ଶ୍ରୀଲଙ୍କାକୁ ହରାଇ ସେମିରେ ଭାରତ
ତୃତୀୟ ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ୍
ଗୋଆ, ୧୪ା୧୨ (ଏଜେନ୍ସି): ଭାରତ ବୁଧବାର ଶ୍ରୀଲଙ୍କାକୁ ୭ ୱିକେଟ୍ରେ ହରାଇ ତୃତୀୟ ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ୍ର ସେମିଫାଇନାଲ୍ରେ ପ୍ରବେଶ କରିଛି । ରାଉଣ୍ଡ ରବିନ୍ ଲିଗ୍ରେ ଭାରତୀୟ ଟିମ୍ ଟପ୍ପର ହୋଇଛି । ପ୍ରଥମ ସେମିଫାଇନାଲ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ଏବଂ ଦ୍ୱିତୀୟ ସେମିଫାଇନାଲ୍ରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ଉଭୟ ସେମିଫାଇନାଲ୍ ଗୁରୁବାର ବେଙ୍ଗାଲୁରୁସ୍ଥିତ ସମ୍ପ୍ରସିଦ୍ଧି ସ୍ପୋର୍ଟ୍ସ ଇଷ୍ଟାଡିଓ ଠାରେ ଖେଳାଯିବ ।
ଶ୍ରୀଲଙ୍କା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପଞ୍ଚମ ଓଭର୍ରେ ସୁନୀଲ୍ ରମେଶ ଶ୍ରୀଲଙ୍କାର ଉଭୟ ଓପନର୍ଙ୍କୁ ପାଭିଲିଅନ୍ ପଠାଇଥିଲେ । ଏହାପରେ ରୁୱାନ ବସନ୍ତ ଓ ଦମିତ ସଦ୍ରୁୱାନ ଇନିଂସ୍ ସମ୍ଭାଳିବାକୁ ପ୍ରୟାସ କରିଥିଲେ । କିନ୍ତୁ ଭାରତୀୟ ବୋଲର୍ଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ସେମାନଙ୍କୁ ସ୍କୋର୍ କରିବାକୁ ବେଶୀ ସୁଯୋଗ ମିଳି ନ ଥିଲା । ନିୟମିତ ବ୍ୟବଧାନରେ ୱିକେଟ୍ ପଡ଼ିବାରୁ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୩୭ ରନ୍ କରିବାକୁ ସମର୍ଥ ହୋଇଥିଲା ।
ବସନ୍ତ ସର୍ବାଧିକ ୪୦ ରନ୍ କରିଥିବା ବେଳେ ସଦ୍ରୁୱାନ ୧୮ ରନ୍ କରିଥିଲା । ଭାରତ ପକ୍ଷରୁ ସୁନୀଲ ରମେଶ ଓ ଅଜୟ କୁମାର ରେଡ୍ଡୀ ୨ ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ଭାରତୀୟ ଟିମ୍ ମାତ୍ର ୧୧.୫ ଓଭର୍ରେ ୩ ୱିକେଟ୍ ହରାଇ ୧୩୯ ରନ୍ କରି ବିଜୟୀ ହୋଇଥିଲା । ଟିମ୍ ପକ୍ଷରୁ ପ୍ରକାଶ ଜୟରମୈୟା ୪୪ ବଲ୍ରୁ ସର୍ବାଧିକ ୮୧ (୧୭ ବାଉଣ୍ଡାରୀ ସଟ୍ ସହାୟତାରେ) ରନ୍ କରିଥିବା ବେଳେ ଅଜୟ ରେଡ୍ଡୀ ୨୦ ରନ୍ କରି ଅପରାଜିତ ଥିଲେ । ପ୍ରକାଶ ଦ୍ୱିତୀୟ ୱିକେଟ୍ ପାଇଁ ଲଳିତ ମୀନା (୪)ଙ୍କ ସହ ୭୧ ରନ୍ର ଭାଗୀଦାରୀ କରିଥିଲେ ।