କୋର୍ଟ ଚାଲାଣ ହେଲେ ଡାକ୍ତର
ପିଆର୍ଏମ୍ ହସ୍ପିଟାଲରେ ଛାତ୍ରୀଙ୍କୁ ଅସଦାଚରଣ
ବାରିପଦା (ଆପ୍ର): ପୁଣି ଚର୍ଚ୍ଚା ଘେରକୁ ଆସିଛି ବାରିପଦା ପିଆରଏମ୍ ହସ୍ପିଟାଲ । ଜଣେ ନାବାଳିକାକୁ ଚିକିତ୍ସା ସମୟରେ ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବାରିପଦା ଟାଉନ ଥାନା ପୁଲିସ୍ ଉକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନା ଅନୁସାରେ ସୋମବାର ଆଦିବାସୀ ହଷ୍ଟେଲର ଜନୈକା ନାବାଳିକା ଛାତ୍ରୀର ପେଟ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃର୍ପକ୍ଷ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତିର୍ କରିଥିଲେ । ସେଠାରେ ଶିଶୁ ବିଭାଗରେ ଥିବା ଡାକ୍ତର ସୌରଭ ଉପାଧ୍ୟାୟ ଉକ୍ତ ନାବାଳିକା ଛାତ୍ରୀକୁୁୁ ସ୍ୱାସ୍ଥ୍ୟ ଯାଞ୍ଚ ଆଳରେ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ କହିଥିଲେ । ଏନେଇ ଛାତ୍ରୀର ପରିବାର ଲୋକେ ଓ ହଷ୍ଟେଲ କର୍ତ୍ତୃର୍ପକ୍ଷ ଡା. ଶ୍ରୀ ଉପାଧ୍ୟାୟଙ୍କୁ ତାଙ୍କ ଚାମ୍ବରରେ ଅଟକ ରଖିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଉକ୍ତ ଡାକ୍ତର ମଦ୍ୟପାନ କରି ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚିି ବୁଝାସୁଝା କରିଥିଲା । ଏନେଇ ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ କେସ ନଂ ୧୦୬୨/୨୨ରେ ପକ୍ସୋ ଓ ୩-ଏସଟି/ଏସସି ଦଫାରେ ମାମଲା ରୁଜୁକରିଛି । ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଏସଡିପିଓ ପ୍ରକାଶ ଜେମ୍ସ ଟପ୍ପୋ ସୂଚନା ଦେଇଛନ୍ତି । ଅନ୍ୟପଟେ ଉକ୍ତ ଡାକ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି ।