ଭାରତର ହାଟ୍ରିକ୍ ବିଜୟ

ତୃତୀୟ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍
କଟକ, ୧୩ା୧୨ (ବୁ୍ୟରୋ): ଭାରତ ତୃତୀୟ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଆୟୋଜକ ଟିମ୍ ୭ ୱିକେଟ୍ରେ ସହଜରେ ବାଂଲାଦେଶକୁ ମାତ୍ ଦେଇଛି ।
ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନେଇଥିବା ଭାରତୀୟ ଟିମ୍ ପ୍ରଥମ ତିନି ଓଭର୍ ମଧ୍ୟରେ ବାଂଲା ଓପ୍ନର୍ ସଲମାନ ଓ ଅବିଦଙ୍କୁ ପାଭିଲିଅନ୍ ପଠାଇ ଆଦ୍ୟ ସଫଳତା ପାଇଥିଲା । ତେବେ ଏହାପରେ ଅଧିନାୟକ ମହମ୍ମଦ ଆଶିକୁର ରହମାନ ଓ ମହମ୍ମଦ ଅରିଫ୍ ଇନିଂସ୍ ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୮୪ ରନ୍ର ଭାଗୀଦାରୀ କରିଥିଲେ ।
୧୩ତମ ଓଭର୍ରେ ଏହି ଯୋଡ଼ି ଭାଙ୍ଗିଥିଲା । ଆରିଫ୍ ବ୍ୟକ୍ତିଗତ ୩୩ (୩୩ ବଲ୍ରୁ) ରନ୍ କରି ରନ୍ଆଉଟ୍ ହୋଇଯାଇଥିଲେ । ଆଶିକୁର ଏହାପରେ ନୂଆ ବ୍ୟାଟର୍ ତନଜିଲ୍ଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇ ଶେଷ ପର୍ଯ୍ୟନ୍ତ ଖେଳିଥିଲେ । ଶେଷ ବଲ୍ରେ ଆଶିକୁର (୫୩ ବଲ୍ରୁ ୭୫ ରନ୍)ଙ୍କ ୱିକେଟ୍ ପଡ଼ିଥିଲା । ଚତୁର୍ଥ ୱିକେଟ୍ ପାଇଁ ୬୧ ରନ୍ ଯୋଗ ହୋଇଥିଲା । ବାଂଲାଦେଶ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା । ତନଜିଲ୍ ୨୦ ରନ୍ କରି ଅପରାଜିତ ଥିଲେ ।
ଜବାବରେ ଭାରତୀୟ ଟିମ୍ ମାତ୍ର ୧୩.୧ ଓଭର୍ରେ ୩ ୱିକେଟ୍ ହରାଇ ୧୬୭ ରନ୍ କରି ବିଜୟୀ ହୋଇଥିଲା । ଓପ୍ନର୍ ଟି. ଦୁର୍ଗା ରାଓ ଓ ନକୁଳ ବଡ଼ନାୟକଙ୍କ ଯୋଡ଼ି ଦ୍ରୁତ ଆରମ୍ଭ କରି ୮.୩ ଓଭର୍ରେ ୯୫ ରନ୍ର ଭାଗୀଦାରୀ କରିବା ସହ ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ନକୁଳ ଟିମ୍ର ପ୍ରଥମ ବ୍ୟାଟର୍ ଭାବେ ୨୪ ବଲ୍ରୁ ୩୬ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ଦୁର୍ଗା ରାଓ ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ । ସେ ୧୨ତମ ଓଭର୍ରେ ରିଟାୟର୍ଡ ହୋଇଥିଲେ । ସେତେବେଳକୁ ଭାରତ ବିଜୟଲକ୍ଷ୍ୟ ଠାରୁ ମାତ୍ର ୧୫ ରନ୍ ଦୂରରେ ଥିଲା । ସେ ୪୩ ବଲ୍ରୁ ୭୩ ରନ୍ର ଇନିଂସ୍ ଖେଳିଥିଲେ । ସେ ୧୦ ଚୌକା ଓ ଗୋଟିଏ ଛକା ଲଗାଇଥିଲେ । ଏହାପରେ ଅଧିନାୟକ ଅଜୟ କୁମାର ରେଡ୍ଡୀ ଓ ସୁନୀଲ ରମେଶ ଆଉ ୱିକେଟ୍ ପଡ଼ିବାକୁ ନ ଦେଇ ମ୍ୟାଚ୍ ଫିନିଶ୍ କରିଥିଲେ ।
ବୁଧବାର ଶେଷ ରାଉଣ୍ଡ-ରବିନ୍ ମ୍ୟାଚ୍ରେ ଭାରତୀୟ ଟିମ୍ ଗୋଆ ଠାରେ ଶ୍ରୀଲଙ୍କାକୁ ଭେଟିବ । ସେହିପରି ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବେଙ୍ଗାଲୁରୁ ଠାରେ ମୁକାବିଲା ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *