ଏମ୍ସ ସର୍ଭର ହ୍ୟାକ୍ ପଛରେ ଚୀନ୍
ସ୍ୱାଭାବିକ ହେଲା ହସ୍ପିଟାଲ କାର୍ଯ୍ୟ, ଓପିଡିରେ ଅନ୍ଲାଇନ୍ ଟିକେଟିଂ ଆରମ୍ଭ
ନୂଆଦିଲ୍ଲୀ (ଏଜେନ୍ସି): ୨୩ ନଭେମ୍ବର ଠାରୁ ବର୍ତ୍ତମାନ ସମୟ ଯାଏ ଅର୍ଥାତ୍ ବେଶ୍ କିଛି ଦିନ ଧରି ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲର ସର୍ଭର ଡାଉନ୍ ରହିଆସୁଛି । ସର୍ଭର ଡାଉନ୍ ପଛରେ ସର୍ଭରକୁ ହ୍ୟାକ୍ କରାଯାଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଏସବୁ ପଛରେ କିଏ ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିଲା । କେବଳ ରାନ୍ସମ୍ ମାଲୱେର ସଫ୍ଟୱେୟାର ଦ୍ୱାରା ସର୍ଭରକୁ ହ୍ୟାକ୍ କରାଯାଇଥିବା ସନେ୍ଦହ କରାଯାଉଥିଲା । ତେବେ ବୁଧବାର ଏମ୍ସ ସର୍ଭର ହ୍ୟାକ୍ ପଛରେ ରହିଥିବା ରହସ୍ୟ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁୂସାରେ ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକ୍ ପଛରେ ଚୀନ୍ ହିଁ ରହିଛି । ଦିଲ୍ଲୀ ଏମ୍ସ ସର୍ଭରକୁ ଚୀନ୍ରୁ ହିଁ ହ୍ୟାକ୍ କରାଯାଇଥିବାର ପ୍ରମାଣ ଭାରତୀୟ ବିଶେଷଜ୍ଞଙ୍କୁ ମିଳିଛି । ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଏମ୍ସର ପ୍ରାୟ ୧ଠଠଟି ସର୍ଭର (୪ଠଟି ଫିଜିକାଲ୍ ଏବଂ ୬ଠଟି ଭର୍ଚୁଆଲ) ଭାବେ ହ୍ୟାକ୍ କରାଯାଇଛି । ତେବେ ଏସବୁ ମଧ୍ୟରୁ ମାତ୍ର ୫ଟି ସର୍ଭରରେ ଚୀନ୍ ଅନୁପ୍ରବେଶ କରିଥିବା ନେଇ ପ୍ରମାଣ ମିଳିଛି । ଅନ୍ୟପକ୍ଷେ ଏସମ୍ପର୍କରେ ଜଣାପଡିବା ପରେ ଚୀନ୍ ହ୍ୟାକ୍ କରିଥିବା ଏହି ୫ ସର୍ଭରଗୁଡ଼ିକରୁ ଭାରତୀୟ ଆଇଟି ଏକ୍ସପଟର୍୍ମାନେ ସମସ୍ତ ଡାଟାଗୁଡ଼ିକୁ ରିଟ୍ରାଇଭ୍ କରିନେଇଛନ୍ତି । ତଥାପି ଆହୁରି କିଛି ବ୍ୟକ୍ତିବିଶେଷ (ରୋଗୀଙ୍କ ସମ୍ପର୍କୀତ ତଥ୍ୟ) ସର୍ଭରରେ ରହିଥିବା ସନେ୍ଦହ କରାଯାଉଛି । ସମ୍ପ୍ରତି ହସ୍ପିଟାଲ୍ର ୩-୪ କୋଟି ଲୋକଙ୍କର ବ୍ୟକ୍ତିଗତ ତଥ୍ୟା ଚୋରି ହୋଇଥିବା ନେଇ ଆଶଙ୍କା କରାଯାଉଛି । ହ୍ୟାକ୍ କରାଯାଇଥିବା ସର୍ଭରଗୁଡ଼ିକରୁ ଡାଟା ରିଟ୍ରାଇଭ୍ କରାଯିବା ପରେ ହସ୍ପିଟାଲର ଓପିଡ଼ି ଅନଲାଇନ୍ ରେଜିଷ୍ଟ୍ରେସନ୍ କାମ ତଥା ଅନ୍ୟ ଅନ୍ଲାଇନ୍ କାର୍ଯ୍ୟ ସ୍ୱାଭାବିକ ହୋଇପାରିଛି ।
