ବାପାକୁ ହତ୍ୟା କରି ୩୨ଖଣ୍ଡ କଲା ପୁଅ
ବେଙ୍ଗାଲୁରୁ (ଏଜେନ୍ସି): ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଥମିନଥିବା ବେଳେ ଏବେ ବେଙ୍ଗାଲୁରୁରେ ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପୁଅ ନିଜ ବାପାକୁ ହତ୍ୟା କରିବା ପରେ ମୃତଦେହକୁ ୩୨ ଖଣ୍ଡରେ କାଟିପକାଇବା ସହ ସେସବୁକୁ କିଛି ଦୂରରେ ଥିବା ଏକ ବୋରୱେଲରେ ଫିଙ୍ଗି ଦେଇଥିଲା । ବେଙ୍ଗାଲୁରୁ ଉପକଣ୍ଠରେ ଘଟିଯାଇଥିବା ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଉପରୁ ରାଜ୍ୟ ପୁଲିସ୍ ପର୍ଦ୍ଦା ଉଠାଇବାରେ ସଫଳ ହୋଇଛି । ପୁଲିସ୍ ଅଭିଯୁକ୍ତ ପୁଅକୁ ଗିରଫ କରି ଜେରା କରିବା ପରେ ସେ ସବୁକିଛି ମାନିଯାଇଛି ।
ଅଭିଯୁକ୍ତ ପୁଅର ନାମ ବିଠଲା କୁଲାଲି (୨ଠ) ଏବଂ ସେ ହିଁ ନିଜ ବାପା ପର୍ଶୁରାମ କୁଲାଲି (୫୩)କୁ ହତ୍ୟା କରିଛି । ପୁଲିସ୍କୁ ବିଠଲା ଦେଇଥିବା ବୟାନ୍ ଅନୁସାରେ ଡିସେମ୍ବର ୬ରେ ବାପା ଓ ପୁଅ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ବିଠ୍ଲା ହଠାତ୍ ଉତ୍ତେଜିତ ହୋଇ ବାପା ପର୍ଶୁରାମକୁ ଏକ ଲୁହା ରଡରେ ଆକ୍ରମଣ କରିଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପର୍ଶୁରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ପର୍ଶୁରାମ୍ ପ୍ରତ୍ୟହ ମଦ ପିଉଥିଲା ଏବଂ ଘରେ ଅଶାନ୍ତି କରୁଥିବାରୁ ସେ ଏପରି କରିଛି ବୋଲି ବିଠଲା କହିଛି । ପୁଲିସ୍ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।