ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପୂର୍ବତନ ମନ୍ତ୍ରୀ
ପୁରୀ/ବ୍ରହ୍ମଗିରି (ବୁ୍ୟରୋ): ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା । ଉକ୍ତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭିନ୍ନ ଭିନ୍ନ ପଞ୍ଚାୟତବାସୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଯାହାକି ସାଧାରଣଲୋକଙ୍କ ପ୍ରତ୍ୟହ ଜୀବନଯାପନ ଶୈଳୀରେ ସହାୟକ ହେବ । ସେଥିଲାଗି ବୁଧବାର ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଗସ୍ତ କରି ତରମାଳ ପଞ୍ଚାୟତରେ ୨୪ ଲକ୍ଷ ଟଙ୍କା ବ୍ୟୟବରାଦରେ ନୂଆପଡ଼ାଠାରୁ ବାଲିଘାଇ ଶଙ୍ଖ ପର୍ଯ୍ୟନ୍ତ କେନାଲ ରାସ୍ତାର ଜଳସମ୍ପଦ ବିଭାଗ ଦ୍ୱାରା ଉନ୍ନତୀକରଣ ହେବା ଲାଗି ଶିଳାନ୍ୟାସ କରିଥିଲେ ।
ସେହିପରି ୩୫ ଲକ୍ଷ ଟଙ୍କା ବ୍ୟୟରେ ତଳକୋକଲ ଠାରେ କଲ୍ୟାଣ ମଣ୍ଡପ, ୧୦ ଲକ୍ଷ ବ୍ୟୟରେ ତରମାଳ ବ୍ରିଜ୍ ଛକ ହାଟର ନୂତନ ଗୃହ, ୭.୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂଆପଡ଼ା ବଡ଼ପୋଖରୀର ପଞ୍ଚାୟତିରାଜ ବିଭାଗ ଦ୍ୱାରା ଉନ୍ନତୀକରଣ ଏବଂ ୭ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂଆପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଫଳରେ ଗୋଟିଏ ଦିନରେ ଶ୍ରୀ ଦାସବର୍ମାଙ୍କ କରକମଳରେ ଲକ୍ଷାଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହୋଇଥିବାରୁ ସ୍ଥାନୀୟ ଅଧିବାସୀମାନେ ଖୁସିବ୍ୟକ୍ତ କରିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ସ୍ଥାନୀୟ ତରମାଳ ସରପଞ୍ଚ ଦିନବନ୍ଧୁ ମହାପାତ୍ର, ସମିତିସଭ୍ୟା ମାମା ସେଠୀ, ପୂର୍ବତନ ସରପଞ୍ଚ ବାଳକୃଷ୍ଣ ପେଣ୍ଠୋଇ, ପୂର୍ବତନ ସମିତିସଭ୍ୟ ନିରଞ୍ଜନ ପରିଡ଼ା, କୁସୁବେଣ୍ଟି ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦାବନ ପ୍ରଧାନଙ୍କ ସମେତ ପଞ୍ଚାୟତର ବହୁ ବରିଷ୍ଠ ନେତା ଓ କର୍ମୀଗଣ ଉପସ୍ଥ୍ିତ ଥିଲେ ।