ଏମ୍ସ ସର୍ଭର ଡାଉନ୍ ତଥା ହ୍ୟାକିଂ ପଛରେ ଚୀନ୍ର ଦୁଇଟି ଗ୍ରୁପ୍ କାମ କରିଥିବା ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି । ପ୍ରଥମ ଗ୍ରୁପ୍ ରାନସମ୍ୱୟାର ଗ୍ରୁପ୍-ସମ୍ରାଟ୍ ଡ୍ରାଗନ୍ଫ୍ଲାଇ ଏବଂ ବ୍ରୋଞ୍ଜ୍ ଷ୍ଟାରଲାଇଟ୍ (ଡିଇଭି-ଠ୪ଠ୧) ଏବଂ ଦ୍ୱିତୀୟ ଗ୍ରୁପ୍ ଲାଇଫ୍ ନାମକ ଏକ ସଂସ୍ଥା ଯାହାକୁୂ ୱାନାରେନ୍ ନାମକ ରାନ୍ସମ୍ୱୟାରର ନୂଆ ଭର୍ସନ ଭାବେ ବିବେଚନା କରାଯାଉଛି । ତେବେ ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକ୍ ମାମଲାରେ ଦିଲ୍ଲୀ ପୁଲିସ ଅଧୀନରେ ଥିବା ଇଣ୍ଟେଲିଜେନ୍ସ ଫୁ୍ୟଜନ୍ ଆଣ୍ଡ୍ ଷ୍ଟ୍ରାଟେର୍ଜିକ ଅପରେସନ୍ସ (ଆଇଏଫ୍ଏସ୍ଓ)ରେ ଏକ ସାଇବର ଆତଙ୍କବାଦ ମାମଲା ରୁଜୁ କରାଯାଇଛି । ସେହିପରି ସେଣ୍ଟ୍ରାଲ ଫରେନସିକ୍ ଲ୍ୟାବ୍ର ଏକ ଟିମ୍ ମାଲୱେର୍ ଆକ୍ରମଣର ଉତ୍ସ ଜାଣିବା ପାଇଁ ଏମ୍ସ ଦିଲ୍ଲୀର ସର୍ଭର ଯାଞ୍ଚ୍ କରୁଛି ।
ପ୍ରକାଶ, ଏସମ୍ପର୍କରେ ସ୍ପଷ୍ଟ ପ୍ରମାଣ ମିଳିବା ପୂର୍ବରୁ ହିଁ ଆଇଟି ବିଶେଷଜ୍ଞମାନେ ଏହି ହ୍ୟାକିଂ ପଛରେ ଚୀନ୍ର ହାତ ଥିବା ନେଇ ସନେ୍ଦହ ବ୍ୟକ୍ତ କରିଥିଲେ । ଏମ୍ସ ସର୍ଭର ହ୍ୟାକ୍ ହେବା ସମୟରେ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଦେଶର ଅନେକ ଭିଆଇପି, ଭିଭିଆଇପି ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ତଥ୍ୟକୁ ମଧ୍ୟ ଚୋରି କରିନିଆଯାଇଥିବା ସେମାନେ ଆଶଙ୍କା କରିଥିଲେ । ପରେ ଏସବୁ ତଥ୍ୟକୁ ଡାର୍କ ୱେବ୍ରେ ପ୍ରକାଶ ନକରିବା ପାଇଁ ୨ଠଠ କୋଟି ଟଙ୍କା ଦାବି କରିଥିଲେ । ଏହି ଅର୍ଥକୁ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଦେବାକୁ ହ୍ୟାକର୍ସ ଗ୍ରୁପ୍ ପକ୍ଷରୁ ଦାବି କରାଯାଇଥିଲା । ତେବେ ଏମ୍ସ ପକ୍ଷରୁ ଏହି ଅର୍ଥ ଦିଆନଯିବାରୁ ହ୍ୟାକର୍ସମାନେ ଅନେକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୂଚନାକୁ ଡାର୍କ ୱେବ୍ରେ ସାର୍ବଜନୀତ କରିଦେଇଥିଲେ । ଅର୍ଥାତ୍ ଏସବୁ ପଛରେ ଏମ୍ସ ଠାରୁ ମୋଟା ଅଙ୍କର ଅର୍ଥ ହାତେଇବା ହିଁ ମୁଖ୍ୟ ଉଦେ୍ଦଶ୍ୟ ରହିଥିଲା । ସୂଚନାଯୋଗ୍ୟ, ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରତ୍ୟେକ ମାସରେ ହାରାହାରି ୩ଲକ୍ଷ ସାଇବର ଆଟାକ୍ ହେଉଥିବା ଜଣାପଡିଛି ।