ଆଇପିଏଲ୍ ମିନି ନିଲାମୀରେ ୪୦୫ ଖେଳାଳି
ମୁମ୍ବାଇ, ୧୩ା୧୨ (ଏଜେନ୍ସି): ଡିସେମ୍ବର ୨୩ରେ କେରଳର କୋଚି ଠାରେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ଆଗାମୀ ସିଜନ୍ ପାଇଁ ମିନି ନିଲାମୀ ହେବ । ୯୯୧ ଖେଳାଳି ନିଲାମୀ ପାଇଁ ପଞ୍ଜୀକରଣ କରାଇଥିଲେ । ସେଥିମଧ୍ୟରୁ ୪୦୫ ଖେଳାଳିଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି ।
ପୂର୍ବ ଥର ମେଗା ନିଲାମୀ ହୋଇଥିଲା, ସେଥିପାଇଁ ଏଥର ମିନି ନିଲାମୀ ହେବ । ୪୦୫ ଖେଳାଳିଙ୍କ ମଧ୍ୟରୁ ୧୩୨ ବିଦେଶୀ, ୨୭୩ ଘରୋଇ ଓ ଚାରି ଆସୋସିଏଟ୍ ଦେଶର ଖେଳାଳି ରହିଛନ୍ତି । ୧୧୯ କ୍ୟାପ୍ଡ ଓ ୨୮୨ ଅନ୍କ୍ୟାପ୍ଡ ଖେଳାଳିଙ୍କ ଉପରେ ନିଲାମଡାକ ହେବ । ମେଗା ନିଲାମୀରେ ଟିମ୍ଗୁଡ଼ିକ ପାଖରେ ୯୦ କୋଟି ଟଙ୍କାର ପର୍ସ ଥିଲା । ଏଥର ସେମାନଙ୍କୁ ଖେଳାଳିଙ୍କ ଉପରେ ଖର୍ଚ୍ଚ କରିବା ପାଇଁ ୯୫ କୋଟି ଟଙ୍କା ମିଳିବ ।
୧୦ ଟିମ୍ରେ ୧୧୭ ସ୍ଲଟ୍ ଖାଲି
ଆଇପିଏଲ୍ ନିଲାମୀରେ ୧୦ ଟିମ୍ ପାଖରେ ୧୧୭ ସ୍ଲଟ୍ ରହିଛି । ସେଥି ମଧ୍ୟରେ ୮୭ ଘରୋଇ ଓ ୩୦ ବିଦେଶୀ ଖେଳାଳିଙ୍କ ସ୍ଲଟ୍ ଅଛି । ଏହାର ଅର୍ଥ ୪୦୫ ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ୧୧୭ ଖେଳାଳି ମନୋନୀତ ହେବେ । ସନ୍ରାଇଜର୍ସ ହାଇଦରାବାଦ ଟିମ୍ ପାଖରେ ସର୍ବାଧିକ ୧୭ ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ସର୍ବନିମ୍ନ ୧୭ ସ୍ଲଟ୍ ଅଛି ।
ନିଲାମୀରେ ଦୁଇ କୋଟିର ବେସ୍ ପ୍ରାଇସ୍ ସର୍ବାଧିକ ଅର୍ଥରାଶି । ଏହି ବେସ୍ ପ୍ରାଇସ୍ରେ ଥିବା ସମସ୍ତ ୧୯ ଖେଳାଳି ବିଦେଶୀ । ସେହିପରି ୧୧ ଖେଳାଳିଙ୍କ ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା । ଭାରତର ମନୀଷ ପାଣ୍ଡେ ଓ ମୟଙ୍କ ଅଗ୍ରୱାଲ ୧ କୋଟିର ବେସ୍ ପ୍ରାଇସ୍ ଥିବା ୨୦ ଖେଳାଳିଙ୍କ ମଧ୍ୟରେ ସାମିଲ୍ ଅଛନ୍ତି ।
ରାଇଲୀ ରୁସୀ, କେନ୍ ୱିଲିଅମ୍ସନ୍, ସାମ୍ କରନ୍, କାମେରନ୍ ଗ୍ରୀନ୍, ଜାସନ୍ ହୋଲ୍ଡର, ବେନ୍ ଷ୍ଟୋକ୍ସ, ଟମ୍ ବାଣ୍ଟନ, ନିକୋଲାସ୍ ପୂରନ୍, ଫିଲ୍ ସଲ୍ଟ, କ୍ରିସ୍ ଜୋର୍ଡାନ, ଆଦାମ ମିଲ୍ନେ, ଆଦିଲ୍ ରଶିଦ, ଟ୍ରେଭିସ୍ ହେଡ୍, ରାସୀ ଭାନ୍ ଡର୍ ଡୁସେନ୍, ଜିମୀ ନୀଶମ, କ୍ରିସ୍ ଲିନ୍, କ୍ରେଗ୍ ଓଭର୍ଟନ୍ ଓ ଜାମୀ ଓଭର୍ଟନ୍ଙ୍କ ବେସ୍ ପ୍ରାଇସ୍ ଦୁଇ କୋଟି ।
ଆଇପିଏଲ୍ର ସମସ୍ତ ୧୦ ଟିମ୍ ପାଖରେ ଖେଳାଳି ରିଲିଜ୍ କରିବା ପରେ ପର୍ସ ଭରି ରହିଛି । ହାଇଦରାବାଦ ଟିମ୍ ପାଖରେ ସର୍ବାଧିକ ୪୨.୨୫ କୋଟି ଟଙ୍କା ରହିଛି । ସେ ଏହି ଅର୍ଥରାଶିରେ ୧୭ ଖେଳାଳି କିଣିପାରିବ ।
ଏତଦ୍ଭିନ୍ନ, ଚେନ୍ନାଇ ସୁପର୍ କିଙ୍ଗ୍ସ ପାଖରେ ୨୦.୪୫ କୋଟି, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୮.୭୫ କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୧୩.୨ କୋଟି, କୋଲକାତା ନାଇଟ୍ ରାଇଡର୍ସ ପାଖରେ ୭.୦୫ କୋଟି ଟଙ୍କାର ପର୍ସ ବଳକା ଅଛି ।
ପୂର୍ବ ସଂସ୍କରଣର ବିଜେତା ଗୁଜରାଟ ଟାଇଟନ୍ସ ୧୯.୨୫ କୋଟି ସହିତ ନିଲାମୀକୁ ଓହ୍ଲାଇବ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ୨୦.୫୫, ପଞ୍ଜାବ କିଙ୍ଗ୍ସ ୩୨.୨ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୪୫ କୋଟି ଟଙ୍କା ସହିତ ନିଲାମଡାକରେ ସାମିଲ୍ ହେବେ ।