ପ୍ରତିଦିନ ନମୁନା ସଂଗ୍ରହ, ଡେନ୍ସିଟି ମାପ
ମଶାମରା ଅଭିଯୋଗ ପାଇଁ ଗଢ଼ାଗଲା ରାପିଡ୍ ରେସ୍ପନ୍ସ ଟିମ୍
କଟକ (ବୁ୍ୟରୋ) ମଶା ପ୍ରାଦୁର୍ଭାବ ବୃଦ୍ଧିକୁ ସିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମଶାମରା ଅଭିଯାନକୁ ଯୁଦ୍ଧ କାଳୀନ ଭିତ୍ତିରେ ଅଧିକ ସକ୍ରିୟ କରିବା ପାଇଁ ଆଜି କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଏକ ୮ ଜଣିଆ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ କରାଯାଇଛି । ଏହି ଟିମରେ ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର ଏହାର ନୋଡାଲ ଅଫିସର ରହିଥିବା ବେଳେ ଦୁଇ ଜଣ ସାନିଟାରୀ ଇନ୍ସପେକ୍ଟର, ୩ ଜଣ ଫାଇଲେରିଆ ଇନ୍ସପେକ୍ଟର, ଜଣେ ଭିବିଡି କନ୍ସଲଟାଣ୍ଟ ଓ ଆଉ ଜଣେ ଆସିଷ୍ଟାଣ୍ଟ ଏଣ୍ଟେମୋଲୋଜିଷ୍ଟ୍ ଏହି ଟିମ୍ରେ ରହିଛନ୍ତି । ପ୍ରତ୍ୟେକ ଦିନ ଦୁଇଟି ୱାର୍ଡରୁ ଇନ୍ସେକ୍ଟ କଲେକ୍ଟର ନମୁନା ସଂଗ୍ରହ କରିବା ପରେ ଉକ୍ତ ୱାର୍ଡର ଡେନ୍ସିଟି ଇଣ୍ଡେକ୍ସ ବାହାର କରାଯିବ । ଯଦି ଏହି ଇଣ୍ଡେକ୍ସର ମାପ ଧାର୍ଯ୍ୟ ମାପଠାରୁ ଅଧିକ ହେବ ତେବେ ତୁରନ୍ତ ସେଠାରେ ଆରଆରଟି ପହଞ୍ଚି ୨୪ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରିବେ । ଆଜି ଏ ସଂପର୍କରେ ସିଏମସି ପକ୍ଷରୁ ଏକ ନିଦେ୍ର୍ଦଶନାମା ଜାରି କରାଯାଇଛି ।
ସେହିପରି ଆସନ୍ତା କାଲିଠାରୁ ଭୋରରୁ ଓ ସନ୍ଧ୍ୟା ସମୟରେ ଦିନକୁ ଦୁଇଥର ଟିଫା ମେସିନରୁ ମଶା ଧୂଆଁ ଛଡା କାର୍ଯ୍ୟକ୍ରମ କରାଯିବ । ଏତଦ୍ବ୍ୟତୀତ ପ୍ରତି ୬ଟି ୱାର୍ଡକୁ ନେଇ ଗଠନ କରାଯାଇଥିବା ଜୋନ୍ରେ ପୂର୍ବପରି ସଂଗଠିତ ଢଙ୍ଗରେ ଧୂଆଁ ଛଡା କାର୍ଯ୍ୟ ଜାରି ରହିଛି ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ମହାପାତ୍ର କହିଛନ୍ତି । ଖାଲଖମା, ଗଡିଆ ଆଦି ସ୍ଥିର ଜଳରେ ଥିବା ମଶା ଲାର୍ଭା ନଷ୍ଟ କରିବା ପାଇଁ ଆସନ୍ତା କାଲିଠାରୁ ସେଠାରେ ଗମ୍ବୁସିଆ ମାଛ ଛଡା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।