ ଘରେ ବ୍ୟାପିଛି ରୋଗ । ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବଡ଼ଦୁଃଖର ବିଷୟ ଝାଡ଼ାବାନ୍ତିକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ନାହିଁ । ସ୍ୱାସ୍ଥ୍ୟ ବିଭାଗର ଏପରି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ପାଣି ପାଇପ୍ରେ ଫାଟ ସୃଷ୍ଟି ହୋଇ ପାଣି ଦୂଷିତ ହେବାରୁ ପରିସ୍ଥିତି ଏପରି ଅଣାୟତ୍ତ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏପରିକି ପାଣି ଅଧିକ ପିଇଲେ ଅଧିକ ପେଟ କାଟୁଥିବା ସହ ଯନ୍ତ୍ରଣା ହେଉଥିବା କହିଛନ୍ତି । ୨ଦିନ ଧରି ଝାଡ଼ାବାନ୍ତି ଲାଗି ରହିଥିଲେ ସୁଦ୍ଧା ପ୍ରଶାସନର ଦେଖାନାହିଁ । ଶ୍ରୀମନ୍ଦିରର ପଶ୍ଚିମଦ୍ୱାରକୁ ଲାଗି ରହିଥିବା ବାସେଳୀ ସାହିରେ ବହୁ ସେବାୟତଙ୍କ ପରିବାର ବସବାସ କରନ୍ତି । ଏହି ସାହିକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଇଥାଏ । ଗତ ରବିବାର ରାତିରୁ ସ୍ଥାନୀୟ ସାହି ବାସିନ୍ଦାଙ୍କ ପ୍ରଥମେ ପେଟ କାଟିବା ସହ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ସେମାନେ ମେଡିସିନ୍ ଓ ଇଞ୍ଜେକ୍ସନ ନେଇଥିଲେ ବି ତାହା କମି ନ ଥିଲା ।
ସେହିଦିନ ଠାରୁ ପ୍ରତ୍ୟେକ ଘରକୁ ଘର ବ୍ୟାପିଥିଲା ଝାଡ଼ାବାନ୍ତି । ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲିଙ୍କ ପରିବାରର ୮ଜଣ ସଦସ୍ୟରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପରିବାର ସଦସ୍ୟ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଆହୁରି କେତେଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସତର୍କ ନ ରହିଲେ ଆଗାମୀ ଦିନରେ ପୁରୀରେ ଡାଇରିଆ ଭୟାବହ ପରିସ୍ଥିତି ସୃଷ୍ଟି କରିବ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଗଡ଼ନ୍ତି ଛକ ଦେଇ ନୂତନ ପାଇପ ଲାଇନ୍ ପକାଯାଇଛି । ସେହି ପାଇପ୍ ଫାଟିଯାଇ ସେଥିରେ ନଳାପାଣି ମିଶିଥିବା ନେଇ ଅନୁମାନ କରାଯାଇଛି । ସେଥିଲାଗି ସେହି ପାଣିକୁ ପିଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଖବରପାଇ ଜିଲ୍ଲାପାଳ ସମର୍ଥ ବର୍ମା ସାହିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *