ଗଞ୍ଜାମର ଲୋକକଳାକୁ ମିଳିବ ସ୍ୱତନ୍ତ୍ର ମଞ୍ଚ
୨୪ରୁ ବେଳାଭୂମି ମହୋତ୍ସବ
ବ୍ରହ୍ମପୁର (ବୁ୍ୟରୋ): ଗୋପାଳପୁର ବେଳାଭୂମି ମହୋତ୍ସବ ସକାଶେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଗୋପାଳପୁର ସ୍ଥିତ ସର୍କିଟ ହାଉସ୍ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳାଭୂମି ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ କୁହାଯାଇଛି । ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ, ସ୍ଥାନୀୟ କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗଞ୍ଜାମର ଲୋକକଳା ପରିବେଷଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମର ଲୋକକଳା ପରିବେଷଣ ସକାଶେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ମଞ୍ଚ ଦିଆଯିବ । ସେମାନେ ସଂଧ୍ୟା ୫ ଘ.ରୁ ରାତ୍ର ୯ ଘ. ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିବେଷଣ କରିବାର ସୁଯୋଗ ପାଇବେ ।
ଦୁଇ ବର୍ଷ ବ୍ୟବଧାନ ପରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଛି । ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି । ଲୋକେ ଗୋପାଳପୁର ନିକଟସ୍ଥ ହରିପୁର ରାସ୍ତା ଦେଇ କିଭଳି ବିନା ଦ୍ୱିଧାରେ ଗୋପାଳପୁର ଆସିବେ ସେ ଦିଗରେ ବ୍ୟବସ୍ଥା କରାଯିବ । ଲୋକଙ୍କ ଯାତାୟତ ସକାଶେ ମରାମତି ହେଉଥିବା ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କୁହାଯାଇଛି । ହରିପୁରଠାରେ ଦୁଇ ଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା ହେବ । ସେଠାରୁ ଲୋକେ ବ୍ରିଜ୍ ଦେଇ ମହୋତ୍ସବ ସ୍ଥଳକୁ ଯିବେ । ଗୋପାଳପୁର ବସ୍ଷ୍ଟାଣ୍ଡ, ଷଣ୍ଢ ଛକଠାରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପାର୍କିଂ ସ୍ଥଳ ପରିଚାଳନା ଦାୟିତ୍ୱ ଦିଆଯିବ । ପଲ୍ଲିଶ୍ରୀ ମେଳା ସକାଶେ ଆସୁଥିବା ସ୍ୱୟଂ ସହାୟକ ଦଳ, ମେଳା ଆୟୋଜକ ଏବଂ କଳାକାରଙ୍କ ରହିବା ବ୍ୟବସ୍ଥା, ଟ୍ରାଫିକ୍ ବ୍ୟବସ୍ଥା, ସଫେଇ କାର୍ଯ୍ୟ, ଜଳ ଯୋଗାଣ ବ୍ୟବସ୍ଥା, ଅସ୍ଥାୟୀ ପରିଶ୍ରାଗାର, ରାସ୍ତାର ପାର୍ଶ୍ୱ ଆଲୋକୀକରଣ, ବାରିକେଡ୍ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ମୀନା ବଜାର, ସ୍ମରଣୀକା ପ୍ରକାଶନ, କଳାକାର ଚୟନ ଇତ୍ୟାଦି ବିଷୟ ଘେନି ବୈଠକରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି । ଚଳିତ ବର୍ଷର ମହୋତ୍ସବ କିଭଳି ଯାକଯମକରେ ହେବ, ଜନସାଧାରଣ ଭରପୁର ମଜା ନେଇ ପାରିବେ ସେ ସମସ୍ତ ବ୍ୟବସ୍ଥା ଦିଗରେ ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି ।
ବୈଠକରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏମ୍. ଶ୍ରବଣ ବିବେକ୍ ଟ୍ରାଫିକ୍ ବ୍ୟବସ୍ଥାକୁ କିପରି ପରିଚାଳନା କରିହେବ ସେ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ । ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା ସହର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।