ବାଦ୍ ପଡ଼ିପାରନ୍ତି ରାହାଣେ-ଈଶାନ୍ତ

ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି
ମୁମ୍ବାଇ, ୧୨ା୧୨ (ଏଜେନ୍ସି): ଟେଷ୍ଟ ବିଶେଷଜ୍ଞ ଅଜିଙ୍କ୍ୟ ରାହାଣେ, ଦ୍ରୁତ ବୋଲର୍ ଈଶାନ୍ତ ଶର୍ମା ଓ ୱିକେଟ୍କିପର୍-ବ୍ୟାଟର୍ ରିଦ୍ଧିମାନ ସାହା ବିସିସିଆଇର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିପାରନ୍ତି । ତେବେ ଶୁଭମନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ପ୍ରତିଭାଶାଳୀ ବ୍ୟାଟର୍ଙ୍କୁ ଗ୍ରେଡ୍ ପ୍ରମୋସନ୍ ମିଳିପାରେ । ବାର୍ଷିକ ଚୁକ୍ତିର ଚୂଡ଼ାନ୍ତ ତାଲିକା ପାଇଁ ଡିସେମ୍ବର ୨୧ ଯାଏଁ ଅପେକ୍ଷା କରିବାକୁ ହେବ । ସେହି ଦିନ ବୋର୍ଡର ଆପେକ୍ସ କମିଟିର ବୈଠକରେ ନୂଆ ଚୁକ୍ତିକୁ ମଞ୍ଜୁରୀ ମିଳିବ । ଭିଡିଓ କନ୍ଫରେନ୍ସରେ ଏହି ବୈଠକ ହେବ, ଯାହାର ଏଜେଣ୍ଡାରେ ୧୨ ପଏଣ୍ଟ ରହିଛି ।
ଏକ ନୁ୍ୟଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ବିସିସିଆଇ ୨୦୨୨-୨୩ ଚୁକ୍ତିରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ସାହାଙ୍କୁ ଚଳିତ ବର୍ଷ ଆରମ୍ଭରେ କୁହାଯାଇଥିଲା ଯେ ତାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ୍ ହେବାର ସୁଯୋଗ ଦିଆଯିବ ନାହିଁ । ଈଶାନ୍ତ ଓ ରାହାଣେଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ କଷ୍ଟସାଧ୍ୟ ଜଣାପଡ଼ୁଛି ।
ଭାରତୀୟ ଟି-୨୦ ଟିମ୍ର ସମ୍ଭାବ୍ୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ପ୍ରମୋସନ୍ ମିଳିପାରେ । ସେ ‘ସି’ରୁ ‘ବି’ ଗ୍ରେଡ୍କୁ ପ୍ରମୋଟ୍ ହୋଇପାରନ୍ତି । ଶୁଭମନ ଓ ସୂର୍ଯ୍ୟକୁମାରଙ୍କୁ ସେମାନଙ୍କ ଚମକ୍ପ୍ରଦ ପ୍ରଦର୍ଶନର ପୁରସ୍କାର ମିଳିପାରେ । ଦୁଇ ଜଣଯାକ ଚଳିତ ବର୍ଷ ଉତ୍ତମ ପ୍ରଦର୍ଶନ କରିବା ସହ ଉଭୟ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ ଟିମ୍ର ଅଂଶବିଶେଷ ରହିଆସିଛନ୍ତି । ଏଥିପାଇଁ ଉଭୟ ‘ସି’ ବର୍ଗରୁ ‘ବି’କୁ ଉନ୍ନୀତ ହେବା ନିଶ୍ଚିତ । ବାଂଲାଦେଶ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ଦ୍ୱିଶତକୀୟ ଇନିଂସ୍ ଖେଳିଥିବା ଈଶାନ କିଶନଙ୍କୁ ବୋର୍ଡ ‘ସି’ ବର୍ଗରେ ସ୍ଥାନ ଦେଇପାରେ ।
ଅଜିଙ୍କ୍ୟ ରାହାଣେ ଗତ କିଛି ବର୍ଷ ହେଲା ଫର୍ମରେ ନାହାନ୍ତି । ସେ ଡିସେମ୍ବର ୧୪ରୁ ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳାରେ ଭାରତୀୟ ଟିମ୍ର ଅଂଶବିଶେଷ ନାହାନ୍ତି । ଈଶାନ୍ତଙ୍କର ମଧ୍ୟ ସମାନ ଅବସ୍ଥା ।
ବିସିସିଆଇ ଚାରି ପ୍ରକାରର ଚୁକ୍ତି କରିଥାଏ – ଗ୍ରେଡ୍-ଏ+, ଗ୍ରେଡ୍-ଏ, ଗ୍ରେଡ୍-ବି ଓ ଗ୍ରେଡ୍-ସି । ଗ୍ରେଡ୍-ଏ+’ରେ ସାତ କୋଟି, ଗ୍ରେଡ୍-ଏ’ରେ ପାଞ୍ଚ କୋଟି, ଗ୍ରେଡ୍-ବି’ରେ ତିନି କୋଟି ଓ ଗ୍ରେଡ୍-ସି’ରେ ଏକ କୋଟି ଟଙ୍କା ଖେଳାଳିଙ୍କୁ ମିଳିଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *